ଲୋନ୍ ଆପ୍‌ରେ ଠକେଇ ମାମଲା: ଠକ ନୀତିନ୍‌ର ଜାମିନ୍‌ ଖାରଜ, ରିମାଣ୍ଡରେ ନେଲା ମୁମ୍ବାଇ ପୁଲିସ

ଭୁବନେଶ୍ବର : ବେଆଇନ୍ ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେବା ମାମଲାରେ ଗିରଫ ହୋଇଥିବା ଗୁଡ୍ ଷ୍ଟାର୍ଟ ବିଜିନେସ୍‌ ସର୍ଭିସେସ୍‌ର ନିର୍ଦ୍ଦେଶକ ନୀତିନ ମଲିକର ଜାମିନ ଖାରଜ ହୋଇଯାଇଛି। ଭୁବନେଶ୍ବର ଏଡିଜେ-୨ ମାଜିଷ୍ଟ୍ରେଟ୍‌ ଏହି ମାମଲାର ଶୁଣାଣି କରି ଧୂର୍ତ୍ତ ନୀତିନ୍‌ର ଜାମିନ ଆବଦେନକୁ ଖାରଜ କରିଛନ୍ତି। ଏହାସହ ମୁମ୍ବାଇ ପୁଲିସ ନୀତିନକୁ ଟ୍ରାନ୍‌ଜିଟ୍ ରିମାଣ୍ଡରେ ନେଇଛି। ଭୁବନେଶ୍ବର କ୍ରାଇମ୍‌ବ୍ରାଞ୍ଚ ଅଭିଯୁକ୍ତ ନୀତିନ୍‌କୁ ପଚରାଉଚରା କରିସାରିଛି ଓ ଏଣିକି ମୁମ୍ବାଇ ପୁଲିସ ତାକୁ ଜେରା କରିବ।

ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ନୀତିନ ଥିଲା କୁଖ୍ୟାତ ଚାଇନା ଠକ ଲିୟୁ ୟି ପରିଚାଳିତ ରୢାକେଟ୍‌ର ଏକ ପ୍ରମୁଖ ଅଙ୍ଗ। ଲିୟୁର ଅନ୍ୟତମ ଚାଇନା ଠକ ଟୋନିସିନ୍‌ ସହ ହାତ ମିଳାଇ ନୀତିନ୍‌ ଗୁଡ୍‌ଷ୍ଟାର୍ଟ ବିଜିନେସ୍‌ ସର୍ଭିସେସ୍‌ ନାଁରେ ଏକ ଆପ୍‌ ଗଢ଼ିଥିଲା। ପ୍ରକୃତରେ ଏହି ଆପ୍‌କୁ ଟୋନିସିନ୍‌ ପରିଚାଳନା କରୁଥିଲା ଓ ନୀତିନ୍‌ ତା’ଠାରୁ ମାସିକ ୭୦ ହଜାର ଟଙ୍କା ପାଉଥିଲା। ଏହି ଲୋନ୍ ଆପ୍‌ ଜରିଆରେ ସେମାନେ ଶହ ଶହ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ ଭୁବନେଶ୍ବର ଓ ମୁମ୍ବାଇ ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଜୁଲାଇ ୧୫ରେ ଭୁବନେଶ୍ବର କ୍ରାଇମ୍‌ବ୍ରାଞ୍ଚ ଦିଲ୍ଲୀରୁ ନୀତିନ୍‌କୁ ଉଠାଇଥିଲା ଓ ତା’ ଅଫିସରୁ ଲାପଟପ୍‌, ମୋବାଇଲ୍‌ ଓ ଅନ୍ୟାନ୍ୟ ରେକର୍ଡପତ୍ର ଜବତ କରିଥିଲା। ତେବେ ନୀତିନ୍‌ ଧରାପଡ଼ିଥିଲେ ବି ଟୋନିସିନ୍‌ର ପତ୍ତା ମିଳିନଥିଲା। ସୂଚନାଯୋଗ୍ୟ ଯେ ଲିୟୁ ୟିକୁ ଧରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଲୁକ୍‌ଆଉଟ୍‌ ସର୍କୁଲାର୍ ଜାରି ହୋଇଛି। ଗତ କିଛି ଦିନ ତଳେ ସେ ନେପାଳ ପୁଲିସକୁ ଚକ୍‌ମା ଦେଇ ଖସି ପଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର