ବିବାହିତ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଶବ ରଖି ରାସ୍ତା ଅବରୋଧ

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ବୋଡ଼େନ ଗାଁରେ ଜୈନିକ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ସାଧାରଣରେ ଉତ୍ତେଜନା ଦେଖାଯାଇଛି। ମୃତକଙ୍କ ପରିବାର ଲୋକେ ଏହାକୁ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଧର୍ମଗଡ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗରୁ ଜଣାଯାଏ ଯେ, ଗତକାଲି ଦିନ ପ୍ରାୟ ୧.ଟା ୩୦ ମିନିଟରେ ବୋଡେନ ଗ୍ରାମର ନକୁଳ ବେମାଲ (୪୧) କେନାଲ ରାସ୍ତାରେ ଯାଉଥିଲେ। ଏହି ସମୟରେ ଉକ୍ତ ଗ୍ରାମର ଗିରିଧାରୀ ବାରିକ, ସୋମବାରୁ ଭଂଏ ସାଲ ଓ ଦଶରଥ ଶବର ମିଶି ନକୁଳଙ୍କୁ ହତ୍ୟା କରି ନିକଟସ୍ଥ ଦାବରିପଦର ଗାଁର ସାଗର (ପୋଖରୀ)ରେ ଫିଙ୍ଗି ଦେଇଥିବା ତାଙ୍କ ବଡ଼ଭାଇ ତୁଳା ରାମ ବେମାଲ ଧର୍ମଗଡ ଥାନାରେ ଏ ତଲା ଦେଇଛନ୍ତି।

ଏପରି କି କିଛି ସମୟ ପରେ ଗିରିଧାରୀ ବାରିକ ମୃତକଙ୍କ ଘରକୁ ଆସି ଲକ୍ଷ୍ମୀ ସାଗରରେ ନକୁଳ ବୁଡି ଯାଇଥିବା କହିଥିଲେ। ସୋମବାରୁ ଓ ଦଶରଥ ତାଙ୍କୁ ଉଦ୍ଧାର କରିବାରେ ବିଫଳ ହେଲେ ବୋଲି ମଧ୍ୟ ପରିବାରକୁ କହିଥିଲେ। ପରେ ପରିବାର ଲୋକ ଘଟଣାସ୍ଥଳକୁ ଯାଇ ଖୋଜାଖୋଜି କରି ଏହି ବିଷୟରେ ଧର୍ମଗଡ଼ ଥାନାକୁ ଜଣାଇଥିଲେ।

ଖବର ପାଇ ଧର୍ମଗଡ଼ ପୁଲିସ ପହଞ୍ଚିଥିଲା ଓ ସ୍ଥାନୀୟ ଦମକଳ ବିଭାଗର ସାହାଯ୍ୟରେ ଏହି ସାଗରରେ ଅନୁସନ୍ଧାନ କରା ଯାଇଥିଲା। କିନ୍ତୁ କିଛି ସନ୍ଧାନ ନମିଳିବାରୁ ଗାଁରେ ଉତ୍ତେଜନା ଦେଖାଯାଇଥିଲା। ଫଳରେ ଅଧିକ ପୁଲିସ ମୁତୟନ କରାଯାଇଥିଲା। ରାତି ତମାମ ଗାଁ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

ଆଜି ସକାଲୁ ଲକ୍ଷ୍ମୀ ସାଗରରୁ ମୃତଦେହ ଉଦ୍ଧାର ହେବା ପରେ ଉତ୍ତେଜିତ ଲୋକେ ରାସ୍ତା ଉପରେ ଶବ ରଖି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ। ଖବର ପାଇ ଉପଜିଲ୍ଲାପାଳ ଧର୍ମଗଡ଼ ପାୱାର ସଚିନ ପ୍ରକାଶ, ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା ଓ ଉପଖଣ୍ଡ ପୁଲିସ ଅଧିକାରୀ ଧୀରଜ ଚୋପଦାର, ଲୋକଙ୍କୁ ବୁଝାସୁଝା କଲା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି। ଘଟଣା ପର ଠାରୁ ସୋମବାରୁ ଓ ଦଶରଥ ଫେରାର ଥିବା ବେଳେ ପୁଲିସ ତଦନ୍ତ ପାଇଁ କିଛି ଲୋକଙ୍କୁ ଅଟକ ରଖିଛି।

ସମ୍ବନ୍ଧିତ ଖବର