ମହାମାରୀ ବାଟ ବନ୍ଦ ଲାଗି କଠୋର ନିଷ୍ପତ୍ତି : ତାଲା ବନ୍ଦ ୧୪ ଜିଲ୍ଲାକୁ ସଂପ୍ରସାରିତ

ଆଜିଠୁ ଆଉ ୯ ଜିଲ୍ଲା ସାମିଲ ହେଲେ, ସକାଳ ୧୧ଟାଠୁ ବସ୍ ଚଳାଚଳ ବନ୍ଦ, କମ୍ କର୍ମଚାରୀରେ କାମ କରିବାକୁ ନିର୍ଦେଶ

ରାଜ୍ୟ ବାହାରୁ ଆସିଲେ ବି ସଙ୍ଗରୋଧ ରହିବାକୁ ବାଧ୍ୟ
ପଞ୍ଚାୟତସ୍ତରରେ ଅସ୍ଥାୟୀ ଶିବିର ବ୍ୟବସ୍ଥା କରାଗଲା

ଭୁବନେଶ୍ବର : କରୋନା ଯେପରି ମହାମାରୀର ରୂପ ନେବ ନାହିଁ, ସେ ନେଇ ସରକାର ଧୀରେ କଠୋର ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି। ଓଡ଼ିଶାର ଅଧାରୁ ଅଧିକ ଅଞ୍ଚ​ଳ ଏବେ ଲକ୍ ଡାଉନ ବା ତାଲା ବନ୍ଦ ହୋଇଯିବ। ପୂର୍ବରୁ ୫ ଜିଲ୍ଲା ଓ ୮ ସହରକୁ ତାଲା ବନ୍ଦ କରାଯାଇଥିଲା। ଆସନ୍ତାକାଲି ସକାଳୁ ଆଉ ୯ଟି ଜିଲ୍ଲାକୁ ତାଲାବନ୍ଦ କରିଛନ୍ତି ସରକାର । ଅର୍ଥାତ୍ କେବଳ ଜରୁରୀ ସାମଗ୍ରୀ ଓ ସେବାକୁ ଛାଡିଦେଲେ ସେସବୁ ଅଞ୍ଚଳରେ ସବୁକିଛି ବନ୍ଦ କରି ଦିଆଯିବ। ଅତି ଆବଶ୍ୟକ ନପଡ଼ିଲେ ଘରୁ ନ ବାହାରିବାକୁ କଡ଼ା ନିୟମ କରାଯାଇଛି। କେବଳ ସେତିକି ନୁହେଁ କାଲି ସକାଳ ୧୧ଟା ପରଠାରୁ ସମସ୍ତ ବସ୍ ସେବାକୁ ବାତିଲ କରିଦିଆଯାଇଛି। ସିଟି ବସ୍ ଗୁଡିକ ଆଜି ମଧ୍ୟ-ରାତିରୁ ବନ୍ଦ କରି ଦିଆଯିବ। ଆବଶ୍ୟକ ସେବା ଯୋଗାଉଥିବା କାର୍ଯ୍ୟାଳୟରେ କର୍ମଚାରୀ ସଂଖ୍ୟା ହ୍ରାସ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ନୂତନ ଭାବେ ଲକ୍ ଡାଉନ୍ ଘୋଷିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଲା, ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା। ଆସନ୍ତାକାଲି ସକାଳ ୭ଟାରୁ ୨୯ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ଏହି ଜିଲ୍ଲାଗୁଡ଼ିକ ସଂପୂର୍ଣ୍ଣ ଲକ୍-ଡାଉନ୍‌ ରହିବ।

ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ କହିବାନୁସାରେ, ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟରେ ୧୦ ପ୍ରତିଶତ କର୍ମଚାରୀରେ କାମ କରିବାକୁ କୁହାଯାଇଛି । ଅତି ଜରୁରୀ ସେବା ଯୋଗାଉ ନଥିବା କାର୍ଯ୍ୟାଳୟ ୧୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବେ। ସରକାରୀ ଅଫିସକୁ ୩ ଭାଗରେ ବିଭକ୍ତ କରାଯାଇଛି । ଅତି ଜରୁରୀ ସେବା ଯୋଗାଉଥିବା ବିଭାଗରେ ୫୦ ପ୍ରତିଶତ କର୍ମଚାରୀ, ମଧ୍ୟମ ଜରୁରୀ ସେବା ଯୋଗାଉଥିବା ବିଭାଗରେ ୧୦ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ । ଜରୁରୀ ନଥିବା ସେବା ଯୋଗାଉଥିବା ବିଭାଗର କର୍ମଚାରୀ ଦରକାର ପଡ଼ିଲେ ଅଫିସ ଆସିବେ । ସେମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀ ବାଗ୍‌ଚୀ କହିଥିଲେ, ଏବେ ୩ଟି ପ୍ରସଙ୍ଗ ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ପ୍ରଥମତଃ ମହାମାରୀର ରୂପ ନେବା ପୂର୍ବରୁ ଏହାକୁ ରୋକିବା। ଦ୍ବିତୀୟତଃ, ଅଳ୍ପ ସମୟ ଭିତରେ ଆବଶ୍ୟକ ସାଧନ ଉପଲବ୍ଧ କରାଇବା। ତୃତୀୟତଃ, ଅତ୍ୟାବଶ୍ୟକ ସାମଗ୍ରୀର ପରିବହନକୁ ସ୍ୱାଭାବିକ ରଖିବା। ଯେହେତୁ କରୋନା ପାଇଁ କୌଣସି ଚିକିତ୍ସା ନାହିଁ, ସଚେତନତା, ସଙ୍ଗରୋଧ ଓ ତାଲାବନ୍ଦ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ରାଜ୍ୟ ବାହାରୁ ଆସୁଥିବା ଲୋକ ହୋମ କ୍ୱାରାଣ୍ଟିନ୍‌ରେ ରହିବାକୁ ବାଧ୍ୟ । ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁବ୍ରତ ସ୍ପଷ୍ଟ କରିଛନ୍ତି।

ସରକାରଙ୍କ ପକ୍ଷରୁ ଆହୁରି କୁହାଯାଇଛି, ଅଙ୍ଗନବାଡ଼ି କେନ୍ଦ୍ରଗୁଡିକ ଏପ୍ରିଲ୍‌ ୩୦ ତାରିଖ ଯାଏ ବନ୍ଦ ରହିବ। ହେଲେ ଶିଶୁ ଓ ପ୍ରସୂତିଙ୍କ ଘରେ ଶୁଖିଲା ଖାଦ୍ୟ ପହଞ୍ଚାଯିବ। ହୋମ୍ କ୍ବାରାଣ୍ଟିନ୍‌ରେ ରହୁଥିବା ଲୋକଙ୍କ ଘର ଆଗରେ ସ୍ୱତନ୍ତ୍ର ଷ୍ଟିକର ଲଗାଯିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ପୃଥକବାସ ଓ ପରିବାରର ଅନ୍ୟ ବିବରଣୀ ରହିବ।

‘କରୋନା’ ମୁକାବିଲା ପାଇଁ ପଞ୍ଚାୟତ ସ୍ତରରେ ଅସ୍ଥାୟୀ ଚିକିତ୍ସା ଶିବିର ବ୍ୟବସ୍ଥା କରାଯାଇଛି। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ସମସ୍ତ ୬ ହଜାର ୭୯୮ଟି ପଞ୍ଚାୟତରେ ମୌଳିକ ସୁବିଧା ଥାଇ ୭ ହଜାର ୨୭୬ଟି ଅସ୍ଥାୟୀ ଚିକିତ୍ସା ଶିବିର ଚିହ୍ନଟ କରାଯାଇଛି। ତିଆରି ହୋଇଥିବା ଏହି ଅସ୍ଥାୟୀ ଚିକିତ୍ସା ଶିବିର ଗୁଡ଼ିକରେ ଆବଶ୍ୟକ ସମୟରେ ଖାଦ୍ୟ, ବେଡ୍ ଓ ବେଡସିଟ୍ ଯୋଗାଇବାକୁ ସେବା ପ୍ରଦାନକାରୀଙ୍କୁ ଚିହ୍ନଟ କରାଯାଇଛି। ଏଥିସହ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଣି, ଶୌଚାଳୟ, ପରିମଳ ଓ ବିଦ୍ୟୁତ ଯୋଗାଣ ଭଳି ମୌଳିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏଥିପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦ ଲକ୍ଷ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ବିଡିଓ ମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି।

ସେହିଭଳି ଏସ୍‌ସିଏସ୍‌ଟି ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ଛାତ୍ରବୃତ୍ତି ପ୍ରଦାନ କରାଯିବ। ସେହିଦିନ ସନ୍ଧ୍ୟା ସୁଦ୍ଧା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପିତାମାତା ବା ସମ୍ପର୍କୀୟମାନେ ଘରକୁ ନେଇଯିବେ। ସେହିପରି ଉଜ୍‌ବେକିସ୍ଥାନରୁ ଫେରିଥିବା ଜଣେ ବ୍ୟକ୍ତି କ୍ୱାରେଣ୍ଟିନ୍‌ରେ ରହିନଥିଲେ। ସେ ‘କରୋନା’ କ୍ୱାରେଣ୍ଟିନ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରିଥିବାରୁ ତାଙ୍କ ନାଁରେ ସମ୍ୱଲପୁର ଜିଲ୍ଲା ଧନୁପାଲି ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଆଇପିସି ଧାରା ୧୮୮ ଓ ୨୭୧ରେ ମାମଲା ରୁଜୁ କରିଛି। ତାଙ୍କୁ ନାଁ ଗୋପନ ରଖାଯାଇଛି।

ଅନ୍ୟପକ୍ଷରେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ଅତ୍ୟାବଶ୍ୟକ ସେବା ସୁନିଶ୍ଚିତ କରିବାକୁ ଜରୁରୀ ସେବା ପ୍ରଦାନକାରୀଙ୍କ ଉପରେ ଏସ୍‌ମା ଲାଗୁ କରିଛନ୍ତି ରାଜ୍ୟ ସରକାର। ଆଗାମୀ ୬ ମାସ ପାଇଁ ଏହି କଟକଣା ଲାଗିଛି। ଏହି ସମୟ ଭିତରେ ପୌର, ଜଳ ଯୋଗାଣ, ପରିମଳ ଭଳି ଅତ୍ୟାବଶ୍ୟକ ସେବାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଆନ୍ଦୋଳନ ନକରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ୫ଟି ଜିଲ୍ଲାର ୮ଟି ସହର ଲକ୍‌-ଡାଉନ୍‌ ଘୋଷଣା ହୋଇଥିଲା। ସେଗୁଡ଼ିକ ହେଲା, ଖୋର୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା, ଅନୁଗଳ ସହ ୮ଟି ସହର ଯାଥା ପୁରୀ, ରାଉରାକେଲା(ଇସ୍ପାତ ନଗରୀ ସମେତ), ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ବର, ଭଦ୍ରକ, ଯାଜପୁର ଟାଉନ ଓ ଯାଜପୁର ରୋଡ୍‌।

ସମ୍ବନ୍ଧିତ ଖବର