ଭୁବନେଶ୍ୱର: ଆପଣ କାହା ପାଖରୁ ହାତ ଉଧାରୀ ବା ବ୍ୟାଙ୍କରୁ ଋଣ ଆଣିନଥାନ୍ତୁ ପଛେ ଆପଣଙ୍କ ମୁଣ୍ଡ ଉପରେ ୨୨ହଜାର ୪୨ ଟଙ୍କାର ଋଣ ଅଛି | କଥାଟି ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କି? ତେବେ ଏକଥା ଏକଦମ ସତ | କାରଣ ଓଡ଼ିଶା ସରକାର ୨୦ ବର୍ଷରେ (୨୦୦୧-୦୨)ରୁ (୨୦୨୨-୨୩) ଭିତରେ ଦେଢ଼ ଲକ୍ଷ କୋଟି (୧,୫୦,୧୩୬.୦୦) ଋଣ ଉଠାଇଥିବା ବେଳେ ଏବାବଦରେ ସୁଧ ଦେଇଛନ୍ତି ୭୯,୨୬୧ କୋଟି ଟଙ୍କା।

Advertisment

ତେବେ ସୁଧ ପରିମାଣ ମୂଳଧନର ପ୍ରାୟ ୫୩ ପ୍ରତିଶତ ହୋଇଥିବାବେଳେ ମୁଣ୍ଡ ପିଛା ଋଣ ୨୨ ହଜାର ୪୨ ଟଙ୍କା ରହିଛି | ଆଜି ବିଧାନସଭାରେ ବିଧାୟକ ଅରବିନ୍ଦ ଢ଼ାଲି ପ୍ରଶ୍ନ କରିଥିଲେ ଯେ ରାଜ୍ୟ ସରକାର ୨୦ ବର୍ଷ ଭିତରେ କେତେ ଟଙ୍କା ଋଣ ଆଣିଛନ୍ତି ଓ ସୁଧ ବାବଦକୁ କେତେ ଟଙ୍କା ଦେଇଛନ୍ତି | ଏହାର ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ରାଜ୍ୟ ସରକାର ସମୁଦାୟ ୨୦ ବର୍ଷ ଭିତରେ ଦେଢ଼ ଲକ୍ଷ କୋଟି ଟଙ୍କା ଋଣ ଆଣିଥିବାବେଳେ ସୁଧ ବାବଦକୁ ୭୯,୨୬୧ କୋଟି ଟଙ୍କା ଦେଇଛନ୍ତି |

ତେବେ ମନ୍ତ୍ରୀ କହିଛନ୍ତି ଯେ ଆର୍ଥିକ ବର୍ଷ ୨୦୨୨-୨୩ରେ ରାଜ୍ୟ ସରକାର ଖୋଲା ବଜାରରୁ ୨୨୫୯ କୋଟି ଟଙ୍କା ଋଣ ଆଣିବାକୁ ବଜେଟରେ ଆକଳନ କରିଛନ୍ତି | କିନ୍ତୁ ଗତବର୍ଷ ଖଣି ସୂତ୍ରରୁ ବଜେଟ ଆକଳନ ତୁଳନାରେ ଯଥେଷ୍ଟ ଅଧିକ ରାଜସ୍ବ ମିଳିଥିବାରୁ ଖୋଲା ବଜାରରୁ ଋଣ ଅଣାଯାଇନାହିଁ |