ତରତୁଆ ମଦନିଗମ ପରିବହନରେ ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦେବା ଦାବି

ଖୋର୍ଦ୍ଧା: ତରତୁଆ ଠାରେ ସ୍ଥାପିତ ହୋଇଥିବା ରାଜ୍ୟ ସରକାରଙ୍କ ମଦ ନିଗମର ନୂଆ ଗୋଦାମରେ ସାମଗ୍ରୀ ପରିବହନରେ ଓ ଶ୍ରମ ନିଯୁକ୍ତିରେ ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦେବା ଦାବିରେ ଆଜି ସାମୟିକ ଉତ୍ତେଜନା ସୃଷ୍ଟି ହୋଇଛି ।

ସୂଚନାନୁସାରେ, ଆଜି ମଦ ନିଗମରୁ ପ୍ରଥମ ମଦ ପରିବହନ କରାଯାଇଥିଲା । ଏହା ଜାଣିବା ପରେ ଶତାଧିକ ସ୍ଥାନୀୟ ଲୋକ ସେଠାରେ ଜମା ହୋଇ ଗାଡ଼ିଗୁଡ଼ିକୁ ଛାଡ଼ିନଥିଲେ । ଏହାପରେ ଏସ୍ଡିପିଓ ସୁଶୀଲ ମିଶ୍ର, ଟାଉନ୍ ଥାନା ଆଇଆଇସି ସଂଜୟ ପଟ୍ଟନାୟକ ପ୍ରମୁଖ ସେଠାରେ ପହଂଚି ଲୋକଙ୍କ ବୁଝାଶୁଝା କରି ପରିସ୍ଥିତିକୁ ସ୍ୱାଭାବିକ କରିଥିଲେ ।

ସ୍ଥାନୀୟ ୱାର୍ଡ଼ ସଭ୍ୟ ସବିର ଖାଁଙ୍କ କହିବାନୁସାରେ, ୨ ବର୍ଷ ପୂର୍ବେ ଯେତେବେଳେ ଏଠାରେ ମଦ ନିଗମର ଗୋଦାମ ନିର୍ମାଣ ହେଲା ସେହି ସମୟରେ ପଦସ୍ଥ ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ପରିବହନରେ ସ୍ଥାନୀୟ ଗାଡ଼ିକୁ ବ୍ୟବହାର କରିବାର ପ୍ରତିଶ୍ରୁତି ଦେଇଥିଲେ । ଚଳିତ ମାସ ୨୬ ତାରିଖରେ ପ୍ରଥମ ସାମଗ୍ରୀ ପରିବହନର ବ୍ୟବସ୍ଥା ହୋଇଥିଲା, କିନ୍ତୁ ଆଜି ପରିବହନ ଆରମ୍ଭ ହୋଇଥିଲା । ଏହି ପରିବହନ ସମ୍ପର୍କରେ ପୂର୍ବ ପ୍ରତିଶ୍ରୁତି ଅନୁସାରେ ସ୍ଥାନୀୟ ଲୋକଙ୍କ ଗାଡ଼ିକୁ ନିୟୋଜିତ କରାଯାଇନଥିଲା । ଏନେଇ ସେମାନେ ଗୋଦାମର ଶାଖା ପରିଚାଳକ ପି ସେଠୀଙ୍କୁ ପଚାରିବାରେ ସେ କହିଥିଲେ, ପରିବହନରେ ନିୟୋଜିତ ଗାଡ଼ିଗୁଡ଼ିକ ନିୟମାନୁସାରେ ପୂର୍ବରୁ ଅନ୍ଲାଇନ୍ରେ ବୁକ୍ କରିଛନ୍ତି, ଏଣୁ ସ୍ଥାନୀୟ ଗାଡ଼ିଗୁଡ଼ିକୁ ବ୍ୟବହାର କରାଯାଇପାରିବ ନାହିଁ । ଏହାପରେ ସେମାନେ ଗାଡ଼ିଗୁଡ଼ିକୁ ଅଟକାଇ ଧାରଣାରେ ବସିଥିଲେ । ପରେ ପୁଲିସ ଅଧିକାରୀମାନେ ସେଠାରେ ପହଂଚି ବୁଝାଶୁଝା କରିଥିଲେ । ଏନେଇ ୨୬ ତାରିଖରେ ତ୍ରିପାକ୍ଷିକ ବୈଠକରେ ପରବର୍ତୀ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଉଠିଥିଲେ ।

ସମ୍ବନ୍ଧିତ ଖବର