କ୍ଷତିପୂରଣ ଦାବିରେ ୭ ଘଣ୍ଟା ଏନଏଚ ଅବରୋଧ 

ଟ୍ରକ ଧକ୍କାରେ ୨ ଶିଶୁ ମୃତ,  ୨ ଶିଶୁଙ୍କ ସହ ୩ ଆହତ 

ସୋହେଲା : ବରଗଡ଼ ଜିଲ୍ଲା ସୋହେଲା ଥାନା ଲୁହୁରାଚଟି ମେହେରପଡାଠାରେ ଏକ ମାଲ ବୋଝେଇ ଟ୍ରକ ଧକ୍କାରେ ୨ ଜଣ ଶିଶୁ ଛାତ୍ର (୫ବର୍ଷ)ଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଛାତ୍ରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ସୀମାନ୍ତ କୁଦୋପାଲି ଗ୍ରାମର ବୁଦ୍ଧଦେବ ପଧାନ ଗୁରୁବାର ସକାଳ ପ୍ରାୟ ସାଢ଼େ ୬ଟାରେ ଲୁହୁରାଚଟିରୁ ୧ କିମି ଦୂର ରାସ୍ତାକଡ଼ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୪ ଜଣ ଏଲକେଜି ଛାତ୍ରଙ୍କୁ ନେଇ ଏକ ବାଇକରେ ଆସୁଥିଲେ। ଶ୍ରୀ ପଧାନଙ୍କ ପୁଅ ସୁରତ ଓ ଅନ୍ୟ ୩ ଜଣ ବିମଳ ବେହେରା, ଦୟାସାଗର ପଧାନ ଓ ଅନନ୍ତ ଏଣ୍ଡଜାଙ୍କୁ ନେଇ ଆସୁଥିବା ବେଳେ ରାୟପୁର ପଟୁ କ୍ଷୀପ୍ର ଗତିରେ ଆସୁଥିବା ଟ୍ରକ ପଛ ପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅନନ୍ତ ଏଣ୍ଡଜାଙ୍କ ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଲୋକେ ଆହତଙ୍କୁ ସୋହେଲା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଖାନାରେ ଛାତ୍ର ଦୟାସାଗରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ପ୍ରଦୀପ ଦେବତା, ରାମନିବାସ ଅଗ୍ରଓ୍ଵାଲ, ଅନୀଲ ପଧାନ, ରାଜେଶ ଅଗ୍ରଓ୍ଵାଲ ପ୍ରମୁଖ ଚିକିତ୍ସା ବ୍ୟବସ୍ଥା ବୁଝାବୁଝି କରିଥିଲେ। ପରେ ବିମଳ, ସୁରଟଙ୍କୁ ବରଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଇ ଘରକୁ ପଠାଯିବା ସହ ଅଭିଭାବକ ବୁଦ୍ଧଦେବଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣାା ପରେ ଲୁହୁରାଚଟି, କୁଦୋପାଲି ତଥା ଆଖପାଖ ଗାଁଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶତାଧିକ ଲୋକ ଶବ ନିକଟରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ସୁଶାନ୍ତ ମିଶ୍ର, ନିରଂଜନ ନାଏକ, ରଘୁବୀର ଭୋଇ, ବିହାରୀ ମେହେର, ଗୋବିନ୍ଦ ବରିହା, ଦେବାନନ୍ଦ ଶତପଥୀ, ଗଣେଶ ସେଠ, ଦେବରାଜ ମେହେର, ଇରାସିସ ଆଚାର୍ଯ୍ୟ, ଲଳିତ ନାଏକ, ପରମେଶ୍ୱର ବାଙ୍କା ନେତୃତ୍ୱ ନେଇଥିଲେ। ଅପରାହ୍ନ ୨ଟା ପଯ୍ୟର୍ନ୍ତ ଏହି ରାସ୍ତାରୋକ ଚାଲିଥିଲା। ସୋହେଲା ତହସିଲଦାର ଆରତି ଭୋଇ, ଅତିରିକ୍ତ ତହସିଲଦାର ବିଶ୍ୱରଂଜନ କର, ଭାରପ୍ରାପ୍ତ ବିଡିଓ ପ୍ରଭାକର ବେହେରା, ଥାନା ଆଇଆଇସି ବିଭୂତି ଭୂଷଣ ଭୋଇ ଆଲୋଚନା କରିଥିଲେ। ଆନ୍ଦୋଳନକାରୀମାନେ ଜିଲ୍ଲାପାଳ ଓ ଏସପିଙ୍କ ସହିତ ଆଲୋଚନା କରିବାକୁ ଦାବି କରିଥିଲେ। ପରେ ପଦ୍ମପୁର ଉପଜିଲ୍ଲାପାଳ ତପିରାମ ମାଝି ଓ ବରଗଡ଼ ଏସଡିପିଓ ସୁରେଶ ନାୟକ ଆସି ଆଲୋଚନା କରିଥିଲେ।

ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା, ରାସ୍ତାରେ ସ୍ପିଡ ବ୍ରେକର, ଲୁହୁରାଚଟିରୁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପଯ୍ୟର୍ନ୍ତ ରାସ୍ତାକଡ଼ ସର୍ଭିସ ରୋଡ, ମୃତକ ପରିବାରବର୍ଗଙ୍କୁ ରେଡକ୍ରସ ଓ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା, ଜାତୀୟ ରାଜପଥରେ ରାତିରେ ଆଲୁଅ ବ୍ୟବସ୍ଥା, ପୂର୍ବରୁ ସଡକ ଦୁର୍ଘଟଣାରେ ମୃତକ ଓ ଆହତଙ୍କୁ ରେଡକ୍ରସ ତରଫରୁ ଆର୍ଥିକ ସହାୟତା ପ୍ରଦାନ ଦାବି କରାଯାଇଥିଲା। ପ୍ରଶାସନିକ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଆବେଦନ କରିବାକୁ କହିଥିଲେ। ରେଡକ୍ରସ ପକ୍ଷରୁ ବକେୟା ଆର୍ଥିକ ସହାୟତାକୁ ଶୁକ୍ରବାର ସୁଦ୍ଧା ପ୍ରଦାନ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ୨ ମାସ ମଧ୍ୟରେ ଜାତୀୟ ରାଜପଥ କଡରେ ସର୍ଭିସ ରୋଡ ତିଆରି, ଶୁକ୍ରବାର ସୁଦ୍ଧା ଜାତୀୟ ରାଜପଥରେ ଆଲୁଅ ବ୍ୟବସ୍ଥା, ୭ ଦିନ ମଧ୍ୟରେ ରବର ହମ୍ପସର ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ ତପିରାମ ମାଝି ପ୍ରତିଶ୍ରୁତି ଦେଇଥିଲେ। ଦୁଇ ଶିଶୁଙ୍କ ମୃତ୍ୟୁ ପରେ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା। ଡ୍ରାଇଭର ଟ୍ରକକୁ ଏକ ଢାବାରେ ରଖି ଫେରାର ହୋଇଯାଇଥିଲା। ଟ୍ରକକୁ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର