ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼,୧ ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା : ପିସିସି ସଭାପତି

ଭୁବନେଶ୍ୱର: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ଦଳ ବିଜେପିିକୁ ଶାସନ ଗାଦିରୁ ବାହାର କରି ରାଜ୍ୟର ଶାସନ କ୍ଷମତା ହାତରେ ଧରିବାକୁ ଯାଉଛି। ଗତକାଲି ପ୍ରକାଶିତ ନିର୍ବାଚନ ଫଳାଫଳ କଂଗେସ କର୍ମୀଙ୍କ ମନୋବଳକୁ ବୃଦ୍ଧି କରିଥିବା ବେଳେ ରାଜ୍ୟ କଂଗ୍ରେସ ମଧ୍ୟ ରାହୁଲ୍ ଗାନ୍ଧୀଙ୍କ ନେତୃତ୍ୱ ଓ କଂଗ୍ରେସ ଦଳ ପ୍ରତି ପୁଣି ଲୋକଙ୍କ ଆକର୍ଷଣକୁ ନେଇ ଉତ୍ସାହିତ ହୋଇପଡ଼ିଛି।

ପିସିସିି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଦଳ ଆଗାମୀ ଦିନରେ ଶୃଙ୍ଖଳିତ ଓ ଏକାଠି ହୋଇ ଲଢ଼ିଲେ ରାଜ୍ୟରେ ନିଶ୍ଚିତ ସଫଳତା ପାଇବ। ଆଉ କଂଗ୍ରେସ ଦଳରାଜ୍ୟରେ କ୍ଷମତାକୁ ଫେରିଲେ ରାଜ୍ୟରେ ଚାଷୀମାନଙ୍କ ଋଣ ଛାଡ଼ କରିବା ସହିତ ୩୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତାକୁ ୧ ହଜାର ଟଙ୍କାକୁ ବୃଦ୍ଧି କରିବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତକାଲି ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗଣତି ହୋଇଥିଲା। ସେଥିମଧ୍ୟରୁ ୩ଟି ବଡ଼ ରାଜ୍ୟ ଯଥା ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଲୋକେ କଂଗ୍ରେସ ଦଳ ଉପରେ ଆସ୍ଥା ପ୍ରକଟ କରିବା ସହିତ ବିଜେପି ଦଳକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ୩ଟି ରାଜ୍ୟରେ ସରକାର ଗଠନ ପାଇଁ ସମ୍ପୃକ୍ତ ରାଜ୍ୟର ବିଧାୟକ ଓ ପିସିସି ସଭାପତି ରାଜ୍ୟପାଳଙ୍କୁ ଭେଟି ଦାବି କରିଥିବା ବେଳେ ଓଡ଼ିଶାରେ କଂଗ୍ରେସ ଦଳ ମଧ୍ୟ ଏହି ଫଳାଫଳ ପରେ ଅଧିକ ଉତ୍ସାହିତ ହୋଇଯାଇଛି।

୩ ରାଜ୍ୟରେ କଂଗ୍ରେସ ସଫଳତା ପରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରେ ମଧ୍ୟ ଦଳ ଏକାଠି ଆଉ ଶୃଙ୍ଖଳାର ସହିତ ନିର୍ବାଚନ ଲଢ଼ିଲେ,ସଫଳତା ପାଇବ। ଆଉ ଯଦି ରାଜ୍ୟରେ କଂଗ୍ରେସ ଦଳ ଶାସନ କ୍ଷମତା ପାଏ ତେବେ ରାଜ୍ୟର ଚାଷୀମାନଙ୍କ ପାଇଁ କୃଷି ଋଣ ଛାଡ଼ କରିବା ସହିତ ବାର୍ଦ୍ଧକ୍ୟ ଭତ୍ତାକୁ ୧ହଜାର ଟଙ୍କାକୁ ବୃଦ୍ଧି କରିବ।

ସମ୍ବନ୍ଧିତ ଖବର