ଫୁଲବାଣୀ : ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଫୁଲବାଣୀ ଶାଖାରେ ହୋଇଥିବା ୮ କୋଟି ଟଙ୍କାର ଋଣ ଜାଲିଆତି ଏବଂ ଚିଟ୍‌ଫଣ୍ଡ ଘୋଟାଲାର ଆଉ ଏକ ଦିଗ ପଦାକୁ ଆସିଛି। କନ୍ଧମାଳ ଜିଲ୍ଲାର ବିଭିନ୍ନ ସରକାରୀ ଅଧିକାରୀଙ୍କ ଠାରୁ ଉଠା ଯାଇଥିବା ଟଙ୍କା ଭଦ୍ରକ ଜିଲ୍ଲାର ଧାମରା ସ୍ଥିତ ଚିଙ୍ଗୁଡ଼ି ଫାର୍ମ ଏବଂ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍‌ର ଛତିଆ, ଭୁବନେଶ୍ବରର ଫରେଷ୍ଟ୍‌ପାର୍କ ଏବଂ ଏମ୍‌ସ ନିକଟରେ ରିଅଲ ଇଷ୍ଟେଟ୍‌ ବ୍ୟବସାୟରେ ବିନିଯୋଗ ହୋଇଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଫୁଲବାଣୀ ଆଇଟିଡିଏର ପୂର୍ବତନ ଜଣେ ପ୍ରକଳ୍ପ ପ୍ରଶାସକ ଓ କନ୍ଧମାଳ ଜିଲ୍ଲା ପ୍ରଶାସନର ଆଉ ଜଣେ ଶୀର୍ଷସ୍ତରର ଅଫିସର୍‌ଙ୍କ କୋଟି କୋଟି ଟଙ୍କା ଏହି ଚିଟ୍‌ଫଣ୍ଡ ସଂସ୍ଥାରେ ବିନିଯୋଗ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଇଓଡବ୍ଲୁ ମାମଲାର ତଦନ୍ତ ଜୋର୍‌ଦାର କରିଥିବା ବେଳେ କଳାଟଙ୍କା ଖଟାଇଥିବା ବହୁ ଅଫିସର୍‌ ଏବେ ସ୍କାନର୍‌ରେ ରହିଛନ୍ତି।

Advertisment

ନିକଟତମ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଏହି ଦୁଇ ଅଧିକାରୀ ସେମାନଙ୍କ କୋଟି କୋଟି କଳା ଟଙ୍କା କିଭଳି ଫେରି ପାଇହେବ, ତାହା ସେମାନଙ୍କୁ ଚିନ୍ତାରେ ପକାଇ ଦେଇଛି। କନ୍ଧମାଳ ଜିଲ୍ଲାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ପୂର୍ବତନ ଯୋଗାଣ ନିରୀକ୍ଷକ ସମରେଶ ରଞ୍ଜନ ଦାସ ଏବଂ ଫୁଲବାଣୀ ଏସ୍‌ବିଆଇର ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କ ସିଣ୍ଡିକେଟ୍‌ରେ ଏକ ଚିଟ୍‌ଫଣ୍ଡ ସଂସ୍ଥା ଗଠନ କରାଯାଇ ବହୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କଠାରୁ କୋଟି କୋଟି ଟଙ୍କା ଲୁଟ୍‌ କରାଯାଇଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରେଡିଓଲୋଜି ବିଭାଗରେ କାର୍ଯ୍ୟ କରୁଥିବା ଜଣେ ସରକାରୀ କର୍ମଚାରୀଙ୍କ ନାମରେ ୭ ଲକ୍ଷ ଟଙ୍କା ଋଣ ଉଠାଯାଇଛି। କେବଳ ରେଡ଼ିଓଲୋଜି ବିଭାଗ କର୍ମଚାରୀ ନୁହନ୍ତି, ଆହୁରି ଅନେକ ସରକାରୀ କର୍ମଚାରୀଙ୍କ ନାମରେ ଋଣ ଉଠାଯାଇଛି। ସେହିଭଳି ଫୁଲବାଣୀ ସହରର ଦୁଇ ଜଣ ବ୍ୟବସାୟୀଙ୍କ ନାମରେ ପାଖାପାଖି ୨୦ ଲକ୍ଷ ଟଙ୍କାର ଋଣ ଉଠାଯାଇଛି। ସେହିଭଳି ବ୍ୟାଙ୍କ ଅଫ୍‌ ବରୋଦା ଫୁଲବାଣୀ ଶାଖାର ଜଣେ ଅଧିକାରୀ ଏହି ଋଣ ଜାଲିଆତିରେ ସମ୍ପୃକ୍ତ ଥିବା ନେଇ ଚର୍ଚ୍ଚା ହେଉଛି।

ଆଶୁତୋଷ-ସମରେଶ ଚିଟ୍‌ଫଣ୍ଡ ସିଣ୍ଡିକେଟ୍‌ ଜିଲ୍ଲାର ବହୁ ସରକାରୀ ଅଫିସର, କର୍ମଚାରୀ ଏବଂ ବ୍ୟବସାୟୀଙ୍କୁ କଳାକନା ବୁଲାଇ ଦେଇଥିବାରୁ ସେମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏହି ଚିଟ୍‌ଫଣ୍ଡ ସଂସ୍ଥାର ଗୋଟିଏ କାର୍ଯ୍ୟାଳୟ ଯାଜପୁର ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ଆଉ ଗୋଟିଏ କାର୍ଯ୍ୟାଳୟ ଭୁବନେଶ୍ବରରେ କାର୍ଯ୍ୟ କରୁଛି। ଏ ସମସ୍ତ ଟଙ୍କା କଳାଧନ ହୋଇଥିବାରୁ କେହି ସରକାରୀବାବୁ ଲୋକଲଜ୍ଜାକୁ ଡରି ମୁହଁ ଖୋଲୁନାହାନ୍ତି। ବର୍ତ୍ତମାନ ଏହି ସଂସ୍ଥାର କାର୍ଯ୍ୟକଳାପ ଉପ‌ରେ ଇଓଡବ୍‌ଲ୍ୟୁ ତଦନ୍ତ ଆରମ୍ଭ କରି ଦେଇଥିବାରୁ ସରକାରୀ ବାବୁଙ୍କ ଆଖିରୁ ନିଦ ହଜି ଯାଇଛି।