ବିରୋଧ ଯୋଗୁଁ ନାଲ୍‌କୋ ପାଚେରୀ ନିର୍ମାଣ ବନ୍ଦ

କୋରାପୁଟ/ମାଥାଲପୁଟ : ନାଲ୍‌କୋ ପାଚେରୀ ନିର୍ମାଣକୁ ଆମ୍ବଗାଁର ଲୋକମାନେ ତୀବ୍ର ବିରୋଧ କରୁଛନ୍ତି। ଫଳରେ ନିର୍ମାଣ କାମ ବାଧାପ୍ରାପ୍ତ ହୋଇଛି। ବିରୋଧ ତୀବ୍ର ହେବାରୁ ଏବଂ ଆଲୋଚନା ହୋଇ ନ ଥିବାରୁ ଆଜି କାମ ବନ୍ଦ କରି ଦିଆଯାଇଛି। ଅପରପକ୍ଷରେ ପାଚେରୀ ନିର୍ମାଣ ସ୍ଥାନରେ ୧୪୪ ଧାରା ବଳବତ୍ତର ରହିବା ସହ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଆମ୍ବଗାଁ ନିକଟରେ ନାଲ୍‌କୋ ପାଚେରୀ ନିର୍ମାଣ ଆରମ୍ଭ କରିଛି। କିନ୍ତୁ ଏହାକୁ ଗ୍ରାମବାସୀଙ୍କ ପକ୍ଷରୁ ବିରୋଧ କରିବାରୁ ଏହି ଅଂଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଆଜି ସକାଳେ ପୁଲିସ ଉପସ୍ଥିତିରେ ପାଚେରୀ ନିର୍ମାଣ କାମ ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଥିଲା। କିନ୍ତୁ ଏହି ସମୟରେ ଶହ ଶହ ଛାତ୍ରଛାତ୍ରୀ, ମହିଳା ଓ ଗ୍ରାମବାସୀ ହାତରେ ପ୍ଲାକାର୍ଡ ଧରି ବିବାଦୀୟ ସ୍ଥାନରେ ପହଞ୍ଚିଥିଲେ। ସେମାନେ ନାଲକୋର ଅନ୍ୟାୟ କାମ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ପାଚେରୀ ନିର୍ମାଣକୁ ବନ୍ଦ କରିବା ପାଇଁ ଦାବି କରିଥିଲେ।

ନାଲକେ ଅତ୍ୟାଚାର ଚଳିବ ନାହିଁ, ପାଚେରୀ ନିର୍ମାଣ ବନ୍ଦ କର, ପୁଲିସ ଜୁଲମ ଚଳିବ ନାହିଁ ବୋଲି ଲୋକମାନେ ନାରାବାଜି କରିଥିଲେ। ଛାତ୍ରଛାତ୍ରୀ, କୁନି କୁନି ପିଲା ଓ ମହିଳାଙ୍କ ଧାରଣା ଫଳରେ ନିର୍ମାଣ କାମ ବାଧାପ୍ରାପ୍ତ ହୋଇଥିଲା। ପୁଣି ଆଜି ଆଲୋଚନା ପାଇଁ କୌଣସି ଅଧିକାରୀ ଆସି ନ ଥିବାରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏପଟେ ବାରମ୍ବାର କାମ ବାଧାପ୍ରାପ୍ତ ହେବାରୁ ଠିକାଦାର କାମ ବନ୍ଦ କରି ଦେଇଥିଲେ। ଏଥିନେଇ ଗ୍ରାମବାସୀ କହିଛନ୍ତି ଯେ, ନାଲକୋ ସେମାନଙ୍କ ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ସେମାନେ ପାଚେରୀ ନିର୍ମାଣ କରାଇ ଦେବେ ନାହିଁ। ତେବେ ନାଲକୋ କର୍ତ୍ତୃପକ୍ଷ ଏଥିନେଇ କୌଣସି ଆଲୋଚନା କରୁ ନ ଥିବାରୁ ପରସ୍ଥିତି ଜଟିଳ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର