ବରଗଡା ସମବାୟ ସମିତିରେ ୩ କୋଟି ଟଙ୍କାର ଋଣ ଦୁର୍ନୀତି! ଚାଷୀ ଜାଣି ନାହାନ୍ତି, ସଂପାଦକ ଚଳୁ କରି ଦେଇଛନ୍ତି ଋଣ ଟଙ୍କା

ଜିଲ୍ଲାପାଳଙ୍କୁ ଦିଆଗଲା ଦାବିପତ୍ର, କାର୍ଯ୍ୟାନୁଷ୍ଠାନ ନହେଲେ ଆତ୍ମାହୁତି ଦେବେ ଚାଷୀ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ସମବାୟ ସମିତି ଗୁଡିକରେ ହୋଇଥିବା ଦୁର୍ନୀତି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। କୃଷି ଋଣଠାରୁ ଆରମ୍ଭ କରି ବେନାମୀ ଚାଷୀଙ୍କ ନାମରେ ଧାନ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା କିଛି ସମବାୟ ସଂସ୍ଥାର ଅସଲ ମୁଖା ଏବେ ପଦାରେ ପଡି ଯାଇଥିବା ବେଳେ ଏମାନଙ୍କର କାର୍ଯ୍ୟାକଳାପକୁ ନେଇ ଏବେ ପ୍ରତିବାଦର ସ୍ବର ଉଠିଛି। ଚାଷୀ ଜାଣିଲା ନାହିଁ। ଅଥଚ ତାଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ଋଣ ଉଠାଣ କିଭଳି ଓ କେଉଁ ପରିସ୍ଥିତିରେ ହେଲା ତାହାର ଭିଜିଲାନସ୍ ତଦନ୍ତ କରାଯାଇଛି। ଆଜି ଏଭଳି ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ହୋଇଛି। ପ୍ରକାଶ ଥାଉକି ଧାମନଗର ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ବରଗଡା ସେବା ସମବାୟ ସମିତିର ସଂପାଦକ ଅଶୋକ କୁମାର ବସନ୍ତିଆଙ୍କ ଦ୍ବାରା କୃଷକମାନଙ୍କ ନାମରେ ଋଣ ଟଙ୍କା ଉଠାଣ କରାଯାଇ ହଡପ କରାଯାଇଥିବା ନେଇ ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି।

ଏଇ ଘଟଣାର ଭିଜିଲାନସ ତଦନ୍ତ କରାଯାଇ ସଂପୃକ୍ତ ଘଟଣାରେ ସଂପୃକ୍ତ ସଂପାଦକଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ ଚାଷୀ ଦାବି କରିଛନ୍ତି। ଜିଲ୍ଲାପାଳ ଏଇ ଘଟଣାର ନୀରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଗୋବିନ୍ଦପୁର ପଞ୍ଚାୟତର ୭ଟି ରାଜସ୍ବ ଗ୍ରାମ ର ଚାଷୀ ବରଗଡା ସେବା ସମବାୟ ସମିତି ଉପରେ ନିର୍ଭର କରି ଚଳନ୍ତି। ଏହି ସମବାୟ ସମତିରୁ ୧୪ ଶହ ଚାଷୀ ବିଭିନ୍ନ ପ୍ରକାର ଋଣ କରିଥିଲେ। ଏମାନଙ୍କମଧ୍ୟରୁ ୪୫୦ ଜଣ ଚାଷୀ କେବେ ସମବାୟ ସମିତି ଯାଇ ନାହାନ୍ତି କି କିଛଇ ଋଣ କରି ନାହାନ୍ତି। ଯେଉଁ ୮୫୦ ଜଣ ଚାଷୀ ଋଣ କରିଛନ୍ତି। ସେମାନଙ୍କ ଋଣ ବହି ଓ ଚେକ ବହି ସମବାୟ ସମିତିର ସଂପାଦକ ନିଜ ପାଖରେ ରଖି ନିଜ ଇଚ୍ଛାରେ ପ୍ରତି ଚାଷୀଙ୍କ ଖାତାରେ ୧୦ ଗୁଣା ଋଣ ଉଠାଣ କରିଛନ୍ତି।

ଏ ସଂପର୍କରେ ଋଣୀ ମାନେ କିଛି ଜାଣି ନାହାନ୍ତି। ଏହାର ଭିଜିଲାନସ୍ ତଦନ୍ତ ହେବା ଉଚିତ। କେଉଁ ପରିସ୍ଥିତିରେ ସମବାୟ ସଂପାଦକ ଏଭଳି ଘୋଟଲା କଲେ। ଅଭିଯୋଗରୁ ପ୍ରକାଶ ଯେ, ଏଇ ସମବାୟ ସମିତିର ସଂପାଦକ ପ୍ରାୟ ୩ କୋଟି ଟଙ୍କାର ଋଣ ଉଠାଣ କରି ଆତ୍ମସାତ କରିଛନ୍ତି। ଏଇ ଦୁର୍ନୀତିକୁ ନେଇ ଭିଜିଲାନସ୍ ତଦନ୍ତ କରିବା ସହ ଏକ ମାଜି‌ଷ୍ଟ୍ରଟଙ୍କ ଉପସ୍ଥିତିରେ ତଦନ୍ତ କରାଯିବାକୁ ଲୋକମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଗରିବ ଚାଷୀଙ୍କ ନାମରେ ଏଭଳି ଜାଲିଆତି କରି ଋଣ ଉଠାଣ କରାଯାଇଥିବା ବେଳେ ଏହାର ନିରପେକ୍ଷ ତଦନ୍ତ କରାଯାଇ ସଂପାଦକଙ୍କୁ ଗିରଫ କରିବା ସହ ସମସ୍ତ ଋଣ ଚାଷୀଙ୍କ ନାରମରୁ ଶୁଝା ଯିବା ନେଇ ଦାବି କରାଯାଇଛି।

ଜିଲ୍ଲାପାଳ ଏଇ ଘଟଣାର ନୀରପେକ୍ଷ ତଦନ୍ତ ନକଲେ ଆଗାମୀ ଦିନରେ ଏଇ ଅଞ୍ଚଳର ଗରିବ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଆଜି ଶତାଧିକ ଚାଷୀ ଦାବିପତ୍ର ପ୍ରଦାନ କରିଛନ୍ତି। ଭଦ୍ରକ ଜିଲ୍ଲାର ଏଇ ସମବାୟ ଦୁର୍ନୀତିକୁ ନେଇ ଜିଲ୍ଲାପାଳ ଆଗାମି ଦିନରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ତାୟହା ଉପରେ ରହିଛି ସମସ୍ତଙ୍କ ନଜର। ଭଦ୍ରକ ଜିଲ୍ଲାରେ ସମବାୟ ଦୁର୍ନୀତି ଏବେ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ବରଗଡା ପରି ଜିଲ୍ଲାରେ ଆହୁରି ଅନେକ ସମବାୟ ସମିତିରେ ଏଇଭଳି ଦୁର୍ନୀତି ରହିଛି। ଯାହାର ଭିଜିଲାନସ ତଦନ୍ତ କରାଗଲେ ଅସଲ ତଥ୍ୟ ପଦାକୁ ଆସିବ ବୋଲି ଚାଷୀ ଦାବି କରିଛନ୍ତି। ଗରିବ ଚାଷୀଙ୍କ ନାମରେ ଋଣ ଉଠାଣ କରି ଅନେକ ସମବାୟ ସମିତିର ସଂପାଦକ ମାଲେମାଲ ହୋଇଛନ୍ତି। ଏଭଳି ଭାବେ ଋଣ ଟଙ୍କା ଚଳୁ କରି ମାଲେମାଲ ହୋଇଥିବା କିଛି ସଂପାଦକଙ୍କ ସଂପତ୍ତି ଆକଳନ କଲେ ଅସଲ ତଥ୍ୟ ପଦାକୁ ଆସିବ ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର