କଟକ : କଟକ ଅର୍ବାନ କୋପରେଟିଭ୍ ବ୍ୟାଙ୍କରେ ଏକ ବଡ଼ ଧରଣର ଋଣ ଜାଲିଆତି ସାମନାକୁ ଆସିଛି। ଜାଲ୍ ଏଲଆଇସି ବଣ୍ଡ୍‌ ଦାଖଲ କରି ବ୍ୟାଙ୍କରୁ ୪ କୋଟି ୮୪ ଲକ୍ଷ ଟଙ୍କା ଦୁର୍ବୃତ୍ତ ଲୁଟି ନେଇଛନ୍ତି। ୧୩ ମାସ ହେଲା ଏତେ ପରିମାଣର ଋଣ ନେଇ ଦୁର୍ବୃତ୍ତ ନିଖୋଜ ହୋଇଯାଇଛନ୍ତି। ଫଳରେ ସୁଧମୂଳ ମିଶାଇ ଏହି ପରିମାଣ ‌ଏବେ ପ୍ରାୟ ସାଢେ ୫ କୋଟି ଟଙ୍କାରେ ପହଞ୍ଚିଲାଣି। କିନ୍ତୁ ଏହା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ୧୩ ମାସ ଭିତରେ ସୁଧ ଅଥବା ମୂଳ ବାବଦକୁ ଗୋଟିଏ ବି କିସ୍ତି ଆସି ନଥିବା ବେଳେ ବ୍ୟାଙ୍କ ସ୍ତରରେ ସଂପୂର୍ଣ୍ଣ ନିଷ୍କ୍ରିୟତା ଏହି କେଳେଙ୍କାରୀ ପଛରେ ବଡ଼ ଧରଣର ଷଡ଼ଯନ୍ତ୍ର ଥିବା ସନ୍ଦେହ ସୃ‌ଷ୍ଟି କରିଛି। ୨ ଜଣ ବ୍ୟକ୍ତିଙ୍କ ନାମରେ ଜାଲ୍ ଏଲଆଇସି ବଣ୍ଡ୍‌ ଦାଖଲ କରି ୮ଟି ଋଣ ଜରିଆରେ ଏତେ ପରିମାଣର ଟଙ୍କା ଉଠାଇ ନିଆଯାଇଛି। ଏହି ଘଟଣା ସାମନାକୁ ଆସିବା ପରେ ଅଧିକାରୀ ଓ କର୍ମକର୍ତ୍ତାଙ୍କ ନିଦ ହଜି ଯାଇଛି।

Advertisment

ସୂଚନା ଅନୁଯାୟୀ ବ୍ୟାଙ୍କର ନୂଆପାଟଣା ଶାଖା ଅଧୀନରେ ରହିଛି ଖ୍ରୀଷ୍ଟ କଲେଜ ଏକ୍ସଟେନ୍‌ସନ୍ କାଉଣ୍ଟର। ଏହି ଏକ୍ସଟେନସନ୍ କାଉଣ୍ଟର ଜରିଆରେ ୧୩ ମାସ ତଳେ ଦୁଇ ଜଣ ବ୍ୟକ୍ତିଙ୍କ ନାମରେ ୮ଟି ଋଣ ଉଠାଯାଇଛି। ୭୦ ଲକ୍ଷ ଟଙ୍କାର ୪ଟି ଋଣ ଅର୍ଥାତ ୨ କୋଟି ୮୦ ଲକ୍ଷ ଟଙ୍କା ଉଠାଯାଇଥିବା ବେଳେ ୪୨ ଲକ୍ଷ ଟଙ୍କାର ୩ଟି ଋଣ ଅର୍ଥାତ ୧ କୋଟି ୨୬ ଲକ୍ଷ ଟଙ୍କା ଏବଂ ୭୮ ଲକ୍ଷ ଟଙ୍କାର ଗୋଟିଏ ଋଣ ଉଠା ଯାଇଛି। ଏହି ଋଣ ପରିମାଣ ୪ କୋଟି ୮୪ ଲକ୍ଷ ଟଙ୍କା ହେଉଥିବା ବେଳେ ବର୍ତ୍ତମାନ ସୁଧମୂଳ ମିଶାଇଲେ ଏହାର ମୂଲ୍ୟ ସାଢ଼େ ୫ କୋଟିରୁ ଅଧିକ ହେଲାଣି। ୨ ଜଣଙ୍କ ନାମରେ ଉଠିଥିବା ଏହି ଋଣରେ ଗୋଟିଏ ବି କିସ୍ତି ଆଦାୟ ହୋଇ ନଥିଲେ ବି ଏଯାଏ କେହି ଏ ସଂପର୍କରେ ମୁହଁ ନ ଖୋଲିବା, ଏତେ ପରିମାଣର ଋଣ ଅନାଦେୟ ରହିଥିବା ବେଳେ ବ୍ୟାଙ୍କ ମୁଖ୍ୟ ଶାଖା ବି ଏ ଦିଗରେ ଏଯାଏ ତତ୍ପର ନ ହେବା ଘଟଣା ଅନେକଙ୍କୁ ଚକିତ କରିଛି।

ଅନ୍ୟପଟେ ବ୍ୟାଙ୍କର ଅଧିକାରୀ ସ୍ତରରେ ଅଦଳବଦଳ ହେବା ପରେ ନୂଆ ଅଧିକାରୀ ସେହି ଏକ୍ସଟେନସନ୍ କାଉଣ୍ଟରର ଦାୟିତ୍ବ ନେବାରୁ ଏଭଳି ହେରଫେର ସଂପର୍କରେ ସୂଚନା ମିଳିଥିଲା। ସେ ଏ ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାରୁ ଏବେ ଛାନଭିନ୍ ଆରମ୍ଭ ହୋଇଛି। କିନ୍ତୁ ଏହି ଋଣ ଉଠାଇବା ପାଇଁ ଯେଉଁ ଏଲ୍‌ଆଇସି ବଣ୍ଡ୍‌ ଜମା କରାଯାଇଛି, ତାହା ସଂପୂର୍ଣ୍ଣ ଜାଲ୍ ବୋଲି ପ୍ରାଥମିକ ଛାନଭିନ୍‌ରୁ ସୂଚନା ମିଳିଛି। ଯେଉଁ ଦୁଇ ବ୍ୟକ୍ତିଙ୍କ ନାମରେ ଏହି ଟଙ୍କା ଉଠିଛି, ସେମାନଙ୍କ ସ୍ଥିତିକୁ ନେଇ ବି ସନ୍ଦେହ ସୃଷ୍ଟି ହୋଇଛି।

ଏତେ ପରିମାଣର ଋଣ ଠକେଇକୁ ନେଇ କି ପ୍ରକାର ପଦକ୍ଷେପ ନିଆଯିବ, ତାହାକୁ ନେଇ ଏବେ ଟଣାଓଟରା ଆରମ୍ଭ ହୋଇଯାଇଥିବା ବେଳେ ଏଥିରେ ବ୍ୟାଙ୍କର କେଉଁ କେଉଁ ଅଧିକାରୀ ଓ କର୍ମଚାରୀଙ୍କ ସଂପୃକ୍ତି ରହିଛି, ତାହାକୁ ନେଇ ବି ହଟଚମଟ ଆରମ୍ଭ ହୋଇଯାଇଛି। ଏ ସଂପର୍କରେ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରିୟବ୍ରତ ପଣ୍ଡା କହିଛନ୍ତି ଯେ ସେ ଏ ସଂପର୍କରେ ଅଭିଯୋଗ ପାଇଛନ୍ତି। ଏହାର ପ୍ରାଥମିକ ଛାନଭିନ୍ ଆରମ୍ଭ ହୋଇଛି। ଖୁବଶୀଘ୍ର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ।