କୂଳକୁ ମାଡ଼ି ଆସୁଛି ଅଶାନ୍ତ ସମୁଦ୍ରର ୮ଫୁଟ ଉଚ୍ଚର ଜୁଆର, ଲୋକେ ଭୟଭୀତ

ଭୋଗରାଇ: ଅମାବାସ୍ୟା ଓ ଲଘୁଚାପ ପ୍ରଭାବରେ ଫୁଲୁଛି ସମୁଦ୍ର। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଦୟପୁର, ତାଳସାରି, ବିଚିତ୍ରପୁର ଓ କୀର୍ତ୍ତନୀଆ ସମୁଦ୍ର ବେଳାଭୂମିରେ ଆଠ ଫୁଟରୁ ଅଧିକ ଉଚ୍ଚର ଜୁଆର। ସମୁଦ୍ରର ଭୟଙ୍କର ରୂପ ଦେଖି କୂଳବାସୀ ଭୟଭୀତ ହୋଇଛନ୍ତି।

ଆଜି ସପ୍ତପୁରୀ ଅମାବାସ୍ୟା ସହିତ ଲଘୁଚାପ ପାଇଁ ଓଡ଼ିଶାର ବହୁ ଜିଲ୍ଲାରେ ପ୍ରବଳ ବର୍ଷା ଓ ଘଡଘଡି ସହିତ ବର୍ଷା ପାଇଁ ସତର୍କ ସୂଚନା ରହିଥିବା ବେଳେ ସମୁଦ୍ରରେ ଉଚ୍ଚ ଜୂଆର ଦେଖିବାକୁ ମିଳିଛି। ବାତ୍ୟା ‘ୟାସ’ରେ ଆସିଥିବା ଉଚ୍ଚ ଲୁଣି ଜୁଆର ମାଡ଼ରେ ଭୋଗରାଇର ସମୁଦ୍ର କୂଳିଆ ଅଞ୍ଚଳ ପ୍ରଭାବିତ ହୋଇଥିଲା। ଏବେ ଏହି ସବୁ ବେଳାଭୂମିରେ ଉଚ୍ଚ ଜୁଆର ଆସୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି।

ତାଳସାରି ସୁବର୍ଣ୍ଣ ବେଳାଭୂମି ପୁଣି ଉଚ୍ଚ ଜୁଆର ମାଡ଼ରେ ନଷ୍ଟ ହେବାକୁ ବସିଛି । ୟାସ ପରେ ସ୍ଥାନୀୟ ଛୋଟ ଛୋଟ ବ୍ୟବସାୟୀ ମାନେ ପୁଣି ଅଣ୍ଟା ସଲଖି ବ୍ୟବସାୟ ପାଇଁ ଦୋକାନ ମେଲୁଥିବା ବେଳେ ଉଚ୍ଚ ଜୁଆର ଭୟରେ ଭୟଭୀତ ହୋଇ ପଡିଛନ୍ତି। ଜେଟି ଉପରକୁ ପାଣି ମାଡି ଆସୁଥିବାରୁ ମତ୍ସଜୀବୀ ମାନେ ସୁରଖିତ ସ୍ଥାନକୁ ଜାଲ ଓ ଡଙ୍ଗା ନେଉଛନ୍ତି। ୟାସ ବେଳେ ଉଚ୍ଚ ଜୁଆର ଆସି ଗାଁ ଭିତରେ ଅନେକ କ୍ଷତି କରିଥିବାରୁ ପୁଣି ଜୂଆର ଦେଖି ଲୋକେ ଭୟଭୀତ ଅଛନ୍ତି। ଉପକୂଳରେ ପଥର ବନ୍ଧ ପାଇଁ ଲୋକେ ସରକାରଙ୍କୁ ନିବେଦନ କରୁଛନ୍ତି।

ସମ୍ବନ୍ଧିତ ଖବର