ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ବାହାନଗା ନିକଟରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧)ଟ୍ରେନ୍ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍ (୧୨୮୬୪) ଧକ୍କା ହୋଇ ଭୟାବହ ଦୁର୍ଘଟଣା ଘଟିଯାଇଛି।
ଗତକାଲି ରାତି ସାଢ଼େ ୮ଟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇ ଶନିବାର ଅପରାହ୍ନରେ ଶେଷ ହୋଇଛି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଯାବତ ଏହି ଭୟାବହ ଦୁର୍ଘଟଣାରେ ୨୬୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦୦ଲୋକଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି।
ତେବେ ଏହି ଭୟାବହ ଟ୍ରେନ ଦୁର୍ଘଟଣାର ପ୍ରଚଣ୍ଡ ଶବ୍ଦ ଶୁଣିବା ପରେ ସ୍ଥାନୀୟଲୋକେ ଘଟଣାସ୍ଥଳରୁ ଧାଇଁ ଯାଇଥିଲେ। ସେମାନେ କାହାରି ଅପେକ୍ଷା ନକରି ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ। ତେବେ ଘନ ଅନ୍ଧାର ଥିବାରୁ ନିଜ ମୋବାଇଲ ଲାଇଟ ଓ ଟ୍ରଜ ଲାଇଟ ସାହାଯ୍ୟରେ ପାରୁପର୍ଯ୍ୟନ୍ତ ପୀଡିତଙ୍କୁ ଉଦ୍ଧାର କରିବାରେ ଲାଗିଥିଲେ ଯେପର୍ଯ୍ୟନ୍ତ କୌଣସି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନଥିଲେ।
#BalasoreTrainAccident | "I was nearby when this accident happened, we rescued around 200-300 people," says Ganesh, a local #OdishaTrainAccident pic.twitter.com/d8PkJNEPRY
— ANI (@ANI) June 3, 2023
ଏହି ଦୁର୍ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିବା ସ୍ଥାନୀୟ ବାସିନ୍ଦା ମଧ୍ୟରୁ ଜଣେ ହେଉଛନ୍ତି ଗଣେଶ। ଗଣେଶ କହିଛନ୍ତି, ‘ଯେତେବେଳେ ଏହି ଭୟାବହ ଦୁର୍ଘଟଣା ଘଟିଲା ମୁଁ ଦୁର୍ଘଟଣାସ୍ଥଳରୁ ୨୦୦ମିଟର ଦୂରରେ ଥିବା ଏକ ଦୋକାନରେ ଛିଡ଼ା ହୋଇଥିଲି।
ସଙ୍ଗେସଙ୍ଗେ ମୁଁ ଆଉ କିଛି ଲୋକ ଘଟଣାସ୍ଥଳରୁ ଦୌଡ଼ି ଯାଇଥିଲୁ। ସେଠାରେ ପହଞ୍ଚି ଯେଉଁ ଦୃଶ୍ୟ ଦେଖିଥିଲି ଭଗବାନଙ୍କୁ ଗୋଟିଏ ଶବ୍ଦ କହିଥିଲି, ହେ ଭଗବାନ .... ଏ କ’ଣ ? ଆଉ ଯୁଦ୍ଧକାଳିନଭିତ୍ତିରେ ମୋବାଇଲ ଟର୍ଜ ଲାଇଟରେ ୨୦୦ରୁ ୩୦୦ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲୁ। ଏଥିରେ ଛୋଟ ପିଲାମାନେ ବି ସାମିଲ ଥିଲେ। ଅନେକଲୋକ ଦୁର୍ଘଟଣାର ଶିକାର ହୋଇ ଯନ୍ତ୍ରଣାରେ ଛାଟିପିଟି ହେଉଥିବା ବେଳେ କିଏ ଉଦ୍ଧାର ପାଇଁ ଡାକ ଛାଡ଼ୁଥିଲେ। ଆଉ କିଛି ଲୋକଙ୍କ ଜୀବନ ଘଟଣାସ୍ଥଳରେ ହିଁ ଚାଲି ଯାଇଥିଲା। ବଞ୍ଚିଥିଲା ଯାଏଁ ଏହି ଭୟାବହ ଦୃଶ୍ୟକୁ ମୁଁ କେବେ ଭୁଲି ପାରିବି ନାହିଁ।’