ନକ୍ସଲ ପ୍ରତାରିତ ପରିବାରକୁ ପ୍ରଶାସନ ଦେଲା ଜାଗା, ସ୍ଥାନୀୟ ଲୋକଙ୍କ ଗଣ୍ଡଗୋଳ ‌ଯୋଗୁଁ ଥାନାରେ ଏତଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ନକ୍ସଲ ଦ୍ବାରା ପ୍ରତାରିତ ହୋଇ ବହୁ ପରିବାର ନିଜର ଘରଦ୍ବାର ଛାଡି ଯାଯାବର ଜୀବନଯାପନ କରୁଛନ୍ତି। ଆଜି ବି ନିଜର ଭିଟାମାଟିକୁ ଫେରିପାରିନାହାନ୍ତି। ସେମାନଙ୍କ ମଧ୍ୟରେ ଜଣେ ହେଲ ପଦିଆରାମ ପଡିଆମି।ନିଜ ଘର ପଡିଆ ବ୍ଲକର ମାଟେରୁ ପଞ୍ଚାୟତର ବତନ ବେଡା। ପଦିଆର ବାପା ଭୀମା ପଡିଆମି । ସେ ହେଉଛନ୍ତି ଏହି ଗ୍ରାମର ଜଣେ ଅତି ଜଣାଶୁଣା ବ୍ୟକ୍ତି। ତାଂକ ପାଖରେ ବହୁ ଜମି ରହିବା ସହ ୨୦୦ରୁ ଊର୍ଦ୍ଧ୍ବ ଗାଈଗୋରୁ ରହିଥିଲେ। ଜଣେ ଜମିଦାର ଭଳି ସେ ଏଠାରେ ରହିଥିଲେ। ତାଂକର ଇସାରାରେ ଏଠାରେ ସବୁ କାମ ଚାଲେ।

ତେବେ ସେ ନକ୍ସଲଙ୍କର ଟାର୍ଗେଟକୁ ଆସିଯାଇଥିଲେ। ୨୦୦୮ ମସିହାରେ ନକ୍ସଲ ନେତା ରାମନ୍ନା, ସୁକଦେବ ସମେତ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ହଠାତ୍ ତାଂକ ଘର ଉପରେ ଚଢଉ କରି ଭୀମା ପଡିଆମକୁ ହତ୍ୟା କରିବା ସହ ଘରକୁ ନିଆଁ ଲଗାଇ ଦେଇଥିଲେ। ଏଥିସହ ୨୦୦ ଗାଈଗୋରୁଙ୍କୁ ନେବା ସହ ଘରେ ଥିବା ଧାନ, ଚାଉଳ, ମାଣ୍ଡିଆ, ସୁଆଁ ଇତ୍ୟାଦି ମଧ୍ୟ ନେଇଯାଇଥିଲା। ପରିବାର ଲୋକଙ୍କୁ ତୁରନ୍ତ ଏହି ସ୍ଥାନ ଛାଡିବାକୁ ଧମକ ଦେଇଥିଲେ। ପଦିଆ ନିଜ ବାପାଙ୍କୁ ହରାଇବା ସହ ଘର ଛାଡିବାକୁ ବାଧ୍ୟ ହୋଇଥିଲା। ନିଜର ପରିବାର ସହ ସେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ।

ତତ୍କାଳୀନ ଜିଲ୍ଲାପାଳ ଏବଂ ଏସପି ପଦିଆକୁ ଏମଭି-୩ ନମ୍ବର ଗ୍ରାମରେ ଜାଗା ଦେଇ ସେଠାରେ ରହିବାକୁ କହିଥିଲେ। ପଦିଆ ସେଠାରେ ବାଡ ପକାଇ ଗୋଟିଏ ଛୋଟିଆ କୁଡିଆ ଘର କରି ରହିବା ସହ ବର୍ତ୍ତମନର ନୂଆ ମେଡିକାଲରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରି ନିଜର ପରିବାରର ପ୍ରତିପୋଷଣ କରୁଛନ୍ତି। ତେବେ ତାକୁ ମିଳିଥିବା ଜାଗାକୁ କିଛି ଲୋକ ଜବରଦସ୍ତ ଅଧା ନେବା ପରେ ପୁଣି ଏବେ ତାଂକର ଅନ୍ୟ ଜାଗାକୁ ମଧ୍ୟ ନେବାକୁ ଚାହୁଁଛନ୍ତି। ଏଥିପାଇଁ ସେମାନେ ଦଳବଳ ହୋଇ ଠେଙ୍ଗା, କାତି ଧରି ପଦିଆକୁ ଧମକ ଦେଉଛନ୍ତି। ପଦିଆ ସେତେବେଳେ ବି ପୁଲିସକୁ ଏନେଇ ଏତଲା ଦେଇଥିଲା। କିନ୍ତୁ ପୁଲିସ ସେତେବେଳେ କିଛି କରିନଥିଲା। ତେଣୁ ସେମାନେ ପଦିଆର ଅଧା ଜାଗାକୁ ମାଡି ବସିଥିଲେ। ଏବେ ପୁଣି ସେମାନେ ରାତି ଅଧରେ  ଆସି ବାଡ ଭାଙ୍ଗି ପଦିଆକୁ ଭୟଭିତ କରିବା ସହ ଜାଗାକୁ ମାଡି ବସିବା ପାଇଁ ଚାହୁଁଛନ୍ତି।

ସମ୍ବନ୍ଧିତ ଖବର