ଯାଜପୁର/ଦାନଗଦୀ/ଡୁବୁରି :ଶିଳ୍ପାଞ୍ଚଳ କଳିଙ୍ଗନଗରରେ ଏବେ ଭିନ୍ନ ଚିତ୍ର ଦେଖିବାକୁ ମଳିଛି। ଯେଉଁମାନେ ଦିନେ ବିସ୍ଥାପିତ ହେବାକୁ ବିରୋଧ କରୁଥିଲେ, ଏବେ ସେମାନେ ବିସ୍ଥାପିତ ହେବାକୁ କହୁଛନ୍ତି। ଏହି ଦାବିରେ ଆଜି ବାରାଗାଡ଼ିଆ ଗ୍ରାମର ଶତାଧିକ ମହିଳା ଓ ପିଲାଛୁଆ ଆଜି ଯାଜପୁରରୋଡ଼- ଡୁବୁରି ରାସ୍ତାକୁ ଅବରୋଧ କରିଥିଲେ। ପ୍ରଦୂଷଣ ଜନିତ କାରଣରୁ ସେମାନେ ବିସ୍ଥାପିତ ହେବାକୁ ଦାବି କରୁଥିବା ଜଣାପଡ଼ିଛି।
ଟାଟା କାରଖାନା ପାଚେରିକୁ ଲାଗି ବାରଗାଡ଼ିଆ ରହିଛି। ଏହି ଗ୍ରାମର ଅଧିବାସୀ ପ୍ରଦୂଷଣରେ ଆକ୍ରାନ୍ତ ହୋଇ ବର୍ଷବର୍ଷ ଧରି ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ଦୀର୍ଘଦିନ ଧରି ସେମାନେ ବିସ୍ଥାପିତ ହେବାକୁ ଚାହୁଁଥିଲେ ହେଁ ଅଦ୍ୟାବଧି ସେମାନଙ୍କୁ ବିସ୍ଥାପିତ କରାଯାଇନାହିଁ।
ଟାଟା କଂପାନି ପାଚେରିକୁ ଲାଗି ରହିଥିବା କଲୋନି ସାହି, ଟୋପ ସାହି ଓ ସୁଦର୍ଶନ ସାହି ଆଦି ଲୋକମାନେ ପୂର୍ବତନ ମନ୍ତ୍ରୀ ଡ. ପ୍ରଫୁଲ ଚନ୍ଦ୍ର ଘଡ଼ାଇଙ୍କ ନିକଟରେ ଦୀର୍ଘ ୫ ବର୍ଷ ଧରି ଦ୍ଵାରସ୍ଥ ହୋଇଥିଲେ। ସେତେବେଳେ ଏହି ସାହିକୁ ବିସ୍ଥାପନ ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳ, ଉପଜିଲ୍ଲାପାଳ, କଳିଙ୍ଗନଗର ଏଡିଏମ୍ଙ୍କୁ ବାରମ୍ବାର ଫେରାଦ ହୋଇଆସୁଥିଲେ ହେଁ ବିସ୍ଥାପନ କରାଯାଉ ନାହିଁ କି କୌଣସି ପ୍ରକାର ଉଚିତ୍ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ପୂର୍ବରୁ ଏହି ବାସିନ୍ଦାମାନେ ବିସ୍ଥାପିତ ହେବାକୁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଯାଜପୁର ଏସ୍ପି, କଳିଙ୍ଗନଗର ଏଡିଏମ୍, କଳିଙ୍ଗନଗର ଥାନା ଅଧିକାରୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ।
୨୦୧୬ ଜୁନ୍ ମାସରେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଂଜନ ଘଡ଼ାଇ, ସୁକିନ୍ଦା ବିଡିଓ, କଳିଙ୍ଗନଗର ଏଡିଏମ୍ ଓ ସୁକିନ୍ଦା ତହସିଲଦାରଙ୍କ ତତ୍ଵାବଧାନରେ ବାରାଗାଡ଼ିଆ ଗାଁର କଲୋନି ସାହିରେ ଏକ ବୈଠକ କରି ୨/୩ ମାସ ମଧ୍ୟରେ ବିସ୍ଥାପନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୨/୩ ମାସ ପରେ କୌଣସି ସୁଫଳ ନମିଳିବାରୁ ପୁନର୍ବାର ୨୦୧୬ ଅକ୍ଟୋବରରେ ଆର୍ଡିସି କାର୍ଯ୍ୟାଳୟରେ ଏକ ବୈଠକ ବସି ବିଧାୟକ, ସ୍ଥାନୀୟ ଗ୍ରାମବାସୀ, ଟାଟା ଷ୍ଟିଲ୍ କର୍ତୃପକ୍ଷ, ଇଡ୍କୋ ଅଧିକାରୀ ଓ ଆର୍ଡିସିଙ୍କ ଉପସ୍ଥିତିରେ ଇଡ୍କୋ ତିନି ମାସ ମଧ୍ୟରେ ଟାଟା ଷ୍ଟିଲ୍ଙ୍କୁ ଜମି ହସ୍ତାନ୍ତର କରିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ବର୍ଷେ ବିତିଗଲାଣି କୌଣସି କାର୍ଯ୍ୟ ଆଗେଇ ପାରିଲାନାହିଁ। ଦିନକୁ ଦିନ ଲୋକମାନଙ୍କର ସମସ୍ୟା ବଢ଼ିବାରେ ଲାଗଛି।
ଏହି ସଙ୍ଗିନ ପରିସ୍ଥିତିର ସମାଧାନ ପାଇଁ ଦାବିପତ୍ର ପ୍ରଦାନର ସାତ ଦିନ ମଧ୍ୟରେ କୌଣସି ପ୍ରତିଶ୍ରୁତି ନ ମିଳିବାରୁ ଆଜି ପୂର୍ବାହ୍ନ ସମୟରେ ଏହି ବାସିନ୍ଦାମାନେ ପିଲାଛୁଆଙ୍କୁ ଧରି ବାରାଗାଡ଼ିଆ ଛକ ନିକଟରେ ରାସ୍ତା ରୋକ କରିଥିଲେ। ପ୍ରଶାସନ ପୁଲିସ୍କୁ ଲଗାଇ ଜୋର୍ଜବରଦସ୍ତ ସେମାନଙ୍କୁ କଳିଙ୍ଗନଗର ଥାନାକୁ ଉଠାଇ ନେଇଥିଲେ।
କଳିଙ୍ଗନଗର ଥାନା ପରିସରରେ ପ୍ରାୟ ଶତାଧିକ ପୁରୁଷ ମହିଳାଙ୍କ ସମେତ ଛୋଟଛୁଆଙ୍କୁ ରଖିଥିବା ବେଳେ ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼ାଇ ଥାନା ପରିସରରେ ପହଞ୍ଚି ଥିଲେ। କଳିଙ୍ଗନଗର ଅତିରିକ୍ତ ଏସ୍ପି ରାଜ କିଶୋର ଦୋରା ଓ ସ୍ଥାନୀୟ ବାସିନ୍ଦା ସଂଗ୍ରାମ ମଲିକ, ପ୍ରଦୀପ ମଳିକ, ଝରଣା ମଳିକ, ରେଣୁକା ମଳିକଙ୍କ ସହିତ ଆଲୋଚନା ହୋଇଥିଲା।
ଆସନ୍ତା ୨୦ ତାରିଖ ସୁଦ୍ଧା ଇଡ୍କୋ କର୍ତୃପକ୍ଷ କେତେ ଜମି ଅଧିଗ୍ରହଣ କରିଛନ୍ତି, ଲିଖିତ ଭାବେ ଦର୍ଶାଇବା ସହ ବିସ୍ଥାପନ କରାଯିବାକୁ ନିଷ୍ପତ୍ତି ନେବାକୁ ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡ଼ିଛି। ଯଦି ସମସ୍ୟା ସମାଧାନ ନହୁଏ। ଆସନ୍ତା ୨୦ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।