ସାଧାରଣତନ୍ତ୍ର ଦିବସରେ ଅବ୍ୟବସ୍ଥା ଓ ବ୍ଲକର ଅଚଳାବସ୍ଥା ନେଇ ବିଡିଓଙ୍କୁ ଘେରିଲେ ଜନପ୍ରତିନିଧି

ଯଥା ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଲେ ବିଡିଓ

ଯୁଯୁମୁରା: ୭୪ତମ ସାଧାରଣତନ୍ତ୍ର ଦିବସରେ ହୋଇଥିବା ଅବ୍ୟବସ୍ଥା ଓ ଦୀର୍ଘ ୪ ମାସ ଧରି ବ୍ଲକର ଅଚଳାବସ୍ଥା ନେଇ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବିଡିଓ ଶୁକ୍ରବାର ଜନପ୍ରତିନିଧିଙ୍କ ଆକ୍ରୋଶର ଶିକାର ହୋଇଥିବା ଜଣାପଡ଼ିଛି। ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ହୋଇଥିବା ଅବ୍ୟବସ୍ଥା ଓ ବ୍ଲକର ଅଚଳାବସ୍ଥା ନେଇ ବିଡ଼ିଓ ନୀଳାମ୍ବର ମହାନନ୍ଦଙ୍କୁ ସ୍ଥାନୀୟ ନେତା ଘେରିଛନ୍ତି। ବିଡିଓଙ୍କ ବିରୋଧରେ  ଶୁକ୍ରବାର ବ୍ଲକ ପରିସରରେ ଜନପ୍ରତିନିଧି ଧାରଣା ଦେଇଛନ୍ତି। ବ୍ଲକ ଅଧ୍ୟକ୍ଷା ମମତା ନାଏକ, ସମିତି ସଭ୍ୟ ଜୟନ୍ତ ପ୍ରଧାନଙ୍କ ନେତୃତ୍ବରେ ବ୍ଲକର ୧୪ଟି ପଞ୍ଚାୟତର ଜନପ୍ରତିନିଧି ଏଥିରେ ଉପସ୍ଥିତ ଥିଲେ। ବ୍ଲକର ଉନ୍ନୟନମୂଳକ କାର୍ଯ୍ୟ, ଅନ୍ୟାନ୍ୟ କାର୍ଯ୍ୟ ଠପ୍ ପଡ଼ିବା, କର୍ମଚାରୀ, ଅଧିକାରୀ, ଜନପ୍ରତିନିଧଙ୍କ ଦରମା ଓ ଭତ୍ତା ପାଇବାରେ ବିଳମ୍ବ ହେବା ସହ ବ୍ଲକରେ ନିର୍ମାଣ ହୋଇଥିବା ପ୍ରକଳ୍ପର ବିଲ୍ ଗୁଡ଼ିକ ପୈଠ କରିବାରେ ବିଳମ୍ବ କରିବା ଅଭିଯୋଗ ଆଣିଥିଲେ। ସେହିପରି ବ୍ଲକ ପରିସରରେ ଥିବା ସିସିଟିଭିକୁ କାର୍ଯ୍ୟକ୍ଷମ କରାଇବା, ବାୟୋମେଟ୍ରିକ୍ ବ୍ୟବସ୍ଥା ଲାଗୁ କରିବା ନେଇ ଦାବି କରିଥିଲେ।

ବ୍ଲକର ଜନପ୍ରତିନିଧି ଧାରଣାରେ ବସିବା ପରେ ବିଡିଓ ସେଠାକୁ ଆସିଥିଲେ। ସେମାନଙ୍କ ସହିତ ଆଲୋଚନା କରିଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବାରୁ ଛୁଟିରେ ରହିଥିବା ନେଇ ବିଡିଓ ଶ୍ରୀ ମହାନନ୍ଦ କହିଥିଲେ। ଯଥା ଶୀଘ୍ର ସମସ୍ୟା ଗୁଡ଼ିକର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ। ସମସ୍ତଙ୍କୁ ନେ଼ଇ ବ୍ଲକର ବିକାଶ କରାଯିବ। ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି କହିଥିଲେ।

ସଭାସ୍ଥଳରେ ଆସନ୍ତା ମଙ୍ଗଳବାର ଦିନ ବ୍ଲକର ସମସ୍ତ ଅଧିକାରୀ, କର୍ମଚାରୀ ଓ ଜନପ୍ରତିନିଧିମାନଙ୍କୁ ନେଇ ବ୍ଲକ୍ ପରିସରରେ ଏକ ବୈଠକ ଆୟୋଜିତ ହେବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା। ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଧା, କଂସର ସରପଞ୍ଚ ଦିବାକର ବେହେରା, ଜୟନ୍ତ ପ୍ରଧାନ ପ୍ରମୁଖ ଉପରୋକ୍ତ ପ୍ରସଙ୍ଗଗୁଡିକ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର