ମିସନ ଶକ୍ତିକୁ ଧାର୍ଯ୍ୟ ଲକ୍ଷ୍ୟଠୁ ଅଧିକ ଋଣ

ଋଣ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଉତ୍ତମ ପ୍ରଦର୍ଶନ କରିଥିବା ବ୍ୟାଙ୍କ, ଜିଲ୍ଲାକୁ ପ୍ରଶଂସା
ପଛୁଆମାନଙ୍କୁ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପରାମର୍ଶ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୃଷି, ମିସନ ଶକ୍ତି ଓ ଏମ୍ଏସ୍‌ଏମ୍ଇ ଋଣର ସମୀକ୍ଷା କରି ବ୍ୟାଙ୍କଗୁଡ଼ିକୁ ପ୍ରଶଂସା କରିଛନ୍ତି। ଗତ ଦୁଇ ମାସ ଭିତରେ ବ୍ୟାଙ୍କଗୁଡ଼ିକ ଅଗ୍ରାଧିକାର ଋଣରେ ଉନ୍ନତି ଆଣିଛନ୍ତି। ମିସନ ଶକ୍ତି ଗ୍ରୁପ୍‌ଗୁଡ଼ିକୁ ବାର୍ଷିକ ଲକ୍ଷ୍ୟ ଠାରୁ ୫୦୦ କୋଟି ଟଙ୍କାର ଅଧିକ ଋଣ ଦିଆଯାଇଥିବାରୁ ସେ ଖୁସି ପ୍ରକଟ କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବ୍ୟାଙ୍କ, ଜିଲ୍ଲାପାଳ ଓ ରାଜ୍ୟର ବରିଷ୍ଠ ସରକାରୀ ଅଧିକାରୀମାନଙ୍କୁ ନେଇ ଅଗ୍ରାଧିକାର କ୍ଷେତ୍ର ଋଣର ସମୀକ୍ଷା କରିଛନ୍ତି। କୃଷି, ଏମ୍ଏସ୍‌ଏମ୍‌ଇ ଓ ମିସନ ଶକ୍ତି ପାଇଁ ରାଜ୍ୟ ସରକାର ୨୦୨୧-୨୨ ବଜେଟ୍‌ରେ ଅଧିକ ବ୍ୟୟବରାଦ କରିଛନ୍ତି। ଏଥି ସହିତ ଲୋକମାନଙ୍କ ଉପରେ ଥିବା ଋଣ ବୋଝ ହାଲୁକା କରିବା ଲାଗି ସୁଧ ଛାଡ଼ ସୁବିଧା ଦିଆଯାଉଥିବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମିସନ ଶକ୍ତି ଗ୍ରୁପ୍‌ଗୁଡ଼ିକୁ ଅଧିକ ୧୬୦୦ କୋଟି ଟଙ୍କାର ଋଣ ଦିଆଯାଇଛି ଯାହା ଏଥିପାଇଁ ଧାର୍ଯ୍ୟ କରାଯାଇଥିବା ବାର୍ଷିକ ଲକ୍ଷ୍ୟ ଠାରୁ ୫୦୦ କୋଟି ଟଙ୍କା ଅଧିକ। ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍‌ଜି) ଲାଗି ୩୨୪୦ କୋଟି ଟଙ୍କାର ବାର୍ଷିକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଜାନୁଆରି ସୁଦ୍ଧା ତା’ଠାରୁ ଯଥେଷ୍ଟ ଅଧିକ ଅର୍ଥାତ ୩୭୪୫ କୋଟି ଟଙ୍କା ଦିଆଯାଇଛି। ଏସ୍ଏଚ୍‌ଜି ପିଛା ହାରାହାରି ଋଣ ୧.୪୯ ଲକ୍ଷ ଟଙ୍କା ରହିଛି ଯାହା ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମିସନ ଶକ୍ତି ଗ୍ରୁପ୍‌ଗୁଡ଼ିକୁ ଋଣ ଯୋଗାଇ ଦେବାରେ ଗଞ୍ଜାମ, ବାଲେଶ୍ବର, ନୂଆପଡ଼ା, କନ୍ଧମାଳ ଓ ଅନୁଗୁଳ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଋଣ ପ୍ରଦାନରେ ଉନ୍ନତି ଆଣିବା ଲାଗି ଆକ୍ସିସ୍ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ଆଇଡିବିଆଇ ବ୍ୟାଙ୍କକୁ ପରାମର୍ଶ ଦିଆଯାଇଛି।

ଓଜିବି, ଓଏସ୍‌ସିବି, ଷ୍ଟେଟ୍‌ ବ୍ୟାଙ୍କ, ୟୁକୋ ଓ କାନାରା ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଗତବର୍ଷ ରାଜ୍ୟରେ ୨୦ ହଜାର କୋଟି ଟଙ୍କାର ଫସଲ ଋଣ ଦିଆଯାଇଥିବା ବେଳେ ଚଳିତ ବର୍ଷର ବର୍ତ୍ତମାନ ସୁଦ୍ଧା ଏବାବଦରେ ୨୦,୬୦୬ କୋଟି ଟଙ୍କା ଆବଣ୍ଟନ କରାଯାଇସାରିଲାଣି। ଏକ୍ଷେତ୍ରରେ ସୁନ୍ଦରଗଡ଼, ସୋନପୁର, ବଲାଙ୍ଗୀର ଓ କେନ୍ଦ୍ରାପଡ଼ା ଚମତ୍କାର ପ୍ରଦର୍ଶନ କରିଛନ୍ତି। ମାଲକାନଗରିରି, ଗଜପତି, କଳାହାଣ୍ଡି ଓ ଢେଙ୍କାନାଳ ଏକ୍ଷେତ୍ରରେ ଉନ୍ନତି ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ଏମ୍ଏସ୍‌ଏମ୍‌ଇ କ୍ଷେତ୍ରକୁ ଦିଆଯାଉଥିବା ଋଣ ପରିମାଣ ମାର୍ଚ୍ଚ ସୁଦ୍ଧା ୨୦,୪୫୭ କୋଟି ଟଙ୍କାରେ ପହଞ୍ଚିବ ବୋଲି ‌ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। କେବଳ ଷ୍ଟେଟ୍‌ ବ୍ୟାଙ୍କ ତରଫରୁ ଏମ୍ଏସ୍‌ଏମ୍‌ଇ କ୍ଷେତ୍ରକୁ ୭୫୪୧ କୋଟି ଟଙ୍କା ଦିଆଯାଇଛି। କୃଷି, ଏମ୍ଏସ୍‌ଏମ୍ଇ, ଏସ୍‌ଏଚ୍‌ଜି ଓ ମିଶନ ଶକ୍ତି ଗ୍ରୁପ୍‌କୁ ଋଣ ପ୍ରଦାନ କରିବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବ୍ୟାଙ୍କ ଓ ଜିଲ୍ଲାଗୁଡ଼ିକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଲକ୍ଷ୍ୟ ହାସଲ କରିବାରେ ପଛୁଆ ଥିବା ବ୍ୟାଙ୍କ ଓ ଜିଲ୍ଲାଗୁଡ଼ିକୁ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ସେ ଆହ୍ବାନ ଦେଇଛନ୍ତି।

ଆର୍ଥିକ ବର୍ଷ ଶେଷ ହେବାକୁ ଆହୁରି ଏକ ମାସ ବାକି ଥିବାରୁ ବାର୍ଷିକ ଋଣ ଯୋଜନାରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ହାସଲ କରିବା ଲାଗି ଉଦ୍ୟମ କରିବାକୁ ସେ ବ୍ୟାଙ୍କ ଓ ଜିଲ୍ଲାପାଳମାନଙ୍କୁ ଆହ୍ବାନ ଦେଇଛନ୍ତି। କୃଷି, କ୍ଷୁଦ୍ର ଉଦ୍ୟୋଗୀ ଓ ଏସ୍‌ଏଚ୍‌ଜିକୁ ଋଣ ଦେବାରେ ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କଗୁଡ଼ିକୁ ପୁରସ୍କୃତ କରାଯିବ ଓ ସେ ବିଷୟରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କ୍ରେଡିଟ୍‌ ଲିଙ୍କେଜ୍‌କୁ ନେଇ ଦୁଇ ମାସ ଭିତରେ ଦ୍ବିତୀୟ ବୈଠକ ଆୟୋଜନ କରାଯାଇଛି ବୋଲି ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ ବୈଠକର ସଂଯୋଜନା କରିଛନ୍ତି। ଏହି ଋଣ ସମୀକ୍ଷା ବୈଠକରେ ମତ୍ସ୍ୟଚାଷ ସଚିବ ସୌରଭ ଗର୍ଗ, କମିସନର ଆର୍‌ ରଘୁ ପ୍ରସାଦ, ଏମ୍‌ଏସ୍‌ଏମ୍‌ଇ ସଚିବ ସତ୍ୟବ୍ରତ ସାହୁ ଓ ମିସନ ଶକ୍ତି ନିର୍ଦେଶିକା ସୁଜାତା କାର୍ତିକେୟନ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର