କଟକ: କଟକ ବଡ଼ ଡାକ୍ତରଖାନାରେ ଯକୃତ (ଲିଭର୍) ପ୍ରତିରୋପଣ ବ୍ୟବସ୍ଥାକୁ ଝଟ୍କା ଲାଗିଛି। ଯକୃତ ପ୍ରତିରୋପଣର ୬ ମାସରେ ନୟାଗଡ଼ର ମାନସ ମୁଦୁଲି ଏସ୍ସିବି ସେଣ୍ଟ୍ରାଲ ଆଇସିୟୁରେ ଆଜି ଆଖି ବୁଜିଛନ୍ତି। ଏପଟେ ୫ମାସ ହେଲା ହାଇଦ୍ରାବାଦ୍ସ୍ଥିତ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି (ଏଆଇଜି) ଟିମ୍ ମଧ୍ୟ ଏସ୍ସିବି ଆସୁନାହାନ୍ତି। ଯାହାଫଳରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ଏସ୍ସିବି ଯକୃତ ପ୍ରତିରୋପଣ ବ୍ୟବସ୍ଥା। ଓପିଡି ବି ଏକପ୍ରକାର ବନ୍ଦ ରହିଛି। ପାଖାପାଖି ୫୦ ଜଣ ରୋଗୀ ଯେଉଁମାନେ ଯକୃତ ପ୍ରତିରୋପଣ ପାଇଁ ପଞ୍ଜୀକରଣ କରିଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଆଖି ବୁଜିସାରିଲେଣି। ଅନ୍ୟପକ୍ଷରେ ସେପ୍ଟେମ୍ବରରେ ଯେଉଁ ୪ଜଣ ରୋଗୀଙ୍କୁ ଯକୃତ ପ୍ରତିରୋପଣ ପାଇଁ ଫିଟ୍ ବୋଲି ଏଆଇଜି ଟିମ୍ ଚିହ୍ନଟ କରିଥିଲା, ସେମାନେ ଏବେ ଆଶା ଆଶଙ୍କା ଭିତରେ ଅଛନ୍ତି। ଏସ୍ସିବି ଯକୃତ ପ୍ରତିରୋପଣ ବ୍ୟବସ୍ଥା ଓ ଓଟି ପାଇଁ ପାଖାପାଖି ୩୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏତେ ଟଙ୍କା ଖର୍ଚ୍ଚ ପରେ କେବଳ ୨ଟି ପ୍ରତିରୋପଣ ହୋଇଛି। ଏମ୍ଓୟୁ ଅନୁସାରେ ଏଆଇଜି ଟିମ୍ ଆସୁନଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିପାରୁ ନାହିଁ।
୫ ମାସ ହେଲା ଆସୁନାହାନ୍ତି ଏଆଇଜି ଟିମ୍, ଆଶଙ୍କାରେ ପଞ୍ଜୀକୃତ ରୋଗୀ
ଏସ୍ସିବିରେ ପ୍ରଥମ ଯକୃତ ପ୍ରତିରୋପଣ ଏପ୍ରିଲ ୩ତାରିଖରେ ହୋଇଥିଲା। ଯେଉଁଥିରେ ତିଗିରିଆର ମାନସ ବାରିକଙ୍କୁ ତାଙ୍କ ପତ୍ନୀ ରଶ୍ମିତା ଯକୃତ ଦାନ କରିଥିଲେ। ଏହାପରେ ୪ମାସ ପରେ ସେପ୍ଟେମ୍ବର ୯ରେ ଦ୍ବିତୀୟ ପ୍ରତିରୋପଣ କରାଯାଇଥିଲା। ନୟାଗଡ଼ର ମାନସ ମୁଦୁଲିଙ୍କୁ ତାଙ୍କ ପତ୍ନୀ ଛବି ଯକୃତ ଦାନ କରିଥିଲେ। ପ୍ରତିରୋପଣ ପରଠାରୁ ମାନସଙ୍କ ସ୍ବାସ୍ଥ୍ୟାବସ୍ଥା ବିଭିନ୍ନ ସମୟରେ ଖରାପ ରହୁଥିଲା। ତେବେ ଜାନୁଆରି ୨୧ରୁ ମାନସ ଏସ୍ସିବି ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ସେପ୍ଟେମ୍ବରରେ ଯେଉଁ ଦ୍ବିତୀୟ ପ୍ରତିରୋପଣ ହୋଇଥିଲା ତାପରଠାରୁ ଏଆଇଜି ଟିମ୍ ଏସ୍ସିବି ଆସିନାହାନ୍ତି। ଫଳରେ ଏସ୍ସିବି ଯକୃତ ପ୍ରତିରୋପଣ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ସଂକ୍ରମଣ ଯୋଗୁଁ ମାନସଙ୍କ ମୃତ୍ୟୁ ହୋଇଥିବା ଏସ୍ସିବି ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/13/VXdkZDQsh7AdWa7sTQww.jpg)