ବାଲେଶ୍ବର: ସାରଥୀ ସମର୍ଥକଙ୍କ ସଂକୀର୍ତ୍ତନକୁ ବିରୋଧ କଲେ ସ୍ଥାନୀୟ ଲୋକେ, ପୁଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଲା

ବାଲେଶ୍ବର: ୮ ଅଗଷ୍ଟ ୨୦୧୫ରେ ସାରଥୀ ବାବା ଗିରଫ  ହୋଇଥିଲେ । ତେବେ ସାରଥୀଙ୍କ ବିରୋଧରେ ୩ଟି ମାମଲା  ଥିବା ବେଳେ ୨ଟିରେ ଜାମିନ ମିଳିଛି । ଆଉ ଗୋଟିଏ ମାମଲା ଥିବାରୁ ଖୁବ ଶୀଘ୍ର ସାରଥୀ ଜେଲରୁ ମୁକୁଳିବେ ବୋଲି ଭାବି ଭକ୍ତମାନେ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି । ବାଲେଶ୍ବର ଜିଲ୍ଲା ଜାମୁଝାଡିଠାରେ ସମର୍ଥକମାନେ ପୂଜାର୍ଚ୍ଚନା କରୁଥିବା ବେଳେ ବାଧା ଦେଇଛନ୍ତି ସ୍ଥାନୀୟ ଲୋକେ । ସାରଥୀ ଭକ୍ତଙ୍କ ସଂକୀର୍ତ୍ତନକୁ ବିରୋଧ କରିବା ପରେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ । ଆଉ ପୁଲିସ ଆସିବା ପରେ ଘଟଣାସ୍ଥଳରୁ ସାରଥୀ ଭକ୍ତ ଫେରିଯାଇଥିଲେ ।

ଗତକାଲି ବାଲେଶ୍ୱର ସୋର ନିକଟ ଜାମୁଝାଡିରେ ସାରଥୀ ଭକ୍ତମାନେ ଏକାଠି ହୋଇ ସଂକୀର୍ତ୍ତନ କରିଛନ୍ତି । ସୂଚନା ଅନୁସାରେ ୮ରୁ ୧୦ଟି ଗାଡିରେ କେନ୍ଦ୍ରାପଡା, ବାଲେଶ୍ୱର, ଜଗତସିଂହପୁର ଜିଲ୍ଲାରୁ ବହୁ ଭକ୍ତ ଆସି ଏଠାରେ ଏକାଠି ହୋଇଥିଲେ । ସମସ୍ତ ସମର୍ଥକ ଏକାଠି ହେଲା ପରେ ଜାମୁଝାଡି ତାରିଣୀ ମନ୍ଦିର ଯାଏଁ ଏକ ବିଶାଳ ଶୋଭାଯାତ୍ରା କରିଥିଲେ । ସାରଥୀଙ୍କ ଫଟୋ ଧରି ଶୋଭାଯାତ୍ରାରେ ବାହାରିଥିଲେ ସମର୍ଥକ । ତେବେ ତାରିଣୀ ମନ୍ଦିର ପାଖରେ ପହଞ୍ଚିବା ପରେ ସେଠାରେ ଭକ୍ତମାନେ ସାରଥୀକୁ ଭଗବାନ ପରି ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଇଥିଲେ ।ଏହି ଘଟଣାକୁ ସ୍ଥାନୀୟ ଅଧିବାସୀ ବିରୋଧ କରିବା ସହ ପୁଲିସକୁ ଡକାଇଥିଲେ।

ଜେଲରୁ ମୁକୁଳିବାକୁ ଥିବା ସାରଥୀଙ୍କ ପାଇଁ ସମର୍ଥକମାନେ ଏବେ ଠାରୁ ଆରମ୍ଭ କରି ଦେଇଥିବା ପୂଜାର୍ଚ୍ଚନା ସାରଥୀ ସାମ୍ରାଜ୍ୟ ଭୁଶୁଡି ନଥିବା କଥାକୁ ତାଜା କରିଛି । ଯଦି ଜେଲରୁ ସାରଥୀ ବାହାରନ୍ତି ତେବେ ପୁଣି କ’ଣ ଆରମ୍ଭ ହେବ ସାରଥୀ ସାମ୍ରାଜ୍ୟ ? ନିଜ ସମର୍ଥକଙ୍କ ଆଗରେ ନିଜକୁ ପୁଣି ଭଗବାନ ବୋଲି କହିବ କି ଭଣ୍ଡ ସାରଥୀ?  ଜାମୁଝାଡିରେ ଏମିତି କିଛି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି ।

ସମ୍ବନ୍ଧିତ ଖବର