ବୁଗୁଡ଼ା: କରୋନା ମହାମାରୀ ଭଳି ସଂକଟ ମୁକାବିଲା କରିବା ଭଳି ସମୟ ପଡ଼ିଲେ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରୁଛନ୍ତି। ୩୩ ପ୍ରତିଶତ ଆରକ୍ଷଣ ଦେଇ ମହିଳାଙ୍କୁ ଜନପ୍ରତିନିଧି କରୁଛନ୍ତି। ହେଲେ ସରକାରୀ ପାଣ୍ଠି ହେରଫେର, ପଞ୍ଚାୟତ ନିୟମ ମାନୁନଥିବା ଜଣେ ଯୋଗାଣ ସହାୟକଙ୍କୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ପଞ୍ଚାୟତ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି କ୍ରମେ ବହିଷ୍କାର କରାଯାଇଥିଲେ ମଧ୍ୟ ସେହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନି ଏ ନେଇ ଖୋଦ୍ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ର ଜଣେ ମହିଳା ସରପଞ୍ଚ ଅଭିଯୋଗ ଆଣିଛନ୍ତି।
କେବଳ ସରପଞ୍ଚଙ୍କ ଅଭିଯୋଗ ନୁହେଁ, ବରଂ ତାଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଇ ନିର୍ଦ୍ଦେଶ କାର୍ଯ୍ୟକାରୀ ଦାବିରେ ଅନ୍ୟ ଜନପ୍ରତିନିଧି ଓ ପଞ୍ଚାୟତବାସୀ ପଞ୍ଚାୟତ ଅଫିସ୍ରେ ତାଲା ପକାଇ ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ ଭାମସିଆଳି ପଞ୍ଚାୟତରେ। ପଞ୍ଚାୟତର ଯୋଗାଣ ସହାୟକ ପାଞ୍ଚବର୍ଷ ହେଲା ପଞ୍ଚାୟତରେ ବଣ୍ଟା ଯାଉଥିବା ଚାଉଳ, ଗହମ ଓ କିରାସିନି ସମେତ ଅଖାର ହିସାବ ସରପଞ୍ଚଙ୍କୁ ଦେଉନାହାନ୍ତି।
ଗରିବ ଲୋକଙ୍କ ଖାଉଟି ସାମଗ୍ରୀ ହରିଲୁଟ୍ କରୁଥିବା, ଷ୍ଟକ୍ ହେରଫେର କରି ଆସୁଥିବା ଓ ଯାଞ୍ଚ୍ କରିବାକୁ ସରପଞ୍ଚଙ୍କୁ ସୁଯୋଗ ଦେଉ ନଥିବା, ପ୍ରତି ମାସରେ ପଞ୍ଚାୟତରୁ ଏନ୍ଓସି ନେବାର ନିୟମ ଥିଲେ ମଧ୍ୟ ସେଥିରେ ବ୍ୟତିକ୍ରମ ଘଟାଇ ବାରମ୍ବାର ମାସିକ କୋଟା ଉଠାଉଥିବା ଏବଂ ପଞ୍ଚାୟତର କୌଣସି ବୈଠକରେ ଯୋଗ ଦେଉ ନଥିବା ଅଭିଯୋଗ ହୋଇ ଆସୁଥିଲା। ଗତ ଅକ୍ଟୋବର ୨୯ରେ ପଞ୍ଚାୟତ ତରଫରୁ ନିର୍ଦ୍ଧାରଣ ସଂଖ୍ୟା ୭ ଅନୁସାରେ ସଂପୃକ୍ତ ଯୋଗାଣ ସହାୟକଙ୍କୁ ବହିଷ୍କାର ଆଦେଶ ଜାରି କରାଯାଇ ଏହାର ନକଲ ଜିଲ୍ଲାପାଳ, ପିଡି, ସ୍ଥାନୀୟ ବିଡିଓଙ୍କ ସମେତ ବିଭିନ୍ନ ଅଧିକାରୀଙ୍କୁ ପ୍ରେରଣ କରାଯାଇଛି। ହେଲେ ଏହାକୁ ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହେଉ ନଥିବାରୁ ତିନି ଦିନ ହେଲା ଲୋକେ ପଞ୍ଚାୟତରେ ତାଲା ପକାଇ ରଖିଥିବା ମହିଳା ସରପଞ୍ଚ ଜ୍ୟୋର୍ତିମୟୀ ବେହେରା ଅଭିଯୋଗ କରିଛନ୍ତି।