ତାଳଚେରରେ ମାଟି ଦବିବା ଘଟଣା : ରାଜରାସ୍ତାକୁ ଓହ୍ଲାଇଲେ ସହରବାସୀ

ତଦନ୍ତ ନିର୍ଦ୍ଦେଶ ଦେଲେ ଗୋଏଲ୍

ତାଳଚେର : ତାଳଚେର ସହରର ଘର ଭିତରେ ମାଟି ଦବିବା ଘଟଣା ପ୍ରତିବାଦରେ ସହରବାସୀ ରାଜରାସ୍ତାକୁ ଓହ୍ଲାଇଥିଲେ। ଶହଶହ ଲୋକ ଏକାଠି ହୋଇ ସ୍ବତଃପ୍ରବୃତ୍ତ ପ୍ରତିବାଦ ଜଣାଇଥିଲେ। ଫଳରେ,ବସ୍‌ସେବା, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ସହିତ ବଜାର ବନ୍ଦ ହୋଇଯାଇଥିଲା। ଶହଶହ ଗାଡ଼ି ରାଜପଥରେ ଅଟକି ରହିଥିଲା। ଗତକାଲି ରାତି ପ୍ରାୟ ୮ଟାରେ ତାଳଚେର ଟାଉନ ଥାନା ସମ୍ମୁଖରେ ଥିବା ଶାନ୍ତିଲତା ବାଇଙ୍କ ଘର ଚଟାଣ ମାଟି ଧସିବା ଆରମ୍ଭ କରିଥିଲା। ଲୋକମାନେ ଭୟରେ ଘରଦ୍ବାର ଛାଡ଼ି ପଦାକୁ ପଳାଇ ଆସିଥିଲେ। ଘଟଣାର ପ୍ରତିବାଦରେ ଆଜି ତାଳଚେର ବନ୍ଦ ଡାକରା ଦିଆଯାଇଥିଲା। ଉତ୍ତ୍ୟକ୍ତ ଲୋକେ ‘ତାଳଚେର ବନ୍ଦ’ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିଲା ବୋଲି ଘୋଷଣା କରିଛନ୍ତି।

ତଦନ୍ତ ନିର୍ଦ୍ଦେଶ ଦେଲେ ଗୋଏଲ୍

ଭୁବନେଶ୍ବର : ତାଳଚେରରେ ଜନବସତି ଅଞ୍ଚଳରେ ମାଟି ‌ଦବିବା ମାମଲାକୁ ଗୁରୁତ୍ବର ସହ ନେଇଛନ୍ତି କେନ୍ଦ୍ର ସରକାର। ‌ଏହାର ବିଧିବଦ୍ଧ ତଦନ୍ତ କରି ପ୍ରତିକାର ବ୍ୟବସ୍ଥା କରିବାକୁ କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋଏଲ୍‌ଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ପରେ ଶ୍ରୀ ଗୋଏଲ୍‌ ତଦନ୍ତ ନିର୍ଦ୍ଦେଶ ଦେଇଥିବା ନେଇ ଟ୍ବିଟ୍ କରି ଜଣାଇଛନ୍ତି। ଡିଜିଏମ୍‌ଏସ୍‌, ସିଏମ୍‌ପିଡିଆଇଏଲ୍ ଓ ଏମ୍‌ସିଏଲ୍‌ର ବି‌େଶଷଜ୍ଞମାନେ ଏହି ତଦନ୍ତ କରିବେ। ସ୍ଥାନୀୟ ଲୋକଙ୍କ ସ୍ବାର୍ଥ ସର୍ବାଗ୍ରେ ବୋଲି ଶ୍ରୀ ଗୋଏଲ୍ କହିଛନ୍ତି।

ଶ୍ରୀ ପ୍ରଧାନ ଚିଠି ‌େଲଖି ଜଣାଇଥିଲେ, ଜନବସତି ଅଞ୍ଚଳରେ ମାଟି ଦବିବା କାରଣରୁ ସ୍ଥାନୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ମାଟି ଦବିବାରୁ ଶାନ୍ତି ବାଇଙ୍କ ବାସଗୃ୍ହ ସମେତ ପାଖ ଅଞ୍ଚଳ ପ୍ରଭାବିତ ହୋଇଥିଲା। ଏହା ଖଣି ଅଞ୍ଚଳ ହୋଇଥିବାରୁ ଏହା ଉପରେ ଉପଯୁକ୍ତ ତଦନ୍ତର ଆବଶ୍ୟକତା ରହିଛି। ଫଳରେ ଖଣି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମନରେ ଯଦି କିଛି ଭ୍ରାନ୍ତ ଧାରଣା‌ ହେଉଥାଏ, ତେବେ ତାହା ଦୂର କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ସମ୍ବନ୍ଧିତ ଖବର