ଭୁବନେଶ୍ବର: ସମୟ ଥିଲା ଯେତେବେଳେ ଖାଇବାକୁ କିଛି ନ ହେଲେ ବି ପଖାଳ ପିଆଜ ଖାଇ ପେଟ ଓ ମନ ବୁଝିଯାଉଥିଲା। ଅଳ୍ପ ଖର୍ଚରେ ପିଆଜ ଉତ୍ପାଦନ ହେଉଥିବାରୁ ଯେକୌଣସି ସମୟରେ ବି ଏହା ବ୍ୟାପକ ପରିମାଣରେ ମିଳିଯାଉଥିଲା। ମାତ୍ର ଆଜି ଖରା ହେଉକି ଶୀତ, ପିଆଜ ଦର ଯେଉଁଭଳି ଆକାଶଛୁଆଁ ହେଉଛି, ସମାନ୍ତରାଳ ଭାବେ ଶ୍ରମଜୀବୀଙ୍କ ପଖାଳ କଂସା ସହିତ ପିଆଜକୁ ଆଉ ଦେଖିବାକୁ ମିଳୁନି। ଏମିତିକି ନିମ୍ନମଧ୍ୟବିତ୍ତଙ୍କ ଘରକୁ ବି ପିଆଜ ପଶିପାରୁନାହିଁ। କମ୍ପାନି ବିହନର ଲାଭ ପାଇଁ ଦେଶୀ କୋଲା ପିଆଜ ଚାଷକୁ ପରୋକ୍ଷ ଭାବରେ ମାରିଦିଆଯିବା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ନେଇ ଅଭିଯୋଗ ଆସିଲାଣି। ଅନ୍ୟପକ୍ଷରେ ଶୀତ କାଳରେ ପିଆଜର ଆକାଶଛୁଆଁ ଦରକୁ ଦେଖି କୋଲା ପିଆଜ ପୁଣି ଘରେ ଘରେ ଉତ୍ପାଦନ କରିବାକୁ କୃଷି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି।
କୃଷି ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାରେ ଏପ୍ରିଲ ଓ ମେ’ ମାସରେ ପ୍ରାୟ ୩ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ଉତ୍ପାଦନ ହୋଇଥାଏ; ଯାହା ରାଜ୍ୟର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ବୋଲି କୁହାଯାଏ। ମାତ୍ର ପ୍ରାକୃତିକ ବିପର୍ଯ୍ୟୟ ଏବଂ ନାସିକ୍ ବିହନ ଉପରେ ଅଧିକ ନିର୍ଭରଶୀଳତା ଯୋଗୁଁ ଏହି ଉତ୍ପାଦନର ଲାଭ ଚାଷୀ କିମ୍ବା ଗ୍ରାହକକୁ ମିଳିପାରୁନାହିଁ। ବରଂ ଦରବୃଦ୍ଧି ସମସ୍ୟା ସୃଷ୍ଟି କରୁଥିବା କୁହାଯାଏ। ବିଶେଷଜ୍ଞଙ୍କ ଅନୁସାରେ, ଓଡ଼ିଶାରେ ନିଜ ଆବଶ୍ୟକତା ପାଇଁ ଘରେ କୋଲା ପିଆଜ ଏବଂ ବ୍ୟବସାୟ ପାଇଁ ଉଲି ପିଆଜ ଚାଷ ହୁଏ।
ବର୍ଷର ଯେକୌଣସି ସମୟରେ ଘର ବଗିଚା ବା କୂଅ ମୂଳରେ ଗୋଟିଏ କୋଲା ପୋତିଦେଲେ ଖୁବ ଶୀଘ୍ର ଫଳ ବାହାରିଯାଏ। ମଞ୍ଜିରୁ ଚାରା କରିବା ଆବଶ୍ୟକତା ପଡ଼େ ନାହିଁ। ଅତି ଅଳ୍ପ ଖର୍ଚରେ ଗୋଟିଏ ଏକର ଜମିରେ ୬୦ରୁ ୭୦ କ୍ବିଣ୍ଟାଲ କୋଲା ପିଆଜ ଉତ୍ପାଦିତ ହୋଇପାରେ। ରସାୟନିକ ସାର ନୁହେଁ, ବରଂ ଗୋବର ଖତରେ ମଧ୍ୟ ହୋଇପାରେ। ମାତ୍ର ଉଲି ପିଆଜ ଚାଷ ପାଇଁ ବିହନ କମ୍ପାନି କିମ୍ବା ନିଗମରୁ କ୍ରୟ କରିବାକୁ ପଡ଼େ। ପିଆଜ ମଞ୍ଜିରୁ ଚାରା କରିବାକୁ ୪୦ରୁ ୪୫ ଦିନ ଲାଗିଯାଏ।
ଚଳିତ ବର୍ଷ ଭଳି ଯଦି ବନ୍ୟା, ବାତ୍ୟା ହେଲା, ତେବେ ଏହି ପିଆଜ ଉତ୍ପାଦନ ମାଡ଼ ଖାଇଯାଏ। ଆହୁରି ମଧ୍ୟ ଏହି ବିହନରୁ ପିଆଜ ଫଳିବାର ସମୟ ସୀମା ୩ ମାସ ଥାଏ। ତେଣୁ ପୁରୁଣା ବିହନ ଚାଷୀ ହାତରେ ପଡ଼ିଗଲେ, ଚାଷୀ ବରବାଦ୍ ହୋଇଯାଏ। ଯାହା ଅନେକ ସମୟରେ ଚାଷୀଙ୍କୁ ତଳିତଳାନ୍ତ କରିଦିଏ। ରସାୟନିକ ସାର ବ୍ୟବହାର ଯୋଗୁଁ ଉତ୍ପାଦନ ଖର୍ଚ ମଧ୍ୟ ବଢେ। କୋଲା ପିଆଜ ତୁଳନାରେ ଉଲି ପିଆଜ ଏକର ପିଛା ୧୦୦ରୁ ୧୮୦ କ୍ବିଣ୍ଟାଲ୍ ଉତ୍ପାଦନ କ୍ଷମତା ଥିବାରୁ ସରକାରଙ୍କ ପକ୍ଷରୁ କେବଳ ଉଲି ପିଆଜ ଚାଷ କରିବାକୁ ରିହାତି ସହିତ ପ୍ରୋତ୍ସାହିତ କରାଗଲା।
ସଂପ୍ରତି ସ୍ଥିତି ଏଭଳି ହେଲାଣି ଯେ ବିହନ ଠାରୁ ସାର ପର୍ଯ୍ୟନ୍ତ ଆତ୍ମନିର୍ଭରଶୀଳ କୋଲା ପିଆଜ ଚାଷକୁ ମାରି ପରନିର୍ଭରଶୀଳ ଉଲି ଆମ ପାଇଁ ସର୍ବସ୍ବ ହୋଇପଡ଼ିଛି। ଅବିଭକ୍ତ କୋରାପୁଟ, ଗଞ୍ଜାମ, ଗଜପତି, ଫୁଲବାଣୀ, ନୟାଗଡ଼ରେ ବ୍ୟାପକ ପରିମାଣରେ କୋଲା ପିଆଜ ଚାଷ ହେଉଥିଲା। ଯାହା ଏବେ ପ୍ରାୟତଃ ହେଉନାହିଁ। ଯାହାବି ହେଉଛି କେବଳ ପଶ୍ଚିମ ଓଡ଼ିଶାର ସୀମିତ ଅଞ୍ଚଳରେ ହେଉଛି। ଅର୍ଥାତ ରାଜ୍ୟରେ ୧୫ ହଜାର ହେକ୍ଟର ପିଆଜ ଚାଷ ଜମିରୁ କେବଳ ଏକ ହଜାର ହେକ୍ଟର ଜମିରେ କୋଲା ପିଆଜ ଚାଷ ହେଉଛି।
ବାହାରୁ ବିହନ ଆସିଲା ନାହିଁ, କିମ୍ବା ଖରାପ ବିହନ ଆସିଲା, ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଯେକୌଣସି ଅବସ୍ଥାରେ ପିଆଜ ସଙ୍କଟ ହେଲା ତ ଗ୍ରାହକଙ୍କ ପାଇଁ ପିଆଜ ସ୍ବପ୍ନ ହୋଇପଡ଼ୁଛି। ଆଗ ଭଳି ଅବସ୍ଥା ନାହିଁ ଯେ ବାଡ଼ିବଗିଚାରୁ ତୋଳି ଆଣି ଖାଇବ ବା ବଜାର ଆବଶ୍ୟକତାକୁ ଛୋଟ ପିଆଜ ପୂରଣ କରିବ। ରାଜ୍ୟରେ ପିଆଜ ଚାଷ ଯେ ସାଂଘାତିକ ଷଡ୍ଯନ୍ତ୍ରର ଶିକାର ହୋଇଛି, ନିଜେ ଚାଷୀ ଏବଂ ଗ୍ରାହକ କେହି ମଧ୍ୟ ଅବଗତ ନାହାନ୍ତି। ଏଥିସଂକ୍ରାନ୍ତରେ ମୁହଁ ଖୋଲିବାକୁ କେହି ନଥିବା କୁହାଯାଏ।