ସିଲେଇ କେନ୍ଦ୍ରରୁ ଘରକୁ ଫେରୁଥିଲେ ଯୁବତୀ, ଚାପିଦେଲା ହାଇୱା, ମୃତଦେହ ରଖି ରାସ୍ତାରୋକ

ଧାମରା: ସିଲେଇ କେନ୍ଦ୍ରରେ ତାଲମି ନେଇ ଘରକୁ ଫେରୁଥିବା ବେଳେ ଜଣେ ଯୁବତୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଭଦ୍ରକ ଜିଲ୍ଲା ଧାମରା-ବାସୁଦେବପୁର ମୁଖ୍ୟ ରାସ୍ତାରେ ଯୁବତୀଙ୍କ ଉପରେ ଦ୍ରୁତଗାମୀ ହାଇୱା ଚଢ଼ିଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଲୋକେ ମୃତଦେହ ରଖି ହାଇୱା ଚାଳକଙ୍କୁ ଗିରଫ ଓ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ମୃତକ ହେଲେ ରାଧିକା ମଣ୍ଡଳ।

ସୂଚନା ଅନୁସାରେ ଧାମରା ଥାନା ଅନ୍ତର୍ଗତ ଦୋସିଙ୍ଗା ଗ୍ରାମପଂଚାୟତ ଓରାମଳ ଗ୍ରାମର ଅଶୋକ ମଣ୍ଡଳଙ୍କ ଝିଅ ରାଧିକା ମଣ୍ଡଳ ଆଜି ପୂର୍ବାହ୍ନଣରେ ଧାମରା ନିକଟସ୍ଥତ ଡ଼ିଆଇରୋଡ଼ ନିକଟରେ ଆଦାନୀ ସ୍କିଲ ସେଣ୍ଟରକୁ ସିଲେଇ ଶିଖିବାକୁ ଯାଇଥିଲେ ସେଠାରୁ ସେ ସିଲେଇ ତାଲିମ ନେଇ ପୂର୍ବାହ୍ନ ୧୧ଟା ୪୫ରେ ଘରକୁ ଫେରୁଥିଲେ। ବାଟରେ ରାଧିକାଙ୍କୁ ଏକ ଦ୍ରୁତଗାମୀ ହାଇୱା ଧକ୍କା ଦେଇ ଫେରାର ହୋଇଯାଇଥିଲା।

ରାଧିକାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକ ଏବଂ ସ୍ଥାନୀୟ ଜନତା ହାଇୱା ଚାଳକକୁ ଗିରଫ ଏବଂ ମୃତକଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଧାମରା-ବାସୁଦେବପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି।

ସମ୍ବନ୍ଧିତ ଖବର