ରାଉରକେଲା: ଇସ୍ପାତସହରକୁ କାର୍‌, ଅଟୋ, ବାଇକ୍‌ରେ ଦେଶୀ ମଦ ଚୋରାଚାଲାଣ ନିତିଦିନିଅ ହେଲାଣି। ଦୁଇଦିନ ପୂର୍ବେ ଏକ କାର୍‌ରେ ଦେଶୀ ଚାଲାଣ କରୁଥିବା ଅଭିଯୁକ୍ତ ଧରାପଡ଼ିଥିଲା। ଆଜି ସମାନ ଘଟଣାର ପୁନରାବୃତ୍ତି ଘଟିଛି। କାର୍‌ ଓ ବାଇକ୍‌ରେ ମଦ ଚାଲାଣ ହେଉଥିବାବେଳେ ରାଉରକେଲା ଅବକାରୀ ପୁଲିସ ଦୁଇ ଅଭଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଉଛନ୍ତି ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ରେଳାପୋଷର ରାମୁ ଏକ୍କା ଓ ସୁଜିତ ବେହେରା। ମୋଟ୍‌ ୨୪୦ ଲିଟର ଦେଶୀ ସହ ମଦ ଚାଲାଣରେ ବ୍ୟବହୃତ ଇଣ୍ଡିଗୋ କାର୍‌(ଓଆର୍‌-୧୪-ଇ-୭୨୮୧) ଓ ପଲସର୍‌ ବାଇକ୍‌(ଓଡି-୧୪-କେ-୪୮୬୧) ଜବତ ହୋଇଛି।
Advertisment
ଅଭିଯୁକ୍ତ ରାମୁ କାର୍‌ରେ ଦେଶୀ ମଦ ଚାଲାଣ କରୁଥିବା ଅବକାରୀ ପୁଲିସ ସୂଚନା ପାଇଥିଲା। ସୂଚନାକୁ ଭିତ୍ତିକରି ଅଭିଯୁକ୍ତକୁ ଗିରଫ କରିବାକୁ ଅବକାରୀ ବିଭାଗ ଜାଲ ବିଛାଇଥିଲା। ଯୋଜନା ମୁତାବକ ବିଭାଗୀୟ କର୍ମଚାରୀ ପୂର୍ବରୁ ଗୁଡ଼ିଆଟୋଲି ରାସ୍ତାରେ ଆଗରୁ ଛପି ରହିଥିଲା। ଅଭିଯୁକ୍ତ କାର୍‌ରେ ସେଠାରେ ପହଞ୍ଚିବା ମାତ୍ରେ ଅବକାରୀ ପୁଲିସ ତାକୁ କାବୁ କରିନେଇଥିଲା। କାର୍‌ ଛାନ୍‌ଭିନ ହେବାରୁ ୧୫୦ ଲିଟର ଦେଶୀ ମଦ ଜବତ ହୋଇଥିଲା। ସେହିଭଳି ଅନ୍ୟତମ ଅଭିଯୁକ୍ତ ସୁଜିତ ନିଜ ବାଇକ୍‌ରେ ୯୦ ଲିଟର ଦେଶୀ ମଦ ନେଇ ସହର ଭିତରକୁ ଆସୁଥିବାବେଳେ ପାଟ୍ରୋଲିଂରେ ଥିବା ଅବକାରୀ ପୁଲିସର ନଜରରେ ପଡ଼ିଯାଇଥିଲା। ପରେ ଯାଞ୍ଚ ହେବାରୁ ମଦ ଚାଲାଣ କରୁଥିବା ସ୍ପଷ୍ଟ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଗତ ୧୨ ତାରିଖରେ ମାଲଗୋଦାମର ରାଜ ପାଣି(୨୩) ନିଜ କାର୍‌(ଓଆର୍‌-୧୪-ଜି-୬୧୨୮)ରେ ୩୫୦ ଲିଟର ଦେଶୀ ମଦ ଚୋରଚାଲାଣ କରୁଥିଲା। ମାଲଗୋଦାମ ଛକରେ ହିଁ ଅଭିଯୁକ୍ତକୁ କାବୁ କରାଯାଇଥିଲା। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ବିଭାଗୀୟ କର୍ମଚାରୀ, ମୋବାଇଲ ସ୍କ୍ବାଡ୍‌ ସାମିଲ ଥିଲେ।