ଚାଷୀଙ୍କ ଆୟ ବୃଦ୍ଧିରେ ପ୍ରାଣୀପାଳନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି : ମନ୍ତ୍ରୀ

ଭୁବନେଶ୍ବର : ଚାଷୀମାନଙ୍କ ଆୟ ବୃଦ୍ଧି ଦିଗରେ ପ୍ରାଣୀପାଳନର ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଛି। ଗ୍ରାମାଞ୍ଚଳରେ ଏହା ଜୀବିକା ନିର୍ବାହର ଏକ ମାର୍ଗ ହୋଇଥିଲା ବେଳେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟର ମୁଖ୍ୟ ଅଂଶ ପଶୁପାଳନ ଦ୍ବାରା ହୋଇଥାଏ। ପ୍ରାଣୀସମ୍ପଦ କ୍ଷେତର ଅଭିବୃଦ୍ଧି ନିମନ୍ତେ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫-ଟି ଓ ‘ମୋ ସରକାର’କୁ କଡ଼ାକଡ଼ି ଭାବେ ଅନୁପାଳନ କରି ଯୋଜନାଗୁଡ଼ିକର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ କୃଷି, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି କୃଷି ଭବନରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ପ୍ରାଣୀସମ୍ପଦ ବିକାଶ ସମ୍ପର୍କରେ ଆୟୋଜିତ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସାହୁ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ମନ୍ତ୍ରୀ କହିଲେ ଯେ ଓଡ଼ିଶା ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିଲା ବେଳେ ଏଥିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି। ଏପରି କ୍ଷେତ୍ରରେ ପ୍ରାଣୀସମ୍ପଦର ଯତ୍ନ ଓ ଅଭିବୃଦ୍ଧି ନିମନ୍ତେ ସିଡିଭିଓମାନଙ୍କର ସମୟୋଚିତ ପଦକ୍ଷେପର ଆବଶ୍ୟକତା ରହିଛି। ବିଗତ ୨୦ ବର୍ଷ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ପ୍ରାଣୀସମ୍ପଦ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ସମୁଚିତ ପଦକ୍ଷେପ ଓ ଯୋଜନା ପ୍ରଣୟନ ଯୋଗୁ ରାଜ୍ୟରେ ଅଣ୍ଡା, ମାଂସ, ଦୁଗ୍ଧ ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଏହା ଦ୍ବାରା ଚାଷୀମାନଙ୍କ ଆୟରେ ମଧ୍ୟ ବୃଦ୍ଧି ହୋଇଛି। ରାଜ୍ୟ ସରକାର କୃଷକମାନଙ୍କ ଆୟ ଦ୍ବିଗୁଣିତ ଓ ବହୁଗୁଣିତ କରିବା ନିମନ୍ତେ ଲକ୍ଷ୍ୟ ରଖିଥିଲା ବେଳେ କୃଷି ସହିତ ଗୋପାଳନ, କୁକୁଡ଼ା ପାଳନ ଆଦି କାର୍ଯ୍ୟ ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଧିକରୁ ଅଧିକ ଉଦ୍ୟୋଗୀ ସୃଷ୍ଟି ଦିଗରେ ସିଡିଭିଓମାନେ ତତ୍ପରତା ପ୍ରକାଶ କରି ଏଥି ନିମନ୍ତେ ଆବେଦନ ପତ୍ର ଯାଞ୍ଚ୍‌ ଓ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଶ୍ରୀ ସାହୁ କହିଥିଲେ। କୋଭିଡ୍‌-୧୯ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ ସ୍ବତନ୍ତ୍ର ପ୍ୟାକେଜ୍‌କୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ସହିତ ରାଜ୍ୟ ଯୋଜନାର ଆବଣ୍ଟିତ ଅର୍ଥ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ବିନିଯୋଗ କରିବା ପାଇଁ ଅଧିକାରମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ କୃଷି ଉତ୍ପାଦନ କମିସନର୍‌ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କହିଥିଲେ ଯେ ସାମ୍ପ୍ରତିକ ପରିସ୍ଥିତିରେ କୃଷକମାନଙ୍କ ଆ‌ୟ ବୃଦ୍ଧି ନିମନ୍ତେ ପ୍ରାଣୀପାଳନ ଅପରିହାର୍ଯ୍ୟ ହୋଇପଡ଼ିଛି। ଏଥି ନିମନ୍ତେ ରାଜ୍ୟ ସରକାର ଅନେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାର ସଫଳ ରୂପାୟନ ଦିଗରେ ସିଡିଭିଓ ଓ କ୍ଷେତ୍ର ଅଧିକାରୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ସଚିବ ଆର୍‌ ରଘୁପ୍ରସାଦ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ୍‌-୧୯ ପ୍ୟାକେଜ୍‌, ଜାତୀୟ ପ୍ରାଣୀଧନ ମିସନ୍, ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ପରିଷଦ ଅନ୍ତର୍ଗତ ସମସ୍ତ ପ୍ରାଣୀପାଳନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଉପରେ ଗୁରୁତ୍ବାରୋପ କରିଥିଲେ। ବୈଠକରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରତ୍ନାକର ରାଉତ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର