ଭୁବନେଶ୍ବର: ଆଜିକାଲି କେଶସଜ୍ଜା ପାଇଁ ଉଭୟ ଯୁବକ ଓ ଯୁବତୀମାନେ ଯଥେଷ୍ଟ ସମୟ ଓ ଅର୍ଥ ଖର୍ଚ୍ଚ କରୁଥିବାବେଳେ ଏ ବାବଦରେ ଯୁବତୀମାନେ ଟିକେ ଆଗୁଆ। କିଶୋରୀଙ୍କଠାରୁ ଆରମ୍ଭକରି ମଧ୍ୟବୟସ୍କା ମହିଳାଙ୍କ ପର୍ଯ୍ୟନ୍ତ ଅନେକଙ୍କର କେଶକୁ ନେଇ ଭାରି ସଉକ ରହିଛି। କିନ୍ତୁ ଲିଜା ନାୟକଙ୍କ କଥା ନିଆରା। ଲିଜା ପୁରୀ ଜିଲ୍ଲା କାକଟପୁର ଅଞ୍ଚଳ ଗମ୍ଭାରିପଦା ଗ୍ରାମର ମାୟାଧର ନାୟକ ଓ ବିଷ୍ଣୁପ୍ରିୟାଙ୍କ ମଝିଆଁ ଝିଅ। ସ୍ନାତକ ଶିକ୍ଷା ଶେଷ ପରେ ସେ ଏବେ କମ୍ପିଟିଟିଭ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି।

Advertisment

ଦୁଇବର୍ଷ ତଳେ ଟେଲିଭିଜନ୍‌ରେ ଦେଖିଥିବା ଗୋଟିଏ ଖବର ଲିଜାଙ୍କ ଜୀବନରେ ଏକ ନୂଆମୋଡ ଆଣିଥିଲା। କ୍ୟାନସର ରୋଗୀଙ୍କ ମାନସିକ ଅବସାଦ ଦୂରପାଇଁ କିଛି ଲୋକ କେଶଦାନ କରୁଥିବା ଖବର ସେ ଟିଭିରେ ଦେଖିଥିଲେ। ବାସ୍‌ ସେବେଠାରୁ କ୍ୟାନସର ରୋଗୀଙ୍କ ପାଇଁ ନିଜ କେଶ ଦାନକରି ତାଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେ ସଂକଳ୍ପ ନେଇଥିଲେ। ସେବେଠାରୁ ସେ ନିଜ କେଶର ଅଧିକ ଯତ୍ନ ନେବା ଆରମ୍ଭ କରିଥିଲେ। ଘରଲୋକ ପ୍ରଥମେ ମନା କରୁଥିଲେ ବି ତାଙ୍କର ଆଗ୍ରହ ଦେଖି ସହମତି ଦେଇଥିଲେ। ତାଙ୍କ କେଶ ଦାନ କରିବା ପାଇଁ ଉପଯୁକ୍ତ ଲମ୍ବର ହୋଇଯିବାପରେ ଗାଁରୁ ଭୁବନେଶ୍ୱର ଆସି ଲିଜା କେଶ ଦାନ କରିଛନ୍ତି। କ୍ୟାନ୍‌ସର ରୋଗୀଙ୍କ ୱିଗ୍ ତଥା କେଶଦାନ ପ୍ରସଙ୍ଗରେ କାମ କରୁଥିବା ସ୍ବେଚ୍ଛାସେବୀ ସଂସ୍ଥା ‘ସୋସିଆଲ୍‌ ଅର୍ଗାନାଇଜେସନ୍‌ ଫର୍‌ ପ୍ରଫେସନାଲ୍‌ ଭଲ୍ୟୁଣ୍ଟିଅର ଆକ୍ସନ’ ତାଙ୍କ କେଶ ଗ୍ରହଣ କରିଛନ୍ତି। ଏହି କେଶରେ ୱିଗ ତିଆରିକରି କୌଣସି କ୍ୟାନସର ରୋଗୀଙ୍କୁ ଦିଆଯିବ।

ସୂଚନାଯୋଗ୍ୟ ଯେ କ୍ୟାନସର ଆକ୍ରାନ୍ତଙ୍କୁ କେମୋ ଚିକିତ୍ସା କରାଯାଏ। ଏହାଯୋଗୁ ସେମାନଙ୍କର କେଶ ଝଡ଼ିଯାଏ। ଫଳରେ ସେମାନେ ମାନସିକ ଅବସାଦର ଶିକାର ହୁଅନ୍ତି। ଲିଜାଙ୍କ ଏହି କାମ ପାଇଁ ତାଙ୍କୁ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷ ଶୁଭେଚ୍ଛା ଜଣାଇଛନ୍ତି। ଲିଜା ଜଣେ ଭଲ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖିଛନ୍ତି। କେଶଦାନ କରି ସେ ବହୁତ ଖୁସି ଅଛନ୍ତି ବୋଲି କହନ୍ତି। ଆହୁରି କହନ୍ତି, କେଶ ବଡ଼ ହୋଇଗଲେ ସେ ଆଉଥରେ କେଶଦାନ କରିବେ।