ଡିସେମ୍ବର ସୁଦ୍ଧା ଯକୃତ ପ୍ରତିରୋପଣ ପ୍ରସ୍ତୁତି ଶେଷ ପାଇଁ ନିର୍ଦେଶ

ଭୁବନେଶ୍ବର : ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଯକୃତ ପ୍ରତିରୋପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ନିର୍ଦେଶ ଦେଇଛନ୍ତି। ଆସନ୍ତା ୧ମାସ ମଧ୍ୟରେ ଯକୃତ ପ୍ରତିରୋପଣ ପାଇଁ ତାଲିମ୍‌ପ୍ରାପ୍ତ ମାନବ ସମ୍ବଳ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ଆବଶ୍ୟକ ପଡ଼ୁଥିବା ମଡ୍ୟୁଲାର ଓଟି ଓ ଉପକରଣ ଆଦି ପ୍ରସ୍ତୁତ କରିବା ଲାଗି ୨ମାସ ସମୟ ଦିଆଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଯକୃତ ପ୍ରତିରୋପଣ ସମ୍ବନ୍ଧୀୟ ଏକ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ଶ୍ରୀ ଦାସ ଏହାର ସମୀକ୍ଷା କରିଥିଲେ। ୨୦୧୨ ମସିହାରୁ ଏସ୍‌ସିବିରେ ଯକୃତ ପ୍ରତିରୋପଣ ୟୁନିଟ୍‌ ଖୋଲିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲେ ହେଁ ତାହା ଏ ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ହୋଇପାରିନାହିଁ। ଏହାକୁ କାର୍ଯ୍ୟକ୍ଷମ କରିବା ଲାଗି ସବୁ ସମସ୍ୟାକୁ ଦୂର କରି ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବା ଲାଗି ଶ୍ରୀ ଦାସ ଜୋର୍‌ ଦେଇଛନ୍ତି। ଏହାସହ କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାର ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଜମି ସମସ୍ୟା ନେଇ ମଧ୍ୟ ଆଲୋଚନା ହୋଇଛି। ଏସବୁ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ବା ସଂପ୍ରସାରଣ ସହ ନୂତନ ସ୍ବାସ୍ଥ୍ୟ ଅନୁଷ୍ଠାନ ଖୋଲିବା ପାଇଁ ଜମିର ଯାହା ଆବଶ୍ୟକତା ରହିଛି ଓ ଯେଉଁ ଜମି ମିଳିଛି, ତାହାକୁ ତୁରନ୍ତ ଦଖଲକୁ ନେଇ କାର୍ଯ୍ୟ ଆରମ୍ଭ ପାଇଁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ରାଜ୍ୟ ଔଷଧ ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦା, ନିଗମର ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ, ବିଭାଗର ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ବତନ୍ତ୍ର ସଚିବ ଶରତ ଚନ୍ଦ୍ର ମିଶ୍ର, ଏସ୍‌ସିବିର ଅଧ୍ୟକ୍ଷା ପ୍ରଫେସର୍‌ ଜୟଶ୍ରୀ ମହାନ୍ତି, ଅଧ୍ୟକ୍ଷ ପ୍ରଫେସର୍‌ ସି.ବି.କେ ମହାନ୍ତି, ବିଭାଗୀୟ ମୁଖ୍ୟ ପ୍ରଫେସର୍‌ ଶରତ ଚନ୍ଦ୍ର ଜୟସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟାନ୍ୟ ପଦାଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର