ମାଲକାନଗିରି : ମାଲକାନଗିରି ଜିଲ୍ଲାର ଦୁର୍ଗମ ତଥା ନକ୍ସଲ ପ୍ରବଣ ଅଂଚଳ ଭାବେ ପରିଚିତ ସ୍ୱାଭିମାନ ଅଂଚଳରେ ପୁଣି ୬ଟି ପଞ୍ଚାୟତର ଶହ ଶହ ଲୋକ ଏକତ୍ରିତ ହୋଇଛନ୍ତି। ସ୍ୱାଭିମାନ ଅଂଚଳରେ ଆଜି ବି ମୌଳିକ ସୁବିଧା ଲୋକେ ପାଇପାରୁନଥିବା ଅଭିଯୋଗ କରାଯାଇଛି। ତେଣୁ ୯ ଦଫା ଦାବି ନେଇ ଏହି ପ୍ରଜାମେଳି ହୋଇଥିଲା। ସ୍ୱାଭିମାନ ଅଂଚଳର ଯନ୍ତ୍ରୀ, ଗାଜଲମାମୁଡି, ପଣସପୁଟ, ଯଡାମ୍ବ, ନାକାମାମୁଡି ଏବଂ ଅଣ୍ଡ୍ରାପାଲୀ ପଞ୍ଚାୟତର ଶହ ଶହ ଲୋକ ପଣସପୁଟ ଠାରେ ଏକତ୍ରିତ ହୋଇଥିଲେ। ବିଶେଷକରି କରୋନା ମହାମାରୀ ଯୋଗୁଁ ସ୍ୱାଭିମାନ ଅଂଚଳର ଲୋକେ ବହୁ ହଇରାଣ ହେଉଛନ୍ତି। ଯାହାକୁ ଜିଲ୍ଲା ପ୍ରଶାସନ କିମ୍ବା ସରକାର ଜାଣି ମଧ୍ୟ ଅଜଣା ବନିଛନ୍ତି। ତେଣୁ ଶହ ଶହ ଲୋକ ଏକତ୍ରିତ ହୋଇ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କୁ ୯ ଦଫା ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।
ଦାବିଗୁଡିକ ମଧ୍ୟରୁ ସ୍ୱାଭିମାନ ଅଂଚଳର ପ୍ରତ୍ୟକ ପଞ୍ଚାୟତରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ସହ ଜଣେ ଜଣେ ଏମବିବିଏସ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉ। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସମସ୍ତ ଲୋକଙ୍କୁ ୨୦୦ ଦିନର କାମ ଯୋଗାଇ ଦିଆଯାଉ। ବ୍ୟାଙ୍କ ସୁବିଧା ନଥିବା ହେତୁ ସପ୍ତାହକୁ ଟଂକା ପ୍ରଦାନ କରାଯାଉ, ବିଛିନ୍ନାଞ୍ଚଳର ଲୋକଙ୍କୁ ବ୍ୟାଙ୍କ ଓ ଲ୍ୟାମ୍ପରୁ ଆଣିଥିବା ଋଣକୁ ଛାଡ କରାଯାଉ। ବିଧବା ଭତ୍ତା ଓ ଦିବ୍ୟାଙ୍ଗମାନଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉ। କରୋନା ସମୟରେ ଆମେମାନେ ବାହାରକୁ କାମ କରିବାକୁ ଯାଇପାରୁନାହୁଁ ତେଣୁ ଆମକୁ ଦୈନିକ ମଜୁରି ୫ ଶହ ଟଂକା ଲେଖାଏଁ ପ୍ରଦାନ କରାଯାଉ, ସରକାରୀ ଓ ବେସରକାରୀ କର୍ମଚାରୀଙ୍କୁ ମାସକୁ ମାସ ଦରମା ଦେବା ସହ ପ୍ରତ୍ୟେକ ପଞ୍ଚାୟତରେ ଯୁକ୍ତ ଦୁଇ, ଯୁକ୍ତ ତିନି ପାଠପଢି ବେକାର ଥିବା ଯୁବକଯୁବତୀମାନଙ୍କୁ ନିଯୁକ୍ତି ଦିଆଯାଉ। ସ୍କୁଲ ପିଅନ, ଅଂଗନବାଡି ଦିଦି, ଆଶା କର୍ମୀ, ଜିଆରଏସ, ସମାଜସେବୀ, ଶିକ୍ଷକ, ଡାକ୍ତରମାନଙ୍କୁ ପ୍ରତିମାସରେ ୧୦ କିଲୋ ଚାଉଳ,୨ କିଲୋ ଡାଲି,୧ କିଲୋ ପିଆଜ ଓ ଆଳୁ,୨ ଲିଟର ତେଲ,ସାବୁନ ସର୍ଫ ଇତ୍ୟାଦି ଯୋଗାଇ ଦିଆଯାଉ। ଏହି ଦାବିଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି ଏହି ସ୍ୱାଭିମାନ ଅଂଚଳବାସୀ ଦାବି କରିଥିଲେ।
ଗତ ଜାନୁୟାରୀ ମାସ ଠାରୁ ୫ରୁ ଉର୍ଦ୍ଧ୍ବ ପ୍ରଜାମେଳି ସ୍ୱାଭିମାନ ଅଂଚଳରେ ହୋଇସାରିଲାଣି। ପ୍ରତ୍ୟେକ ଥର ମୌଳିକ ଦାବି ନେଇ ଏହି ଅଂଚଳବାସୀ ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି। କେତେବେଳେ ବିଏସଏଫ ହଟାଇବା ନେଇ ତ ଆଉ କେତେବେଳେ ଲଞ୍ଚର ସୁବିଧା, ରାସ୍ତାଘାଟ ନିର୍ମାଣ, ପାଣି, ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ବିକାଶ ନେଇ ଦାବି ଉଠାଇଛନ୍ତି। ପ୍ରତ୍ୟେକ ଥର ପ୍ରଶାସନ ସ୍ୱାଭିମାନ ଅଂଚଳରେ ବିକାଶର ଧାରା ଚାଲିଥିବା ଡିଣ୍ଡିମ ପିଟୁଛି। ଗୁରୁପ୍ରିୟା ସେତୁ ହେବାର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ୱାଭିମାନ ଅଂଚଳର ସମସ୍ତ ପଞ୍ଚାୟତକୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ହୋଇପାରିଲା ନାହିଁ। ସ୍ୱାଭିମାନ ଅଂଚଳରେ ନେଟଓ୍ୱାର୍କର ବ୍ୟବସ୍ଥା ନଥିବା ଯୋଗୁଁ ଲୋକେ ଆଜି ବି ଅବହେଳିତ ହୋଇ ରହିଛନ୍ତି। ଆଧୁନିକ ସଭ୍ୟତା ସହ ପାଦ ଥାପି ପାରୁନାହାନ୍ତି। ଗୋଟିଏ ପଟେ ନକ୍ସଲଙ୍କ ଦାଦାଗିରି ତ ଅନ୍ୟପଟେ ପ୍ରଶାସନର ପ୍ରୋତ୍ସାହନ ନମିଳିବା ଲୋକଙ୍କୁ ଦାଉ ସାଧୁଛି। ଏବେ ସ୍ୱାଭିମାନ ଅଂଚଳର ବହୁ ଅଂଚଳକୁ ବିଏସଏଫ ପହଞ୍ଚିଥିବା ବେଳେ ପ୍ରାୟ ୭ଟି ସ୍ଥାନରେ ପକ୍କା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ପ୍ରଶାସନ କହିଛି। ପୁଣି ବିଭିନ୍ନ ସ୍ଥାନରେ ନେଟଓ୍ୱାର୍କ ବ୍ୟବସ୍ଥା ପାଇଁ ଟାଓ୍ୱାର ବସାଯାଉଛି। ତେବେ ଆଜିର ପ୍ରଜାମେଳିକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ନକ୍ସଲଙ୍କର ହାତ ରହିଥିବା କୁହାଯାଇଛି। ଲୋକେ ବାରମ୍ବାର ପ୍ରଜାମେଳି କରୁଥିବାରୁ ଏହା ପଛରେ କିଛି ସଂଗଠନର ହାତ ରହିଥିବା ଅନୁମାନ କରାଯାଏ। ତେବେ ଲୋକେ କରୋନାକୁ ଭୟ କରୁଥିଲେ ମଧ୍ୟ ସବୁ ନିୟମକୁ ଉଲଙ୍ଘନ କରି ସାମାଜିକ ଦୁରତାକୁ ରକ୍ଷା ନକରି ଏକତ୍ରିତ ହେବା କେତେ ଦୁର ଯୁକ୍ତିଯୁକ୍ତ ବୋଲି କୁହାଯାଇଛି। ତେବେ ଏହି ରାଲି ଓ ବିକ୍ଷୋଭ ପ୍ରଦର୍ଶନ ପରେ ଜିଲ୍ଲା ପ୍ରଶାସନ ଏହାକୁ ନେଇ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା।