ତାଲାବନ୍ଦ ଯୋଗୁଁ ରାଜ୍ୟରେ ୩ ଲକ୍ଷ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ପ୍ରଭାବିତ, ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ବର : କୋଭିଡ୍‌-୧୯ ପାଇଁ ୨୧ ଦିନିଆ ତାଲାବନ୍ଦ ଯୋଗୁଁ ରାଜ୍ୟରେ ୩ ଲକ୍ଷ ୩୦ ହଜାର ଏମ୍‌ଏସ୍‌ଏମ୍‌ଇ ଶିଳ୍ପ ପ୍ରଭାବିତ ହୋଇଛନ୍ତି। ଏମାନେ ବର୍ତ୍ତମାନ୍‌ ବଡ଼ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। ୮୦% ୟୁନିଟ୍‌ ବନ୍ଦ ହେବାକୁ ବସିଲାଣି। ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ଦେଶର ଅର୍ଥନୀତିକୁ ସମୃଦ୍ଧ କରିବାରେ ବଡ଼ ଅବଦାନ ରଖୁଥିବା ରାଜ୍ୟର ଏମ୍‌ଏସ୍‌ଏମ୍‌ଇ ଶିଳ୍ପମାନଙ୍କୁ ସହାୟତା ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ବର ସ୍ଥିତ ଜଗରନଟ୍‌ ଆସୋସିଏସନ୍‌ ଅଫ୍‌ ଏଣ୍ଟର୍‌ପ୍ରିନିୟର୍ସ ପକ୍ଷରୁ ଚିଠି ଲେଖାଯାଇଛି।

ଚିଠିରେ ସଂଘ ଦର୍ଶାଇଛି, ତାଲାବନ୍ଦ ପ୍ରଭାବରେ ଏବେ ରାଜ୍ୟରେ ଥିବା ୨୫ ହଜାର ଶିଳ୍ପ ବନ୍ଦ ହେବାକୁ ବସିଲାଣି। କଞ୍ଚାମାଲର ଘୋର ଅଭାବ, ବ୍ୟାଙ୍କ ଋଣ ବାବଦକୁ ସୁଧ ସମେତ କିସ୍ତି, ବକେୟା ଆଦାୟ, କର୍ମଚାରୀଙ୍କ ଦରମା, ବିଦ୍ୟୁତ୍‌ ବିଲ୍‌ ଓ କମ୍ପାନି ଚଳାଇବା ପାଇଁ ନଗଦ ପୁଞ୍ଜିର ଘୋର ଅଭାବ ଦେଖାଦେଇଛି। ଏପରି ସମସ୍ୟାର ସମାଧାନ ପାଇଁ ସଂଘ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଖରେ କେତୋଟି ପ୍ରସ୍ତାବ ରଖିଛି। ଋଣ ଉପରେ ବ୍ୟାଙ୍କ ସୁଧ ଛାଡ଼ କରିବା ସହ ତାଲାବନ୍ଦ ସମୟ ପର୍ଯ୍ୟନ୍ତ କର୍ମଚାରୀଙ୍କ ବେତନ ସରକାର ବହନ କରନ୍ତୁ। ସେହିପରି ଶିଳ୍ପାନୁଷ୍ଠାନମାନଙ୍କୁ ବିଦ୍ୟୁତ୍‌ ବିଲ୍‌ ଛାଡ଼ କରାଯାଉ। ଏହାସହ ବକେୟା ବିଲ୍‌ ଅନାଦେୟ ପାଇଁ କୌଣସି ଏମ୍‌ଏସ୍‌ଏମ୍‌ଇ ଶିଳ୍ପରୁ ବିଦ୍ୟୁତ ସଂଯୋଗ କାଟି ଦିଆନଯାଉ। ବିନା ଜରିମାନାରେ ବକେୟା ବିଦ୍ୟୁତ୍‌ ବିଲ୍‌ ପଇଠ ପାଇଁ ଆଉ ୩ ମାସ ସମୟ ପ୍ରଦାନ କରାଯାଉ। କମ୍ପାନି ଚାଲୁ ରଖିବା ପାଇଁ ସ୍ବଳ୍ପ ମିଆଦି ନଗଦ ପୁଞ୍ଜି ଯୋଗାଇବାକୁ ବ୍ୟବସ୍ଥା କରିବାକୁ ସଂଘ ଚିଠିରେ ଅନୁରୋଧ କରିଛି। ଏହି ଚିଠିର ନକଲ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ବିଭାଗ ମନ୍ତ୍ରୀ ନିତିନ୍‌ ଗଡ଼୍‌କରି, ଏମ୍‌ଏସ୍‌ଏମ୍‌ଇ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ, କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ସଚିବ ଅରୁଣ କୁମାର ପଣ୍ଡା, ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଓ ଭାରତ ସରକାରଙ୍କ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କୁ ସଂଘ ପ୍ରଦାନ କରିଛି।

ସମ୍ବନ୍ଧିତ ଖବର