ଅନଲକ୍ ୬.୦ : ମନ୍ଦିର ଓ ଅନ୍ୟ ଉପାସନାପୀଠ ଖୋଲିବା ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ନଭେମ୍ବର ମାସ ପାଇଁ ଅନଲକ ୬.୦ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହି ମାର୍ଗଦର୍ଶିକାରେ ରାଜ୍ୟରେ ମନ୍ଦିର ଓ ଅନ୍ୟ ଉପାସନାପୀଠଗୁଡ଼ିକୁ ଖୋଲିବା ସମ୍ପର୍କରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଅନଲକ୍ ୬.୦ ମାର୍ଗଦର୍ଶିକାରେ କୁହାଯାଇଛି ଯେ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରମାନେ ସ୍ଥିତିର ସମୀକ୍ଷା କରି ଉପାସନାପୀଠଗୁଡ଼ିକୁ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ । ସେମାନେ ଏଥି ସହ ଜଡ଼ିତ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ଓ ପରିସ୍ଥିତିକୁ ଅନୁଧ୍ୟାନ କରି ଉପଯୁକ୍ତ କରୋନା କଟକଣା ପାଳନ ସହ ଉପସନାପୀଠ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ।

କରୋନା ମହାମାରୀ ପାଇଁ ରାଜ୍ୟର ମନ୍ଦିର ଓ ଅନ୍ୟ ଉପାସନାପୀଠଗୁଡ଼ିକ ଦୀର୍ଘ ଦିନ ଧରି ବନ୍ଦ ରହିଥିବାରୁ ସେଗୁଡ଼ିକୁ ଯଥାଶୀଘ୍ର ଖୋଲିବାକୁ ସର୍ବସାଧାରଣରେ ଦାବି ହୋଇଆସୁଥିଲା । ପୁରୀର ଶ୍ରୀମନ୍ଦିର ସମେତ ଅନ୍ୟ ଦେବାଳୟଗୁଡ଼ିକୁ ଖୋଲିବା ପାଇଁ ସେବାୟତମାନେ ଦାବି କରିଆସୁଥିଲେ । ଏଥିପାଇଁ ସେମାନେ ଗତ ଅକ୍ଟୋବର ୭ରେ ବିଭିନ୍ନ ମନ୍ଦିର ଆଗରେ ଘଣ୍ଟ ଘଣ୍ଟି ବଜାଇ ପ୍ରତିବାଦ କରିଥିଲେ । ସେହିପରି କେତେକ ସେବାୟତ ପୁରୀ ଶ୍ରୀମନ୍ଦିର ଆଗରେ ଧାରଣାରେ ମଧ୍ୟ ବସିଥିଲେ । ଏଥିସହ ରାଜ୍ୟ ସରକାର ଦେବୋତ୍ତର କମିସନଙ୍କ ଅଧିନରେ ଥିବା ସମସ୍ତ ମଠମନ୍ଦିରର ପୂଜକ ଓ କମର୍ମକର୍ତ୍ତାଙ୍କର ମନ୍ଦିର ଖୋଲିବା ନେଇ ମତ ସଂଗ୍ରହ କରିଥିଲେ। ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ଏହା ସରକାରଙ୍କ ନିକଟକୁ ଆସିଥିଲା।

ସମ୍ବନ୍ଧିତ ଖବର