ଲିଜା ଡାକୁଆ ହତ୍ୟା ମାମଲା: ଫେରାର ଅଭିଯୁକ୍ତ ଗିରଫ

ଟିଟିଲାଗଡ଼: ଟିଟିଲାଗଡ଼ ହାଟପଦା ପଡ଼ାର ଟାଙ୍ଗର ପଡ଼ାରେ ୨୦୨୧ ଜୁଲାଇ ୨୩ ତାରିଖ ଘଟିଥିବା ଲିଜା ଡାକୁଆ ହତ୍ୟା ମାମଲାର ଫେରାର ଅଭିଯୁକ୍ତ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ହେଲା ଅହିମ ଖାନ୍। ତ୍ରିକୋଣୀୟ ପ୍ରେମ ସଂପର୍କରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ତଦନ୍ତରୁ ଜାଣି ପାରିଛି।

ପୁଲିସର ସୂଚନା ଅନୁସାରେ, ଟାଙ୍ଗରପଡ଼ାରେ ଲିଜା ଏକ ଭଡ଼ାଘରେ ରହୁଥିଲେ। ସେତେବେଳେ‌ ଅହିମ ଖାନ ସହିତ ତାଙ୍କ ପ୍ରେମ ସଂପର୍କ ଗଢ଼ିଉଠିଥିଲା। ହେଲେ ଅହିମର ଆଉଜଣେ ବନ୍ଧୁ ମଧ୍ୟ ଲିଜାଙ୍କୁ ପ୍ରେମ ନିବେଦନ କରିବା ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲା। ଘଟଣା ଦିନ ଅହିମ ଖାନ ଲିଜା ସହ ଘରେ ଏକୁଟିଆ ଥିବା ସମୟରେ ଅନ୍ୟ ପ୍ରେମିକର ନମ୍ବରରୁ ଲିଜାଙ୍କ ମୋବାଇଲକୁ ହ୍ବାଟ୍‌ସଅପ୍‌ ମେସେଜ ଆସିଥିଲା। ଏହାକୁ ନେଇ ଅହିମ ରାଗିଯାଇ ଲିଜାଙ୍କୁ ହତ୍ୟା କରିଥିଲା।

ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲା। ମୃତ ଲିଜାଙ୍କ ମୋବାଇଲରୁ ସିମକାର୍ଡ କାଢ଼ି ଘର ଭିତରେ ଫିଙ୍ଗି ଦେଇ ମୋବାଇଲ ଧରି ଚମ୍ପଟ ମାରିଥିଲା। ତେଣୁ ପୁଲିସ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଆରମ୍ଭରୁ ସନ୍ଦେହ କରି ତଦନ୍ତ କରୁଥିଲା। ଦୁଇଜଣ ପ୍ରେମିକ ରହିଥିବା ପୁଲିସ ଜାଣିପାରୁ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରିଥିଲା। ହେଲେ ଅଭିଯୁକ୍ତ ଅହିମ ଫେରାର ମାରିଥିଲା। ଇତିମଧ୍ୟରେ ପୁଲିସ ଅହିମକୁ ଧରିବା ପରେ ସେ ସବୁ ସତ ଓଗାଳିଛି। ମାମଲାକୁ ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀ ନିଜେ ତଦନ୍ତ କରି ଅଭିଯୁକ୍ତ ଅହିମକୁ ଗିରଫ କରିବା ସହ କୋର୍ଟଚାଲାଣ କରିଛନ୍ତି।

ସମ୍ବନ୍ଧିତ ଖବର