ସମ୍ବଲପୁର : ଦେଶରେ ସାଇବର୍ ଲୁଟେରା ମାନେ ସବୁଦିନ ନୂଆ ନୂଆ ଉପାୟ ମାଧ୍ୟମରେ ଲୋକଙ୍କୁ ଠକୁଥିବା ବେଳେ ଏବେ କିଚି ଦେଶୀ ସାଇବର୍ ଲୁଟେରା ସମ୍ବଲପୁର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବ୍ୟାଙ୍କ ଏଟିଏମ୍ ବନ୍ଦ ହୋଇଗଲା ଭଳି ଭୟ କରିବା କିମ୍ବା ପୁରସ୍କାର ଜିତିବା ଭଳି ଲୋଭ ଦେଖାଇ ସାଇବର୍ ଲୁଟେରାମାନେ ଲୋକଙ୍କୁ ଠକୁଥିବା ବେଳେ ଏବେ ଓଡ଼ିଶାରେ ମାତିଥିବା କିଛି ଦେଶୀ ସାଇବର୍ ଲୁଟେରା ଲୋକଙ୍କ ଆସ୍ଥାକୁ ନେଇ ଲୁଟ୍ କରୁଛନ୍ତି। ଭଗବାନଙ୍କ ଉପରେ ଲୋକେ ଆସ୍ଥା ଓ ବିଶ୍ବାସ କରୁଥିବା ବେଳେ କିଛି ଲୋକ ଏହାର ଫାଇଦା ଉଠାଇବା ପାଇଁ ଲାଗିପଡ଼ିଛନ୍ତି। ପୂଜା କରିଲେ ଆପଣଙ୍କ ଦୁଃଖ କଷ୍ଟ ଦୂର ହୋଇଯିବ, ଏଭଳି କହି ଲୋକଙ୍କୁ ସିଧାସଳଖ ହଜାର ହଜାର ଟଙ୍କା ଲୁଟ୍ କରାଯାଉଛି। ନିକଟରେ ଏହି ଲୁଟେରାମାନେ ସମ୍ବଲପୁରରେ ପୂଜା କରିବା ପାଇଁ କହି ଜଣଙ୍କଠାରୁ ୨୫ ହଜାର ଟଙ୍କା ଲୁଟ୍ କରି ନେଇଥିଲେ।
ପାଞ୍ଚଗଛିଆ ଅଞ୍ଚଳର ସନ୍ଦୀପ କୁମାର କେଡିଆ(୩୮) ଅଇଁଠାପାଲି ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ, ପାଞ୍ଚଗଛିଆରେ ଥିବା କେଡିଆ ଢାବାକୁ ଏକ ଅଜଣା ନମ୍ବରରୁ ଗତ ୨୪ ତାରିଖ ଦିନ ୧୦ଟା ବେଳେ ଏକ କଲ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ଜଣକ ନିଜକୁ ଜଣେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ(ପିଏ) ବୋଲି ପରିଚୟ ଦେଇଥିଲା। ତାଙ୍କ ସହିତ ମନ୍ତ୍ରୀ ଓ ମାତା(ହୋଲି ମଦର) ଥିବା କହିଥିଲେ। ମହିଳା ଜଣକ ନିଜକୁ ମନ୍ତ୍ରୀଙ୍କ ମା’ ବୋଲି ପରିଚୟ ଦେବା ସହିତ ରେଷ୍ଟୁରାଣ୍ଟରେ ଖାଇବା ବ୍ୟବସ୍ଥା ପାଇଁ ଫୋନ୍ ଯୋଗେ ଅନୁରୋଧ କରିଥିଲେ ଏବଂ ଅତି ସରଳ ଖାଦ୍ୟର ଅର୍ଡର ଦେଇଥିଲେ। ଅର୍ଡର କରିବା ପରେ ତାଙ୍କୁ ହୋଟେଲର ଉନ୍ନତି ପାଇଁ କାଳୀ ପୂଜାର ଆୟୋଜନ କରିବାକୁ ପ୍ରବର୍ତ୍ତାଇଥିଲେ ଏବଂ ପୂଜା ଖର୍ଚ୍ଚ ପାଇଁ ୨୫୦୦୦ ଟଙ୍କା ଦେବାକୁ କହିଥିଲେ। ମହିଳାଙ୍କ କଥାକୁ ବିଶ୍ବାସ କରି ସେ ତାଙ୍କ ଆକାଉଣ୍ଟକୁ ଫୋନ୍ପେ ମାଧ୍ୟମରେ ୨୫ ହଜାର ଟଙ୍କା ପାଠାଇ ଥିଲେ। ସେଦିନ ସନ୍ଧ୍ୟାରେ ସେମାନଙ୍କ ଦ୍ବାରା ଠକେଇର ଶିକାର ହୋଇଥିବା ସେ ଜାଣିବାକୁ ପାଇଥିଲେ। କୌଣସି ଉପାୟ ନପାଇ ସନ୍ଦୀପ ଏ ନେଇ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ଏହି ଘଟଣାରେ ପୁଲିସ ତତ୍ପରତା ପ୍ରକାଶ କରିବା ସହ ତନାଘନା ଆରମ୍ଭ କରିଥିଲା। ଏଥିପାଇଁ ୫ଟି ଜିଲ୍ଲାରେ ଖୋଜାଖୋଜି କରିବା ପରେ ଶୁକ୍ରବାର ରାତିରେ ସୁଧାଂଶୁ ନାଏକ, ସୌମ୍ୟ ରଞ୍ଜନ ପ୍ରଧାନ ଓ ପ୍ରତାପ ବେହେରାକୁ ଗିରଫ କରି ପଚରା ଉଚରା କରିଥିଲା। ପଚରାଉଚରା ବେଳେ ସୁଧାଂଶୁ ନିଜ ଦୋଷ ମାନିବା ସହ ଠକେଇ ଟଙ୍କା ପାଇଥିବା ସ୍ୱୀକାର କରିଥିଲା। ଛଅ ମାସ ପୂର୍ବେ ସେ ବୌଦ୍ଧ ଟାଉନ ଥାନା ପାନକିମାଲର ସୌମ୍ୟ ରଂଜନ ପ୍ରଧାନ ଓରଫ୍ ବିକି ଓରଫ୍ ମନିଷା କିନ୍ନକ(୨୮) ଓ ଦେବଗଡ଼ାର ପ୍ରତାପ ବେହେରା(୨୩)ଙ୍କ ସମ୍ପର୍କରେ ଆସିଥିବା କହିଥିଲା। ସୌମ୍ୟ ତାକୁ ତାଙ୍କ ସହ ଏହି ଠକେଇ କାମର ସାମିଲ ହେବା ପାଇଁ ଆକର୍ଷିତ କରାଇଥିଲା ଏବଂ ବଦଳରେ ତାଙ୍କୁ ଭଲ ଟଙ୍କା ମିଳିବ ବୋଲି କହିଥିଲା। ଏହାପରେ ସୌମ୍ୟ ତାଙ୍କୁ ତାଙ୍କ ଲିଡର୍ ଢେଙ୍କାନାଳର ସୁଧୀର ରଞ୍ଜନ ମହାପାତ୍ର ଓରଫ୍ ଦୁର୍ଗା ମା’କୁ ଚିହ୍ନା କରାଇଥିଲେ। ଏହାପରେ ସବୁ ଅଭିଯୁକ୍ତ ମିଶି କାଳୀ ପୂଜା କରାଇବା କହି ୨୫ ହଜାର ଟଙ୍କା ଲୁଟ୍ କରିଥିଲେ। ସୁଧାଂଶୁ ନାଏକ, ସୌମ୍ୟ ରଞ୍ଜନ ପ୍ରଧାନ ଓ ପ୍ରତାପ ବେହେରାକୁ ପୁଲିସ ଗିରଫ କରିବା ସହ ଶନିବାର କୋର୍ଟ ଚାଲାଣ କରିଛି। ସେମାନଙ୍କ ପାଖରୁ ପୁଲିସ ୧୮ ହଜାର ଟଙ୍କା ସାଙ୍ଗକୁ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି। ମୁଖ୍ୟ ସୁଧୀର ରଞ୍ଜନ ଫେରାର୍ ଅଛି।