ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୮୦ ଛାତ୍ରଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ : ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ଆଜି ଭଦ୍ରକ ସଦର ବ୍ଲକ କେଦାରପୁର ପ୍ରାଥମିକ ବିଦ୍ୟାଳୟର ୮୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, କେଦାରପୁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ବେଳେ ଖାଦ୍ୟରେ ଏକ ଝିଟିପିଟି ପଡ଼ିଥିବା ପିଲାମାନେ ଦେଖିବାକୁ ପାଇଥିଲେ। ସେତେବେଳକୁ ଅଧିକାଂଶ ପିଲା ଖାଇ ସାରିଥିବା ବେଳେ ଅଳ୍ପ କେତେକ ଖାଇ ନ ଥିଲେ। ଖାଦ୍ୟରେ ଝିଟିପିଟି ପଡ଼ିଥିବା ଶୁଣିବା ପରେ ଛାତ୍ରଛାତ୍ରୀଙ୍କର ମୁଣ୍ଡ ବୁଲାଇଥିଲା। କେତେକ ଛାତ୍ରଛାତ୍ରୀ ବାନ୍ତି ମଧ୍ୟ କରିଥିଲେ। ଜଣଙ୍କ ପରେ ଜଣେ ଅସୁସ୍ଥ ହେବା ଦେଖି ପ୍ରଧାନଶିକ୍ଷକ ଜନ୍ମେଜୟ ପଣ୍ଡା ଓ ସ୍ଥାନୀୟ ଅଭିଭାବକ ଛାତ୍ରଛାତ୍ରୀମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୪୭ ଜଣ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେ‌ଳେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୩୩ ଜଣ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅଧିକାଂଶ ଛାତ୍ରଛାତ୍ରୀ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବାବେଳେ ଆଉ କେତେକ ଛାତ୍ରଛାତ୍ରୀ ଚିକିତ୍ସାଧୀନ ଅଛନ୍ତି। ଖବର ପାଇ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଡାକ୍ତରଖାନା ଆସି ଅସୁସ୍ଥ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆର୍ଯ୍ୟ ମିଶ୍ରଙ୍କ ସହ ଆଲୋଚନା କରିଥିଲେ। ଘଟଣାସ୍ଥଳରେ ଭଦ୍ରକ ବିଇଓ ଶମ୍ଭୁନାଥ ପାଣିଗ୍ରାହୀ, ବିଡିଓ ଉମେଶ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ। ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ଏଭଳି ଅବ୍ୟବସ୍ଥାକୁ ନେଇ ଅନେକ ଅଭିଭାବକ କ୍ଷୋଭ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର