ରାସ୍ତା ଦେଖିନାହାନ୍ତି, ରେଳ ଧାରଣାରେ ୩ ଦିନ ହେଲା ଚାଲିଛନ୍ତି : ୨ଶହ କିଲୋମିଟର ଚାଲିଚାଲି ଯିବେ ୧୨ ଶ୍ରମିକ

ରାଉରକେଲା : ଲକ୍‌ଡାଉନ୍‌ ପରେ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସମସ୍ୟା ବଢ଼ିଯାଇଛି। ବିଶେଷକରି ଶ୍ରମିକଙ୍କ ଦୁଃଖ ସୀମା ପାର ହୋଇଛି। କେଉଁଠି ଶ୍ରମିକଙ୍କୁ ନିଜ ଦୁର୍ଦ୍ଦଶାରେ ଛାଡ଼ି ଠିକାଦାର ଫେଣାର ହୋଇଯାଉଥିବାବେଳେ କେଉଁଠି ଖାଇବାକୁ ନ ପାଇ ନିର୍ମାଣ ଭୋକରେ ଡହଳବିକଳ ହେଉଛନ୍ତି। ‌ଭୋକର ଯନ୍ତ୍ରଣା ଅସହ୍ୟ ହେବାରୁ ସେମାନେ ନିଜ ନିଜ ଘରକୁ ଚାଲିଚାଲି ଘରକୁ ଯାଉଛନ୍ତି। ଆଜି ମଧ୍ୟ ଇସ୍ପାତ ସହରରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଝାଡ଼ଖଣ୍ଡ ଗୋଏଲକେରା ଅଞ୍ଚଳର ୧୨ ଜଣ ସଫେଇ କର୍ମଚାରୀ ଏବେ ଚାଲିଚାଲି ପ୍ରାୟ ୧୮୦/୨୦୦ କିଲୋମିଟର ଦୂର ନିଜ ଘର ଅଭିମୁଖ‌େ ବାହାରିଛନ୍ତି। ବାଟ ଦେଖିନାହାନ୍ତି, ଏଣୁ ରେଳ ଧାରଣାରେ ସେମାନେ ଚାଲିଚାଲି ଯାଉଛନ୍ତି।

ଝାଡ଼ଖଣ୍ଡର ଗୋଏଲକେରା, ସୋନୁଆ ଅଞ୍ଚଳର ୩୭ ଜଣ ଶ୍ରମିକ ରେଳବାଇର ଜଣେ ଠିକାଦାରଙ୍କ ଅଧୀନରେ ସଫେଇ କର୍ମଚାରୀଭାବେ କାମ କରନ୍ତି। ଏମାନେ ଝାରସୁଗୁଡ଼ା-ସମ୍ବଲପୁର ତୃତୀୟ ରେଳ ଲାଇନ୍‌ ନିର୍ମାଣରେ ମଧ୍ୟ ନିୟୋଜିତ। ଗତ କିଛି ଦିନ ହେଲା ସେମାନେ ଶାସନ ଷ୍ଟେସନ ଅଞ୍ଚଳରେ ରହି କାମ କରୁଥିଲେ। ଲକ୍‌ଡାଉନ୍‌ ପରେ ଏମାନେ ଘରକୁ ଯିବାକୁ ପ୍ରୟାସ କରିଥିଲେ ମଧ୍ୟ ରେଳ ଚଳାଚଳ, ବସ୍‌ ଚଳାଚଳ ବନ୍ଦ ଥିବାରୁ ଏହା ସମ୍ଭବ ହୋଇନଥିଲା। ମାତ୍ର ଘରକୁ ଯାଇ ପ୍ରିୟଜନଙ୍କ ପାଖରେ ରହିବାକୁ ଇଚ୍ଛା ହେବାରୁ ୧୨ ଜଣ ଶ୍ରମିକ, ୧୦ ଜଣ ପୁରୁଷ ଓ ୨ ଜଣ ମହିଳା ଶ୍ରମିକ ଗତ ୨୫ ତାରିଖ ସନ୍ଧ୍ୟାରେ ଶାସନରୁ ଚାଲିଚାଲି ବାହାରିଥିଲେ। ଅଖିଆଅପିଆ ହୋଇ ରାତି ସାରା ଟ୍ରେନ୍‌ ଲାଇନ୍‌ରେ ଚାଲିଚାଲି ଘର ଅଭିମୁଖେ ବାହାରିଥିଲେ। ୨୬ ତାରିଖରେ ସେମାନେ ବାମରାରେ ଥିବା ଜଣେ ସଫେଇ କର୍ମଚାରୀଙ୍କ ଘରେ ଆଶ୍ରୟ ନେଇଥିଲେ। ସକାଳ ହେବାମାତ୍ରେ ପୁଣି ଗନ୍ତବ୍ୟ ପଥରେ ବାହାରିଥିଲେ। ତା ପରଦିନ, ଅର୍ଥାତ୍‌ ୨୭ ତାରିଖରେ ସେମାନେ ରାଜଗାଙ୍ଗପୁରରେ ରାତ୍ରୀଯାପନ କରିଥିଲେ। ଆଜି ସକାଳ ହେବାମାତ୍ରେ ସମସ୍ତ ୧୨ ଜଣ ଶ୍ରମିକ ପୁଣି ଚାଲିଚାଲି ପୂର୍ବାହ୍ନ ପ୍ରାୟ ୧ଟାରେ ରାଉରକେଲାରେ ପହଞ୍ଚିଥିଲେ। ରେଳ ଧାରଣାରେ ଚାଲିଚାଲି ଯାଉଥିବା ଶ୍ରମିକଙ୍କୁ କିଛି ବ୍ୟକ୍ତି ପଚରାଉଚରା କରିବାରୁ ଘଟଣା ବିଷୟରେ ଜଣାପଡ଼ିଥିଲା। ପରେ ସମସ୍ତଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ରାଉରକେଲାରେ ଖାଇବାପରେ ପୁଣି ସେମାନେ ଗୋଏଲକେରା ଓ ସୋନୁଆ ଅଭିମୁଖେ ବାହାରିଛନ୍ତି। ସେମାନେ ରାଉରକେଲାରୁ ବନ୍ଧମୁଣ୍ଡା, ବିଶ୍ରା, ଜରୈକେଲା ଦେଇ ସୋନୁଆ, ଗୋଏଲକେରା ଯିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର