କରୋନା ମୃତକଙ୍କ ଶବଦାହକୁ ନେଇ ଛିଡ଼ୁନି ଅଡ଼ୁଆ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ

ଜିଲ୍ଲାପାଳଙ୍କୁ ଭେଟିବାକୁ ଯିବା ସମୟରେ ପୁଲିସ ଓ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି

ବାରିପଦା : କେଉଁଠି ଦାହ ହେବ କରୋନା ମୃତକଙ୍କ ଶବ। ସାଧାରଣ ଶ୍ମଶାନ ନା ଅସ୍ଥାୟୀ ଶ୍ମଶାନ। ଏହାକୁ ନେଇ ବାରିପଦାରେ ଦ୍ୱନ୍ଦ୍ୱ ତୁଟୁନଥିବା ଦେଖିବାକୁ ମିଳିଛି। ବାରିପଦା ପୌରାଞ୍ଚଳର ୱାର୍ଡ ନଂ-୨୨ ରଘୁନାଥପୁର ଅଞ୍ଚଳର ମଇଳା ଖାଦାନ ପରିସରରେ ନିର୍ମିତ ସ୍ୱତନ୍ତ୍ର ଅସ୍ଥାୟୀ ଶ୍ମଶାନରେ କରୋନା ସଂକ୍ରମିତ ଶବଦାହକୁ ବିରୋଧ କରୁଛନ୍ତି ସ୍ଥାନୀୟ ଅଧିବାସୀ। ଏନେଇ ଗତ କିଛିଦିନ ଧରି ସ୍ଥାନୀୟ ଅଧିବାସୀମାନେ ଆନ୍ଦୋଳନ ଓ ରାସ୍ତା ରୋକ ଚଳାଇ ଆସୁଥିବା ସମୟରେ ଗତ କାଲି ପୁଣିଥରେ ଆଉ ଜଣେ କରୋନାରେ ମୃତ ବ୍ୟକ୍ତିର ଶବଦାହ ନିମନ୍ତେ ଶବ ନେଇ ଯାଉଥିବା ସ୍ୱର୍ଗରଥକୁ ଆନ୍ଦୋଳକାରୀମାନେ ଭଙ୍ଗାରୁଜା କରିଥିଲେ । ଏଥି ସହିତ ବାରିପଦା-କୋଷ୍ଠା ରାସ୍ତାକୁ ଅବରୋଧ କରିଥିଲେ । କିନ୍ତୁ ସମସ୍ୟାର କୌଣସି ସ୍ଥାୟୀ ସମାଧାନ ହୋଇ ନ ପାରିବାରୁ ଆଜି ରଘୁନାଥପୁର ଓ ବାରିପଦା ବ୍ଲକର ଲକ୍ଷ୍ମୀପୋଷି ପଞ୍ଚାୟତରୁ ଶତାଧିକ ମହିଳା ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ ।

ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଦୀର୍ଘ ସମୟ ଧରି ମହିଳାମାନେ କାର୍ଯ୍ୟାଳୟର ମୁଖ୍ୟ ଫାଟକ ବାହାରେ ଅପେକ୍ଷା କରିଥିଲେ। ଜିଲ୍ଲାପାଳ କାର୍ଯ୍ୟାଳୟ ପ୍ରକୋଷ୍ଠକୁ ଆସିବା ପରେ ତାଙ୍କୁ ଭେଟିବା ପାଇଁ ମହିଳାମାନେ ଭିତରକୁ ପ୍ରବେଶ କରିବାକୁ ଯାଉଥିବା ବେଳେ ମୁଖ୍ୟ ଫାଟକରେ ଥିବା ପୁଲିସ ସେମାନଙ୍କୁ ବାଧା ଦେବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ ଜଣେ ମହିଳାଙ୍କ ପାଦରେ ଲୁହା ଫାଟକ ବାଜିବାରୁ ସେ ଆହତ ହୋଇଥିଲେ । ଏପରିକି କିଛି ମହିଳା ଠେଙ୍ଗାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ବାଡ଼ଉଥିବା ଦେଖିବାକୁ ମିଳିଥିଲା। ତେବେ ଶେଷରେ ମହିଳାମାନଙ୍କ ମଧ୍ୟରୁ ଏକ ପ୍ରତିନିଧି ଦଳ କାର୍ଯ୍ୟାଳୟ ଭିତରକୁ ଯାଇ ଜିଲ୍ଲାପାଳଙ୍କ ସହ ମଇଳା ଖାଦାନ ପରିସରରେ ନିର୍ମିତ ସ୍ୱତନ୍ତ୍ର ଅସ୍ଥାୟୀ ଶ୍ମଶାନରେ କରୋନା ସଂକ୍ରମିତ ଶବଦାହ କରିବା ଦ୍ୱାରା ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଶ୍ମଶାନକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯିବା ନିମନ୍ତେ ଦାବି କରିଥିଲେ ।

ଜିଲ୍ଲାପାଳ ବର୍ତ୍ତମାନ ମଇଳା ଖାଦାନ ପରିସରରେ ନିର୍ମିତ ସ୍ୱତନ୍ତ୍ର ଅସ୍ଥାୟୀ ଶ୍ମଶାନରେ କରୋନାରେ ମୃତ ବ୍ୟକ୍ତିଙ୍କ ଶବକୁ ଦାହ କରାଯିବ ନାହିଁ । ଅଭିଯୋଗ ଉପରେ କ୍ଷେତ୍ର ପରିଦର୍ଶନ କରିବା ପରବର୍ତ୍ତି ସମୟରେ ସମସ୍ୟାର ସ୍ଥାୟୀ ପ୍ରତିକାରର ବ୍ୟବସ୍ଥା କରାଯିବା ପରେ ଯାହା ପଦକ୍ଷେପ ନିଆଯିବାର ପ୍ରତିଶ୍ରୁତି ପ୍ରଦାନ କରିଥିବାର ଜଣାପଡ଼ିଛି । ଏହି ସମୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ୍ ପି ପରମାର ମଧ୍ୟ ଉପସ୍ଥିତ ରହିଥିଲେ ।

ପ୍ରକାଶ ଥାଉକି, କରୋନାକୁ ନେଇ ସହରବାସୀ ଅତ୍ୟନ୍ତ ଭୟଭିତ ହୋଇପଡ଼ିଛନ୍ତି । ମଇଳା ଖାଦାନ ପରିସରରେ ନିର୍ମିତ ସ୍ୱତନ୍ତ୍ର ଅସ୍ଥାୟୀ ଶ୍ମଶାନରେ କରୋନାରେ ମୃତ ବ୍ୟକ୍ତିଙ୍କ ଶବ ଦାହ ସମୟରେ ଧୂଆଁ ସେମାନଙ୍କ ଘର ଭିତରକୁ ପ୍ରବେଶ କରିବା ସହିତ ଦୁର୍ଗନ୍ଧ ହେଉଛି । କରୋନା ଭୂତାଣୁ ବାୟୁ ଦ୍ୱାରା ସ୍ଥାନୀୟ ବସ୍ତି ଅଞ୍ଚଳରେ ବ୍ୟାପିବାର ସମ୍ଭାବନା କରି ଅତ୍ୟନ୍ତ ଭୟଭିତ ହୋଇପଡ଼ିଛନ୍ତି । ତେଣୁ ବିଦ୍ୟୁତ ଚାଳିତ ଚୁଲା ବ୍ୟବସ୍ଥା କରାଯିବା ଅଥବା ସ୍ୱତନ୍ତ୍ର ଭାବେ ଶବ ଦାହ ଗୃହ ନିର୍ମାଣ କରି ଚିମିଟି ବ୍ୟବସ୍ଥା କରାଗଲେ ଧୂଆଁ ଜନବସତିକୁ ନ ଯାଇ ସିଧାସଳଖ ଉପରକୁ ଚାଲିଯିବାର ବ୍ୟବସ୍ଥା କରାଇଲେ ସମସ୍ୟାର ସ୍ଥାୟୀ ପ୍ରତିକାର ସମ୍ଭବ ହୋଇପାରନ୍ତା ବୋଲି ସ୍ଥାନୀୟ ରଘୁନାଥପୁରର ଅଧିବାସୀ ତଥା ପୂର୍ବତନ ନଗରପାଳ ରାଜ ଶିବ ନାରାୟଣ କିସ୍କୁ ପ୍ରକାଶ କରିଛନ୍ତି । ତେବେ ଏହି ବିରୋଧ ପରେ ଆଜି କରୋନା ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ଶବ ସତ୍କାର ଜାତୀୟ ରାଜପଥ କଡ଼ ଟେଲ୍କୋ ଛକ ନିକଟସ୍ଥ ଶ୍ମଶାନରେ କରାଯାଇଥିଲା। ଉଲ୍ଲେଖଯୋଗ୍ୟଯେ ଏଠାରେ ସାଧାରଣ ମୃତକଙ୍କର ଶବ ସତ୍କାର କରାଯାଇଥାଏ।

ସମ୍ବନ୍ଧିତ ଖବର