ଏସ୍‌ସିବିରେ ଲିଭର ପ୍ରତିରୋପଣ ବ୍ୟବସ୍ଥା

କଟକ : ରାଜ୍ୟରେ ସରକାରୀ ବ୍ୟବସ୍ଥାରେ କଟକ ବଡ଼ ମେଡିକାଲରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଲିଭର ପ୍ରତିରୋପଣ ବ୍ୟବସ୍ଥା ଆଜି ଆଉ ପାଦେ ଆଗେଇଛି। ଆଜି ହାଇଦ୍ରାବାଦ୍‌ର ଏସିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି (ଏଆଇଜି)ର ଏକ ୪ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଏସ୍‌ସିବି ଗସ୍ତରେ ଆସି ଭିତ୍ତିଭୂମି ଓ ବ୍ୟବସ୍ଥା ପରଖିବା ସହ ଏ କ୍ଷେତ୍ରରେ ରହିଥିବା ଆବଶ୍ୟକତା ପୂରଣ ପାଇଁ ପରାମର୍ଶ ଦେଇଛନ୍ତି। ଚିକିତ୍ସା, ତାଲିମ ବ୍ୟବସ୍ଥା ପାଇଁ କୋର କମିଟି ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହା ଏକ ଜରୁରିକାଳୀନ ୨୪ ଘଣ୍ଟିଆ ଚିକିତ୍ସା ସେବା ହୋଇଥିବାରୁ ଏଥିରେ ଆଗ୍ରହୀ ଡାକ୍ତର, କର୍ମଚାରୀଙ୍କୁ ଯୋଡ଼ିବା ପାଇଁ ପରାମର୍ଶ ଦେଇଛନ୍ତି।

ଏଆଇଜିର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀର ସମୀକ୍ଷା
ଚିକିତ୍ସା, ତାଲିମ ଓ କୋର୍‌ କମିଟି ଗଠନ ଉପରେ ଗୁରୁତ୍ୱ

ଏହି ପ୍ରତିନିଧିମଣ୍ଡଳୀ ଆଜି ଏସ୍‌ସିବିର ଓଟି, ଆଇସିୟୁ ଓ ହେପାଟୋଲୋଜି ଭିଭାଗ, ଲିଭର ପ୍ରତିରୋପଣ ପାଇଁ ଖୋଲା ଯାଇଥିବା ୱାର୍ଡକୁ ଯାଇ ରୋଗୀ ଓ ଡୋନରଙ୍କୁ ଭେଟିଥିଲେ। ବ୍ୟବସ୍ଥା ସମ୍ପର୍କରେ ଏସ୍‌ସିବିର ପ୍ରିନ୍ସିପାଲ ତଥା ଡିନ୍‌, ଅଧୀକ୍ଷକ, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଡିଏମଇଟି, ବରିଷ୍ଠ ବିଶେଷଜ୍ଞ ମାନଙ୍କ ସହ ଆଲୋଚନା କରିଥିଲେ। ପ୍ରତିନିଧି ଦଳ ୪ ଜଣ ରୋଗୀ ଓ ୪ ଜଣ ଡୋନରଙ୍କୁ ଭେଟିଥିବା ବେଳେ ୩ଜଣ  ରୋଗୀ ଓ ଡୋନରଙ୍କୁ ପ୍ରତିରୋପଣ ପାଇଁ ଯୋଗ୍ୟ ଥିବା ଚୟନ କରିଛନ୍ତି। ସେମାନଙ୍କର ଚିକିତ୍ସା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ଯେଉଁ ମାନେ ପୂର୍ବରୁ ଏ ସଂକ୍ରାନ୍ତରେ ତାଲିମ ନେଇଥିଲେ ସେମାନଙ୍କୁ ଏକାଠି କରି କୋର୍‌ କମିଟି ଗଠନ ସହ ଚିକିତ୍ସା, ତାଲିମ ଉପରେ ଗୁରୁତ୍ୱ ଦେଇଛନ୍ତି।

ଏଆଇଜିର  ଲିଭର ପ୍ରତିରୋପଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ପି. ଵାଲାଚନ୍ଦ୍ରନ, ଡାକ୍ତର ଜି.ଭି. ପ୍ରେମ କୁମାର, ଡାକ୍ତର ଶକ୍ତି ସ୍ୱରୂପ, ଭାଇସ ପ୍ରେସିଡେଣ୍ଟ ସନ୍ତୋଷ . କେ ସାହୁଙ୍କ ସମେତ ଅତିରିକ୍ତ ଡିଏମଇଟି ଡାକ୍ତର ଉମାକାନ୍ତ ଶତପଥୀ, ଏସ୍‌ସିବି ଡିନ୍‌ ତଥା ପ୍ରିନ୍‌ସିପାଲ ପ୍ରଫେସର ଡାକ୍ତର ପ୍ରସେନଜିତ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ଭାଇସ ପ୍ରିନ୍‌ସିପାଲ ପ୍ରଫେସର ଡାକ୍ତର ବନ ବିହାରୀ ମିଶ୍ର, ପ୍ରଫେସର ଡାକ୍ତର ଦେବ ପ୍ରସାଦ ମହାନ୍ତି, ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର, ଆସୋସିଏଟ ପ୍ରଫେସର ଡାକ୍ତର ସମୀର ସ୍ବାଇଁ, ଆସୋସିଏଟ ପ୍ରଫେସର ଡାକ୍ତର ଏସ.ସି . ଜୟସିଂ, ଆସୋସିଏଟ ପ୍ରଫେସର ଡାକ୍ତର ସ୍ମିତା ମହାପାତ୍ର, ଡାକ୍ତର ଶାନ୍ତି ଦାସ ପ୍ରମୁଖ ଆଲୋଚନାରେ ସାମିଲ ହୋଇଥିଲେ। କିନ୍ତୁ ନିର୍ଦ୍ଦି‌ଷ୍ଟ ଭାବେ ଏହା କେବେ ଠାରୁ ଆରମ୍ଭ ହେବ ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର