ଚିଲିକା ଉପରେ ବେଆଇନ ହେଲିକପ୍ଟର ଉଡାଇବା ଘଟଣା: ପୁଲିସ ନିକଟରେ ହାଜର ହେବା ପାଇଁ ବୈଜୟନ୍ତଙ୍କୁ ନୋଟିସ୍‌

ଭୁବନେଶ୍ୱର: ଚିଲିକା ଉପରେ ବେଆଇନ ଭାବେ ହେଲିକପ୍ଟର ଉଡାଇବା ମାମଲାରେ ପୂର୍ବତନ ସାଂସଦଙ୍କ ସହ ୨ ଯାତ୍ରୀଙ୍କୁ ମଧ୍ୟ ନୋଟିସ କରିଛି ପୁରୀ ପୋଲିସ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ଅଭିଯୋଗ ଆଧାରରେ ପୋଲିସ ଡିଜିସିଏ ଠାରୁ ତଥ୍ୟ ମାଗିଥିଲା ଏବଂ ୧୫ ତାରିଖ ସକାଳ ସାଢେ ୮ଟାରୁ ସାଢେ ଗୋଟାଏ ମଧ୍ୟରେ କେବଳ ବୈଜୟନ୍ତଙ୍କ ହେଲିକପ୍ଟଟକୁ ଏହି ଅଞ୍ଚଳରେ ଉଡାଣ ଅନୁମତି ମିଳିଥିବା ଜଣାପଡ଼ିଥିଲା । ସେହି ଆଧାରରେ ଇମ୍ଫାର ହେଙ୍ଗର ବା ବିମାନ ପାର୍କିଂ ଏରିଆକୁ ସିଲ୍‌ କରାଯାଇଛି । ଚିଲିକାର କେତେ ଉଚ୍ଚରେ ହେଲିକପ୍ଟରଟି ଉଡୁଥିଲା ତାହା ବିମାନର ବ୍ଲାକ୍‌ ବକ୍ସରୁ ଜଣାପଡ଼ିବ।

ଚିଲିକାର ଖୁବ କମ୍‌ ଉଚ୍ଚତାରେ ହେଲିକପ୍ଟଟ ଉଡିବା ନେଇ ଚିଲିକା ଉନ୍ନୟନ କର୍ତୃପକ୍ଷ କରିଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ କହିଛନ୍ତି ଯେ, ହୋଇଥିବା ଅଭିଯୋଗର ତଦନ୍ତ କରୁଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଚିଲିକାର ନୋ ଫ୍ଲାଇଙ୍ଗ ତଥା ଇକୋ ସେନ୍‌ସିଟିଭ ଜୋନରେ ଉଡ଼ିବା ନେଇ ଯେଉଁ ଅଭିଯୋଗ ସାମ୍ନାକୁ ଆସିଥିଲା, ସେ ପ୍ରସଙ୍ଗରେ ସ୍ପଷ୍ଟ କରିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ।

ସେ କହିଛନ୍ତି ବୈଜୟନ୍ତଙ୍କ ହେଲିକପ୍ଟର ଉଡାଣ ପାଇଁ ଅନୁମତି ନେଇ ସକାଳ ୮ଟା ୪୬ରୁ ବାହାରିଥିଲା ଓ ୧ଟା ୨୬ରେ ଭୁବନେଶ୍ୱରରୁ ରାଜହଂସ, ପୁରୀ, କୋଣାର୍କ, ଗରଦପୁର, ଜଗନ୍ନାଥପୁର ଦେଇ ପୁଣି ଭୁବନେଶ୍ୱର ଫେରିଥିଲା ।

ସେପଟେ ସିଡିଏର ଏତଲା ଆଧାରରେ ପୋଲିସ ନିକଟରେ ହାଜର ହେବାଲାଗି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ତାଙ୍କ ସହଯାତ୍ରୀଙ୍କୁ ନୋଟିସ କରିଛି ପୁରୀ ପୁଲିସ। ଅନୁମତି ନ ଥାଇ ଚିଲିକାର ଅଳ୍ପ ଉଚ୍ଚତାରେ ଚୋପର ଉଡାଇବା ଅଭିଯୋଗରେ ହାଜର ହେବାକୁ ନୋଟିସ କରାଯାଇଛି ।

ସମ୍ବନ୍ଧିତ ଖବର