୧୦ ପଞ୍ଚାୟତକୁ ମିଳିନି ମନରେଗା ଅନୁଦାନ, ସରପଂଚ ଓ ସମିତିସଭ୍ୟ ବ୍ଲକ ଘେରିଲେ

ଜୟପୁର: ଗତ ୮ମାସ ହେବ ପଂଚାୟତର ଅମୃତ ସରୋବର କାମ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନମୂଳକ କାମ କରାଗଲା। ଶ୍ରମିକଙ୍କ ମଜୁରୀ ଓ ଲକ୍ଷାଧିକ ଟଙ୍କାର ମେଟାଲ, ଚିପସ, ବାଲି ଓ ସ‌ିମେଣ୍ଟ ଆଦି ବାକିରେ ଆଣି ଉନ୍ନୟନ କାମ କରିଲୁ। ମାର୍ଚ୍ଚ ମାସ ଶେଷ ହେବାକୁ ଆଉ ଚାରି ଦିନ ବାକି ରହିଥିଲେ ହେଁ କାମ କରିଥିବା ଶତାଧିକ ଶ୍ରମିକଙ୍କ ମଜୁରୀ ଟଙ୍କା ସହ କଂଚାମାଲ ଦେଇଥିବା ଟଙ୍କା ମଧ୍ୟ ମିଳୁନାହିଁ ବୋଲି ୧୦ଟି ପଂଚାୟତର ସରପଂଚ ଓ ସମିତିସଭ୍ୟ ଅଭିଯୋଗ କରିଛନ୍ତି। ଏମାନେ ସୋମବାର ସକାଳ ଠାରୁ ଏହି ଅଭିଯୋଗକୁ ନେଇ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି।

ବିଡିଓଙ୍କ ରୁମ  ସମ୍ମୁଖ ଗେଟକୁ ପକାଇ ତା ସମ୍ମୁଖରେ ବସି ଧାରଣା ଦେଇଥିଲେ। ଫଳରେ ଆଜି  ବିଡିଓ ରାଜୀବ ଦାସ  ଓ ଏବିଡିଓ ମନୋଜ କୁମାର ନାୟକ ଆଜି ଥିବା ପଂଚାୟତ ଅଭିଯୋଗ ଶୁଣାଣୀକୁ ଯାଇ ପାରିନଥିଲେ। ବିଡିଓ ଓ ଏବିଡିଓ ଧାରଣାରତ ସରପଂଚ ଓ ସମିତିସଭ୍ୟଙ୍କୁ  ବହୁ ବୁଝା ସୁଝା କରିବା ପରେ ବି କେହି ଶୁଣି ନଥିଲେ। ସକାଳ ସାଢ଼େ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ।  ନରେଗା ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ ଯେ‌ କୌଣସି ଉନ୍ନୟନ କାମର ୬୦ପ୍ରତିଶତ ଶ୍ରମିକ ମଜୁରୀ ଓ ୪୦ପ୍ରତିଶତ କଂଚାମାଲ ପାଇଁ ଖର୍ଚ୍ଚ କରି ହେବ। ତେବେ ପଂଚାୟତର ସମସ୍ତ କାମକୁ ନେଇ ଏହାକୁ ଆକଳନ କରାଯାଉଛି ବୋଲି ବହୁ ବୁଝାସୁଝା କରିବା ସହ ଆସନ୍ତା ଅପ୍ରିଲ ମାସରେ ଏମାନଙ୍କ ଟଙ୍କା ମିଳିବ ବୋଲି ବିଡିଓ କହିବା ପରେ ଧାରଣାରୁ ଓହରିଥିବା ଏମାନେ କହିଛନ୍ତି।

ଏହି ଧାରଣାରେ ଡଙ୍ଗରଚିଂଛି ସରପଂଚ କମଲୋଚନ ଗାଧବା, ଟାଙ୍କୁଆ ସରପଂଚ ରୁକ୍ମଣି ଗାଧବା, ପାମ୍ପୁଣୀ ସରପଂଚ ଶିବ ଭୁମିଆ, ବାଲିଆ ସରପଂଚ ସରସ୍ବତୀ ମାଜୀ, ଗଡପଦର ସରପଂଚ ହୀରାମଣି ଭୁମିଆ, ରାଣିଗଡ଼ ସରପଂଚ ଲଛମନ ହାଲବା, କୁମିଲିପୁଟ ସରପଂଚ ସୁଶିଳା ପେଣ୍ଟିଆ, ପୁଜାରୀପୁଟ ସରପଂଚ କିଶ୍ବରୀ ନାୟକ, ଏକମ୍ବା ସରପଂଚ ମୋତି ସୁଣ୍ଡାଙ୍କ ସହ କିଛି ସମିତିସଭ୍ୟ, ନାଏବସରପଂଚ ଆଦି ଭାଗ ନେଇଥିଲେ। ଏପରିକି କିଛି ସରପଂଚ ନିଜ ନିକଟରେ ଥିବା ସୁନା ଅଳଙ୍କାର  ବନ୍ଧକ ରଖି ଓ ଧାନ  ବି କଂଚାମାଲ ଆଣି କାମ କରାଇଥିବା କହିଛନ୍ତି। ଅପରପକ୍ଷରେ ଏହି ୧୦ଟି ପଂଚାୟତର ଶ୍ରମିକ ମାନେ କାମ କରି ୮ରୁ ୧୦ମାସ ହେବ ମଜୁରୀ ନ ପାଇବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ସରପଂଚ ମାନେ ପ୍ରଶ୍ନ କରିଛନ୍ତି। ଏହି ସ୍ଥିତିରେ ଗ୍ରାମାଂଚଳର ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବେ ନାହିଁ କି ବୋଲି ପ୍ରଶ୍ନ ଉଠାଇଛନ୍ତି।

ନରେଗାରେ ରହିଥିବା ମାର୍ଗଦର୍ଶିକା ଅନୁଯାୟୀ ଯେ କୌଣସି କାମର ୬୦ପ୍ରତିଶତ ଶ୍ରମିକଙ୍କ ମଜୁରୀ ଓ ୪୦ପ୍ରତିଶତ କଂଚାମାଲ ଖର୍ଚ୍ଚ ପାଇଁ ରହିଥାଏ। ବର୍ଷର ଶେଷରେ ପଂଚାୟତରେ ହୋଇଥିବା ସବୁ ନରୋଗା ଯୋଜନାର କାମକୁ ପଂଚାୟତ ହିଁ ଆକଳନ କରି ଅନଲାଇନରେ ହିଁ ରିପୋର୍ଟ ଦାଖଲ କରିଥାଏ। ଏହି ରିପୋର୍ଟକୁ ଭିତ୍ତିକରି ବ୍ଲକ ୱାରୀ ଖର୍ଚ୍ଚର ବିବରଣୀ ଦାଖଲ ହୋଇଥାଏ ବୋଲି କହିଛନ୍ତି ବିଡିଓ। ୧୨ଟି ପଂଚାୟତ ଠିକ୍ ଭାବେ ଏହା କରିଥିବା ବେଳେ ୧୦ଟି ପଂଚାୟତର ଶ୍ରମିକ ଓକଂଚାମାଲ ଖର୍ଚ୍ଚର ଯେଉଁ ହାର ରହିବା କଥା ତାହା ନ ରହିବା ଫଳରେ ଏଭଳି ସମସ୍ୟା ଉପୁଜିଛି ବୋଲି କହିଛନ୍ତି ବିଡିଓ। ତେବେ ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ ଏପ୍ରିଲ ବେଳକୁ ଏହା ଠିକ୍ ହେବା ସହ ସମସ୍ତ ଶ୍ରମିକଙ୍କ ମଜୁରୀ ଟଙ୍କା ଓ କଂଚାମାଲର ଟଙ୍କା ମିଳିଯିବ ବୋଲି କହିଛନ୍ତି ବିଡିଓ।

ତେବେ ପ୍ରଶ୍ନ ଉଠୁଛି ଯେ, ଏ ସଂପର୍କରେ ସରପଂଚ ମାନେ ପୂର୍ବରୁ କିଭଳି ଅବଗତ ନଥିଲେ । ପଂଚାୟତସ୍ତରରେ ରହୁଥିବା ଜିଆରଏସ୍ ଓ ଗ୍ରାମଂପଚାୟତ ବୈଷୟିକ ସହଯୋଗୀ ଓ କନିଷ୍ଠ ଯନ୍ତ୍ରୀ ମାନେ କାମ କରୁଥିଲେ ହେଁ ସେମାନେ କିଭଳି ସଚେତନତା ସୃଷ୍ଟି କଲେ ନାହିଁ ତାହାକୁ  ନେଇ ବୁଦ୍ଧିଜୀବୀ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର