ଲକ୍‌ଡାଉନ୍ ପରେ ପର୍ଯ୍ୟଟନର ପୁନରୁଦ୍ଧାର ପାଇଁ ପ୍ରୟାସ : ନଜରରେ ଘରୋଇ ପର୍ଯ୍ୟଟକ

ଦ୍ବିତୀୟ ଶ୍ରେଣୀର ସହରକୁ ଅଧିକ ଫୋକସ୍‌
ଓଡ଼ିଆ ଖାଦ୍ୟକୁ ଯୋଡ଼ି ପର୍ଯ୍ୟଟନର ପ୍ରଚାର କରାଯିବ

ଭୁବନେଶ୍ବର : କରୋନା ଲକ୍‌ଡାଉନ୍ ପ୍ରଭାବରେ ପର୍ଯ୍ୟଟନ ଶିଳ୍ପ ଭୀଷଣ ଭାବେ ପ୍ରଭାବିତ ହୋଇଛି। ଲକ୍‌ଡାଉନ୍ ପରେ ଏହି ଶିଳ୍ପ କିପରି ପୁନରୁଦ୍ଧାର ହେବ ତାହାକୁ ନେଇ ସରକାରୀ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି। ଆନ୍ତର୍ଜାତିକ ପର୍ଯ୍ୟଟକଙ୍କ ଉପରେ ଆଉ ନିର୍ଭର ନ କରି ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ାଇବାକୁ ସରକାର ଯୋଜନା କରିଛନ୍ତି। ବିଶେଷ କରି ଦ୍ବିତୀୟ ଶ୍ରେଣୀର ସହର(ଟାୟାର୍-୨)ରୁ ଅଧିକ ପର୍ଯ୍ୟଟକଙ୍କୁ ଆଣିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହୋଇଥିବା ଏକ ବୈଠକରେ ଏ ନେଇ ସରଗରମ ଆଲୋଚନା ହୋଇଛି।

ଲକ୍‌ଡାଉନ୍ ପରବର୍ତ୍ତୀ ସମୟରେ ଅଧିକ ସଂଖ୍ୟାରେ ଦେଶୀ ପର୍ଯ୍ୟଟକଙ୍କୁ ଆଣିବା ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ଆନ୍ତଃ ରାଜ୍ୟ ପର୍ଯ୍ୟଟନର ପ୍ରଚାର, ପ୍ରସାର ନିମନ୍ତେ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀରେ ଆତିଥେୟତା ଓ ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶକୁ ଆକର୍ଷିତ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଚିଲିକାରେ ରମ୍ଭା ଓ ସାତପଡ଼ା କ୍ଲଷ୍ଟର୍‌, ଭିତରକନିକା ଜାତୀୟ ଉଦ୍ୟାନ, ଚନ୍ଦ୍ରଭାଗା ବେଳାଭୂମି ଓ ତଳସାରି ବେଳାଭୂମିର ବିକାଶକୁ ପ୍ରାଥମିକତା ଦିଆଯିବ। ଦାରିଙ୍ଗିବାଡ଼ି, ସାତକୋଶିଆ, କୋଣାର୍କ ଏବଂ ନରାଜ-ଧବଳେଶ୍ବର ମଝିରେ ମହାନଦୀ ଶଯ୍ୟାରେ ଇକୋ ରିଟ୍ରିଟ୍‌-୨୦୨୦ ପାଇଁ ଥିବା ସମ୍ଭାବନାକୁ ନେଇ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ବୌଦ୍ଧ ସର୍କିଟ୍‌ ଓ ଶାମୁକା ପ୍ରକଳ୍ପର ବିକାଶକୁ ତ୍ବରାନ୍ବିତ କରାଯିବ।

ହୋମ୍‌-ଷ୍ଟେ, ଐତିହ୍ୟ ଆତିଥେୟତା, ହାଉସ୍‌ବୋଟ୍‌, ବେଳାଭୂମି ଆଦିକୁ ପ୍ରଚାର, ପ୍ରସାର କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯିବା ଉପରେ ଆଲୋଚନା ହୋଇଥିଲା। ବିଭିନ୍ନ ସରକାରୀ ସଂସ୍ଥା ଓ ଅଂଶୀଦାରମାନଙ୍କୁ ସଂପୃକ୍ତ କରି ପର୍ଯ୍ୟଟନ କ୍ଷେତ୍ରକୁ କିପରି ସମ୍ପ୍ରସାରିତ କରାଯିବ, ସେଥି ପାଇଁ ପୂର୍ଣ୍ଣାଙ୍ଗ ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ।

ପର୍ଯ୍ୟଟନ ବିଭାଗର ସଚିବ ବିଶାଲ ଦେବ କହିଥିଲେ ଯେ ପର୍ଯ୍ୟଟନ ଶିଳ୍ପ ସହ ସଂପୃକ୍ତ ହୋଟେଲ୍‌, ରେସ୍ତୋରାଁ, ରିସୋର୍ଟ, ଟୁର୍‌ ଅପରେଟର୍‌, ଦୁଃସାହସିକ କ୍ରୀଡ଼ା ଆଦି କ୍ଷେତ୍ରର ବ୍ୟକ୍ତିମାନଙ୍କୁ ନେଇ ଓଡ଼ିଶା ପର୍ଯ୍ୟଟନ ଉପରେ କରୋନାର ପ୍ରଭାବ ସମ୍ପର୍କରେ ଏକ ଆକଳନ କରାଯାଇଛି। କରୋନା ପାଇଁ ଏହି କ୍ଷେତ୍ର ସାଂଘାତିକ ପ୍ରଭାବିତ ହୋଇଛି। ଲକ୍‌ଡାଉନ୍ ପାଇଁ ବହୁ ପର୍ଯ୍ୟଟକ ତାଙ୍କର ଯାତ୍ରା ବାତିଲ୍ କରିଛନ୍ତି। ତେଣୁ ଲକ୍‌ଡାଉନ୍ ଉଠିଲା ପରେ ପର୍ଯ୍ୟଟନ ସହ ସଂପୃକ୍ତ ଅଂଶୀଦାରମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଆର୍ଥିକ ଅନୁଷ୍ଠାନଗୁଡ଼ିକ ସହ ଆଲୋଚନା କରିବାକୁ ଶ୍ରୀ ଦେବ ପ୍ରସ୍ତାବ ଦେଇଥିଲେ। ଘରୋଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପଡ଼ୋଶୀ ରାଜ୍ୟଗୁଡ଼ିକର ପ୍ରମୁଖ ସହର ବିଶେଷ କରି ଦ୍ବିତୀୟ ଶ୍ରେଣୀର ସହରରେ ଓଡ଼ିଶା ପର୍ଯ୍ୟଟନର ରୋଡ୍‌ ସୋ’ ଅନୁଷ୍ଠିତ ହେବ। କୋଲକାତା, ରାଞ୍ଚି, ଭାଇଜାଗ୍, ରାୟପୁର, ବିଳାସପୁର, ଜାମସେଦପୁର, ବୋକାରୋରୁ ସ୍ଥଳପଥରେ କିପରି ପର୍ଯ୍ୟଟକ ଆସିବେ, ସେଥି ପାଇଁ ଯୋଜନା ପ୍ରସ୍ତୁତ ହେବ। ଓଡ଼ିଆ ଖାଦ୍ୟକୁ ନେଇ ପର୍ଯ୍ୟଟନର ବିକାଶ ପାଇଁ ସ୍ବତନ୍ତ୍ର କ୍ୟାମ୍ପେନ୍ ହେବ। ଦେଶର ୬ଟି ମେଟ୍ରା ସହରରେ ରୋଡ୍‌ ସୋ’ ସହ ଓଡ଼ିଆ ଖାଦ୍ୟ ଉତ୍ସବ ଆୟୋଜନ କରାଯିବ। ଓଡ଼ିଶାକୁ ପର୍ଯ୍ୟଟକଙ୍କ ପାଇଁ ଏକ ଅନୁକୂଳ ଓ ନିରାପଦ ସ୍ଥାନ ଭାବେ ପ୍ରଚାର କରାଯିବ ବୋଲି ପର୍ଯ୍ୟଟନ ସଚିବ ସୂଚନା ଦେଇଥିଲେ। ବୈଠକରେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ସମେତ ଓଟିଡିସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର