ଓଡ଼ିଶାରେ ରହୁଛନ୍ତି, କାମ କରୁଛନ୍ତି ଆନ୍ଧ୍ରର

କୋଟିଆରେ ମୁଣ୍ଡବିନ୍ଧା ସାଜିଛନ୍ତି ଆନ୍ଧ୍ର ଏଜେଣ୍ଟ, ଏଜେଣ୍ଟଙ୍କ ମାସିକ ଭତ୍ତା ୧୦ ହଜାର ଟଙ୍କା

କୋରାପୁଟ : ଓଡ଼ିଶାରେ ରହୁଛନ୍ତି କିନ୍ତୁ ପଡ଼ିଶାର ଗୁଣ ଗାଉଛନ୍ତି। ଟଙ୍କା ଲୋଭରେ ଓଡ଼ିଶା ପ୍ରତି ବିଶ୍ବାସଘାତ କରିବାକୁ ବି ପଛାଉନାହାନ୍ତି। ଆନ୍ଧ୍ର ଦ୍ବାରା ନିଯୁକ୍ତ ଏହି ହାତଗଣତି ଏଜେଣ୍ଟ ହିଁ ନୂଆ ନୂଆ ବିବାଦର ସୂତ୍ରଧର ସାଜିଛନ୍ତି। ଯାହାଫଳରେ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘ ବର୍ଷ ହେଲା ଲାଗି ରହିଥିବା କଳି କ୍ରମଶଃ ଜଟିଳ ହେବାରେ ଲାଗିଛି। ଏହି ଅଞ୍ଚଳର ଟିକିନିକି ଖବର ଆନ୍ଧ୍ର ପ୍ରଶାସନ ନିକଟରେ ପହଞ୍ଚାଉଛନ୍ତି ଏହି ‌ଏଜେଣ୍ଟ। କେଉଁ ଗାଁରେ କଣ ହେଉଛି, ଗାଁ ଲୋକ କଣ ଚାହୁଛନ୍ତି ତାହାର ବିବରଣୀ ମଧ୍ୟ ନିୟମିତ ଭାବେ ଦେଉଛନ୍ତି। ଯାହାକି ଏବେ କୋରାପୁଟ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।

Mycitylinks

କୋଟିଆ ପଞ୍ଚାୟତର ୨୨ଗ୍ରାମପୁଞ୍ଜଙ୍କୁ ନେଇ ୫୦ବର୍ଷରୁ ଊର୍ଦ୍ଧ୍ବ ହେଲା ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି। କିନ୍ତୁ ଓଡ଼ିଶାର ଦୃଢ଼ ପ୍ରତିବାଦ ଯୋଗୁ ବିବାଦ କରି ପରବର୍ତ୍ତୀ ମୁହୂର୍ତ୍ତରେ ଚୁପ୍‌ ରହିବାକୁ ବାଧ୍ୟ ହେଉଥିଲା ଆନ୍ଧ୍ର। କିନ୍ତୁ ଗତ କିଛି ମାସ ହେଲା ଏହି ଅଞ୍ଚଳରେ ଆନ୍ଧ୍ରର ସକ୍ରିୟତା ବଢ଼ିଛି। ଆଉ ଏହା ପଛରେ ରହିଛନ୍ତି କିଛି ଏଜେଣ୍ଟ। ପୂର୍ବରୁ ଆନ୍ଧ୍ରର ମାତ୍ର ୩ଜଣ ଏଜେଣ୍ଟ ଏହି ଅଞ୍ଚଳରେ ରହିଥିଲେ। ବର୍ତ୍ତମାନ ଏହି ଏଜେଣ୍ଟଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଏପରିକି ପ୍ରତି ଗାଁ ପାଇଁ ଜଣେ ଜଣେ ଏଜେଣ୍ଟଙ୍କୁ ଦାୟିତ୍ବ ଦେଇଛି ଆନ୍ଧ୍ର ପ୍ରଶାସନ। ଆନ୍ଧ୍ର ପାଇଁ ସୂଚନାଦାତା ସାଜିଥିବା ଏହି ଏଜେଣ୍ଟଙ୍କୁ ମାସିକ ଭତ୍ତା ୧୦ହଜାର ଟଙ୍କା ସହ ଅନ୍ୟାନ୍ୟ ସରକାରୀ ସୁବିଧା ବି ମିଳୁଛି। ଓଡ଼ିଶାରେ ରହୁଥିବାରୁ ଓଡ଼ିଶା ସରକାରଙ୍କ ସୁବିଧା ସୁଯୋଗ ମଧ୍ୟ ପାଉଛନ୍ତି। କିନ୍ତୁ ଆନ୍ଧ୍ରକୁ ସବୁବେଳେ ସମର୍ଥନ କରି ଆସୁଛନ୍ତି। ଗ୍ରାମବାସୀଙ୍କୁ ପ୍ରଲୋଭିତ କରୁଛନ୍ତି, ଯଦି ଏଥିରେ ସଫଳ ହେଉ ନାହାନ୍ତି ତେବେ ଦ୍ବନ୍ଦ୍ବ ସୃଷ୍ଟି କରି ଓଡ଼ିଶା ସରକାରଙ୍କ ବିରୋଧରେ ମତାଉଛନ୍ତି। ଅନ୍ୟପଟେ ଦୁଇ ରାଜ୍ୟରୁ ସରକାରୀ ସୁବିଧା ମିଳୁଥିବାରୁ ଏଭଳି ‌ଏଜେଣ୍ଟ ସାଜିବାକୁ ବିବାଦୀୟ ଅଞ୍ଚଳର ଅନେକ ଯୁବକ ପ୍ରୟାସ କରୁଥିବା ବି ସୂଚନା ମିଳୁଛି। ଗତକାଲି ବି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଏହି ଅଞ୍ଚଳରେ ଗ୍ରାମସଭା କରିବା ପଛରେ ଏହି ଏଜେଣ୍ଟମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ଆନ୍ଧ୍ର କଥାରେ ପଡ଼ି ଓଡ଼ିଶାର ଉନ୍ନୟନ କାମକୁ ଗ୍ରାମବାସୀଙ୍କୁ ପ୍ରବର୍ତ୍ତାଇ ବନ୍ଦ କରିବାକୁ ଏମାନେ ପ୍ରୟାସ କରୁଥିବା ଶୁଣିବାକୁ ମିଳୁଛି।

କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ବଢ଼ିବା ପରେ ରାଜ୍ୟ ସରକାର ବିରାଟ ପରିକଳ୍ପନା ଏହି ଅଞ୍ଚଳ ପାଇଁ କରିଛନ୍ତି। ୧୫୦କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପ ଚାଲିଛି। ଏଥିରେ ପୋଲ, ଡାକ୍ତରଖାନା, ବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟ ସହ ହଷ୍ଟେଲ ଆଦି ନିର୍ମାଣ ହେଉଛି। ଅନ୍ୟପଟେ ଆନ୍ଧ୍ର ପକ୍ଷରୁ ଅଞ୍ଚଳର ବିକାଶ ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ। ଲୋକଙ୍କୁ କେବଳ ଟଙ୍କା ଏବଂ ଜିନିଷ ଦେଇ ପ୍ରଲୋଭିତ କରିବାକୁ ଚେଷ୍ଟା କରାଯାଉଛି। ଯଦି ଅଞ୍ଚଳର ବିକାଶ ହୋଇଯିବ, ମୌଳିକ ସୁବିଧା ଲୋକଙ୍କୁ ମିଳିବ, ଲୋକେ ଶିକ୍ଷିତ ତଥା ସଚେତନ ହୋଇଯିବେ ଆଉ ଆନ୍ଧ୍ର ଉପରେ ଭରସା କରିବେ ନାହିଁ। ଚକ୍ରାନ୍ତକୁ ବୁଝିଗଲେ ଅନୁପ୍ରବେଶ ବନ୍ଦ ହୋଇଯିବାର ଭୟ ଆନ୍ଧ୍ରକୁ ଘାରିଛି। ତେଣୁ ଏହି ଏଜେଣ୍ଟଙ୍କ ଜରିଆରେ କୋଟିଆର ବିକାଶରେ ବାଧା ସୃଷ୍ଟି କରାଯାଉଛି। ଗତ ପଞ୍ଚାୟତ ନିର୍ବାଚନ ସମୟରେ ଏହି ଏଜେଣ୍ଟ ଏବଂ ସେମାନେ କରିଥିବା କାରସାଦି ସାମ୍ନାକୁ ଆସିଥିଲା। ଏହାପରେ ଓଡ଼ିଶା ବିରୋଧରେ ଷଡ଼୍‌ଯନ୍ତ୍ର କରୁଥିବା ଏହି ଏଜେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଏ ନେଇ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ୍‌ ଅଖତର କହିଛନ୍ତ ଯେ, ଆମେ କିଛି ଲୋକଙ୍କୁ ଚିହ୍ନଟ କରିଛୁ। ସମୟ ଆସିଲେ ପଦପେକ୍ଷ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର