ମାଲକାନଗିରି: ମାଲକାନଗିରିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି କି ସେମାନେ ଠକାମିର ଶିକାର ହୋଇଛନ୍ତି। ସେମାନଙ୍କ ନାମରେ ଜାଲିଆତି କରି କରାଯାଇଥିବା ଋଣ ଶୁଝିବା ଲାଗି ସେମାନଙ୍କୁ ଅନୈତିକ କାର୍ଯ୍ୟ କରିବାକୁ ପଡ଼ୁଛି। ପ୍ରଶାସନ ଏ ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି ଜଣାଇଛନ୍ତି।
ଶତାଧିକ ମହିଳାଙ୍କ ଋଣ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ମହିଳା କହିଛନ୍ତି କି ନିରୁପମା ବେପାରୀ ଆମ ସ୍ବାମୀମାନଙ୍କ ଅନୁପସ୍ଥିତିରେ ଆମର ଆଧାର କାର୍ଡ, ଭୋଟର ପତ୍ର, ବ୍ୟାଙ୍କ ଖାତା ନେଇ ସ୍ପନ୍ଦନ, ଫ୍ୟୁଜନ, ଭାରତ, ଅନ୍ନପୂର୍ଣ୍ଣା ଋଣ ପ୍ରଦାନକାରୀ ସଂସ୍ଥା ଭଳି ବିଭିନ୍ନ ବେସରକାରୀ ଋଣ ସଂସ୍ଥା ପାଖରୁ ଋଣ କରି ଟଙ୍କା ନେଇଯାଇଛନ୍ତି। ନିରୁପମାଙ୍କୁ ବାରମ୍ବାର ଟଙ୍କା ଫେରସ୍ତ କରିବାକୁ କହିଲେ ସେ ଗାଳିଗୁଲଜ କରୁଛନ୍ତିି ଏବଂ ଆମକୁ ବିଷ ଖାଇ ମରିଯାଅ ବୋଲି କହୁଛନ୍ତି। ସେପଟେ ଋଣ ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଋଣ ଶୁଝିବାକୁ ମହିଳାଙ୍କୁ ଘନଘନ ଚିଠି ଆସୁଛି। ଆଜି ୪୦ରୁ ଊର୍ଦ୍ଧ୍ବ ମହିଳା ଜିଲ୍ଲାପାଳଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ସେମାନେ ଏକଥା ମଧ୍ୟ ସ୍ବୀକାର କରିଛନ୍ତି କି ଋଣ ଶୁଝିବା ଲାଗି ସେମାନଙ୍କ ଅନୈତିକ କାର୍ଯ୍ୟ କରିବାକୁ ପଡ଼ୁଛି।
ଘଟଣା ଅନୁଯାୟୀ, ଏମଭି-୯୬ ଗ୍ରାମର ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ଋଣ ପ୍ରଦାନ କରାଯିବ କହି ସ୍ଥାନୀୟ ୱାର୍ଡ ମେମ୍ବର ନିରୂପମା ବେପାରୀ ବିଭିନ୍ନ ସଂସ୍ଥାରୁ ଋଣ କରାଇଦେଇଥିଲେ। ଋଣ ଆଣି ମହିଳାମାନେ କାମ କରି ଟଙ୍କା ନିରୂପମାଙ୍କ ଦ୍ୱାରା ପୈଠ କରୁଥିଲେ। ତେବେ ନିରୂପମା ଟଙ୍କା ପୈଠ ନକରି ସବୁ ନିଜେ ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ମହିଳାମାନେ କହିଛନ୍ତି।