ହାତୀ ଆକ୍ରମଣରେ ଗୁରୁତରଙ୍କୁ କଟକ ସ୍ଥାନାନ୍ତର ପାଇଁ ଖର୍ଚ୍ଚ ଦେଲାନି ବନ ବିଭାଗ, ରାସ୍ତା ଅବରୋଧ କଲେ ଗ୍ରାମବାସୀ

ବନ୍ତଳା: ଅନୁଗୁଳ ବନାଞ୍ଚଳ ଅନ୍ତର୍ଗତ ସାହାରାଗୁଡ଼ା ଗ୍ରାମରେ ଆଜି ସକାଳୁ ହାତୀ ଆକ୍ରମଣରେ ଗୁରୁତର ଅକ୍ଷୟ ନାଏକଙ୍କୁ କଟକ ସ୍ଥାନାନ୍ତରିତ ପାଇଁ ବନ ବିଭାଗ ଚିକିତ୍ସା ଖର୍ଚ୍ଚ ନଦେବାରୁ ସ୍ଥାନୀୟ ଜନତା ଉତ୍ତେଜିତ ଦେଖାଯାଇଛନ୍ତି। ସେମାନେ ପୁରୁଣା କଟକ-ସମ୍ବଲପୁର ରାସ୍ତାର ବନ୍ତଳା ଛକରେ ବନ ବିଭାଗ ବିରୋଧରେ ଟାୟାର ଟାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ବନ୍ତଳା ପୁଲିସ ପହଞ୍ଚି ସାହାରାଗୁଡ଼ାବାସୀଙ୍କୁ ବୁଝାସୁଝା କରୁଥିବା ବେଳେ ବନ ବିଭାଗର କୌଣସି କର୍ମଚାରୀ ପହଞ୍ଚି ନାହାନ୍ତି।‌ ଗାଁ ଲୋକଙ୍କର ଅଭିଯୋଗ ଅନୁସାରେ ହାତୀ ଆକ୍ରମଣରେ ଗୁରୁତର ଅକ୍ଷୟ ନାଏକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ରହିଛି। ସେ ଜଣେ ଗରିବ ଲୋକ ହୋଇଥିବାରୁ ବନ ବିଭାଗ ତରଫରୁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉ। ଏଥି ସହିତ ସାହାରାଗୁଡ଼ା ଗାଁର ଚାରିପାର୍ଶ୍ବରେ ସୌରଚାଳିତ ତାରବାଡ଼ା ଦିଆଯିବା ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଦନ୍ତାହାତୀ ଆକ୍ରମଣରେ ଆଜି ସକାଳୁ ବନ୍ତଳା ବନାଞ୍ଚଳ କୁମୁରିସିଂହା ପଞ୍ଚାୟତ ପାତେଳି ଗ୍ରାମର ଝିଲ୍ଲୀ ମାଝୀ(୪୨) ଓ ଅନୁଗୁଳ ବନାଞ୍ଚଳର ଶଙ୍କର ବିଶ୍ୱାଳ(୬୨)ଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ବନ୍ତଳା ବନାଞ୍ଚଳ ଓ ଅନୁଗୁଳ ବନାଞ୍ଚଳ ସୀମାନ୍ତରେ ଏକ ଦନ୍ତାହାତୀ ଦୁଇଦିନ ହେଲା ବ୍ୟାପକ କ୍ଷୟକ୍ଷତି କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ସାହାରାଗୁଡା ଗ୍ରାମର ଅକ୍ଷୟ ନାଏକ ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକମାନେ ଅନୁଗୁଳ-ବନ୍ତଳା ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

ସମ୍ବନ୍ଧିତ ଖବର