ବାଲେଶ୍ୱର-ଚାନ୍ଦିପୁର ରାସ୍ତା ୬ ଘଣ୍ଟା ଅବରୋଧ 

ବିଦ୍ୟୁତ୍‌ ଆଘାତରେ ଶ୍ରମିକ ମୃତ୍ୟୁ ଘଟଣା

ମୃତକଙ୍କ ପରିବାରକୁ ମିଳିବ ୪ଲକ୍ଷ ଟଙ୍କା, ୨୪ ଘଣ୍ଟା ପରେ ହେଲା ଶବ ବ୍ୟବଚ୍ଛେଦ

ଚାନ୍ଦିପୁର : ଚାନ୍ଦିପୁର ଆଇଟିଆର ପରିସରରେ ଗତକାଲି ବିଦ୍ୟୁତ୍‌ ଦୁର୍ଘଟଣାରେ ଦୁଇ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଆଜି ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଝାମ୍ପ୍‌ରା ହାଟ ନିକଟରେ ଟାୟାର ଜାଳି ୬ଘଣ୍ଟା ଧରି ବାଲେଶ୍ୱର-ଚାନ୍ଦିପୁର ରାସ୍ତାକୁ ଅବରୋଧ କରିଥିଲେ। ଏପଟେ ବିରୋଧ ଯୋଗୁଁ ଗତକାଲିଠାରୁ ମୃତ ଶ୍ରମିକ ଦୁହିଙ୍କ ଶବ ବ୍ୟବଚ୍ଛେଦ ନହୋଇ ପଡ଼ିଥିଲା। ଶେଷରେ ଠିକାକାମ ନେଇଥିବା ସଂସ୍ଥା ମହାବୀର ଆସୋସିଏଟ୍‌  ଦୁଇ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ଓ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ସୂଚନାଯୋଗ୍ୟ; ଗତକାଲି ଚାନ୍ଦିପୁର ଆଇଟିଆର ପରିସରରେ ବିଦ୍ୟୁତ୍‌ ଖୁଣ୍ଟ ପୋତା ଯାଉଥିଲା। ରାସ୍ତାକଡ଼େ ଗାତ ଖୋଳା ବେଳେ ମାଟିତଳେ ଯାଇଥିବା  ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶ୍ରୀକୋଣା ଅଂଚଳର ମାଣିକ ଖିଲାର(୩୫) ଓ ପରିଖି ପଚାଂୟତ ଅନ୍ତର୍ଗତ ତାଳବରେଇ ଗାଁର ମଂଟୁ ମାନ୍ନା (୩୬) ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଦୁର୍ଘଟଣାରେ ଶ୍ରୀକୋଣା ଅଂଚଳର ଚୁମୁକି ଖିଲାର(୨୪), କାଳିଶଙ୍କର ଖିଲାର(୨୮), ମଙ୍ଗଳା ଖିଲାର(୩୫) ଓ ପୂର୍ଣ୍ଣିମା ଖିଲାର(୪୨) ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏବେ ବି ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ଦୁଇ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଓ ଆହତଙ୍କୁ ମାଗଣା ଚିକିତ୍ସା ଦାବିକରି ସ୍ଥାନୀୟ ଲୋକେ ଗତକାଲି ଶବ ବ୍ୟବଚ୍ଛେଦ କରାଇ ଦେଇ ନଥିଲେ। ଆର୍ଥିକ ସହାୟତା ନମିଳିଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଥିଲେ।

ଆଜି ସକାଳ ୭ରୁ ସେମାନେ ଝାମ୍ପୁରା ହାଟ ନିକଟରେ ବାଲେଶ୍ୱର ଚାନ୍ଦିପୁର ମୁଖ୍ୟ ରାସ୍ତାକୁ ଅବରୋଧ କରି ଟାୟାର ଜାଳିଥିଲେ। ଏଥିଯୋଗୁଁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଗମନାଗମନ ଠପ୍‌ ହୋଇ ଯାଇଥିଲା। ଉଭୟ ପାର୍ଶ୍ୱରେ ପ୍ରତିରକ୍ଷା ବିଭାଗର ଗାଡ଼ି, ସ୍କୁଲ, କଲେଜ ବସ୍‌ ଓ ଶହଶହ ପର୍ଯ୍ୟଟକ ଗାଡ଼ି, ମାଲବୋଝୋଇ ଟ୍ରକ ଅଟକି ରହିବାରୁ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା। ଚାନ୍ଦିପୁର ଓଆଇସି ରାଜେନ୍ଦ୍ର କୁମାର ଦାସ ପହଂଚି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସେମାନେ ଜିଦ୍‌ରେ ଅଟଳ ରହିଥିଲେ। ଆଇନଶୃଂଖଳାକୁ ଆଖିରେ ରଖି ଏସ୍‌ଡିପିଓ ଅମରେଶ ପଣ୍ଡା, ସଦରଥାନା ଆଇଆଇସି ଦୟାନିଧି ଦାସ, ସହଦେବଖୁଂଟା ଥାନା ଦାୟିତ୍ୱରେ ଥିବା ଶିଳ୍ପାଚଂଳ ଥାନା ଆଇଆଇସି ପରେଶ କୁମାର ରାଉତଙ୍କ ସହ ଏକ ପ୍ଲାଟୁନ୍‌ ଫୋର୍ସ ଘଟଣାସ୍ଥଳରେ ଡେରା ପକାଇଥିଲେ।

ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ, କଂଗ୍ରେସ ଯୁବ ନେତା ବିକ୍ରମ ପଣ୍ଡା, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ସହ ଅନ୍ୟ ରାଜନୈତିକ ଦଳର ନେତାମାନେ ଏସ୍‌ଡିପିଓ ଶ୍ରୀ ପଣ୍ଡା, ଠିକା କାମ ନେଇଥିବା କେନ୍ଦ୍ର ସରକାରଙ୍କ ସଂସ୍ଥା ଏମଇଏସ୍‌ର ଅଧିକାରୀ, ଆଇଟିଆର କର୍ମକର୍ତା ଓ କାମ କରୁଥିବା ମହାବୀର ଆସୋସିଏଟ୍‌ର କର୍ତୃପକ୍ଷ ସହ ଚାନ୍ଦିପୁର ଥାନାରେ ଆଲୋଚନା କରିଥିଲେ। ଶେଷରେ ଠିକାସଂସ୍ଥା ମହାବୀର ଆସୋସିଏଟ୍‌ କର୍ତୃପକ୍ଷ ମୃତକଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଅବରୋଧ ହଟିଥିଲା। ସଂସ୍ଥା ପକ୍ଷରୁ ମୃତ ଶ୍ରମିକଙ୍କ ପରିବାରକୁ ନଗଦ ୫୦ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ଅବଶିଷ୍ଟ ଅର୍ଥ ଆସନ୍ତା କାଲି ଚେକ୍‌ ଆକାରରେ ଦିଆଯିବ ବୋଲି ପ୍ରତିଶ୍ରୁତି ପାଇବା ପରେ ବିକ୍ଷୋଭକାରୀ ରାସ୍ତାରୋକରୁ ଓହରିଛନ୍ତି। ଆଜି ଅପରାହ୍ନରେ ବ୍ୟବଚ୍ଛେଦ ପରେ ଶବ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର