ବିନା ପାସ୍‌ରେ ଡାକ୍ତର, ନର୍ସଙ୍କୁ ଛାଡ଼ବାକୁ ପୁଲିସ ଡିଜିଙ୍କ ନିର୍ଦ୍ଦେଶ

ପୁଲିସ ଡିଜିଙ୍କ କଡ଼ା ନିର୍ଦ୍ଦେଶ ଅନ୍‌ଲାଇନ୍‌ ପାସ୍‌ ପାଇଁ ପ୍ରକ୍ରିୟା ଆରମ୍ଭ

କଟକ : ଡାକ୍ତର ଏବଂ ନର୍ସଙ୍କୁ ବିନା ପାସରେ ରାସ୍ତାରେ ଗାଡ଼ି ଚଳାଚଳ ପାଇଁ ଅନୁମତି ନ ଦେବାକୁ ଗଲାକାଲି ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଢ଼ଙ୍ଗୀ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏ ପ୍ରସଂଗରେ ଭିନ୍ନ ମତ ରଖିଛନ୍ତି ପୁଲିସ ଡିଜି ଅଭୟ। ଉଭୟ ଘରୋଇ ଏବଂ ସରକାରୀ ହସପିଟାଲର କର୍ମଚାରୀଙ୍କୁ ବିନା ପାସରେ ଯିବାକୁ ଅନୁମତି ଦେବାକୁ ଆଜି ରାଜ୍ୟର ସମସ୍ତ ପୁଲିସ ଏସ୍‌ପି/ଡିସିପି, ରେଞ୍ଜ ଡିଆଇଜି/ଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅନଲାଇନରେ ପାସ ମିଳିବା ବ୍ୟବସ୍ଥା ଆରମ୍ଭ ପର୍ଯ୍ୟନ୍ତ ଏଭଳି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ନେଇ ସୂଚନା ମିଳିଛି।

ଆଜି ରାଜ୍ୟର ୩୦ଟି ଜିଲ୍ଲାରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ଏବେ ରୋଗୀ ସେବାକୁ ପ୍ରାଥମିକତା କିଭଳି ମିଳିପାରିବ, ସେ ପ୍ରସଂଗରେ ପୁଲିସ ଡିଜି ଚିନ୍ତା ପ୍ରକଟ କରିଛନ୍ତି। ଏବେ ସମସ୍ତ ଡାକ୍ତରୀ କର୍ମଚାରୀଙ୍କୁ ପାସ ଏକକାଳୀନ ଯୋଗାଇବା ସମ୍ଭବ ହେଉ ନାହିଁ। ତେବେ, ଆସନ୍ତାକାଲିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଏମାନଙ୍କୁ ବିନା ପାସରେ ଛଡ଼ାଯିବ। କିନ୍ତୁ ରାସ୍ତାରେ ପୁଲିସର ଚେକିଂ ସମୟରେ ସମ୍ପୃକ୍ତ ଅଫିସର କିମ୍ବା କର୍ମଚାରୀ ହସ୍ପି‌ଟାଲ ପକ୍ଷରୁ ଜାରି ହୋଇଥିବା ପରିଚୟପତ୍ର ଦେଖାଇବା ବାଧ୍ୟତାମୂଳକ। ଏହି ପରିଚୟପତ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ, ପଦବି, ଫଟୋ ସମ୍ପୃକ୍ତ ସରକାରୀ କିମ୍ବା ଘରୋଇ ହସ୍ପି‌ଟାଲ ପକ୍ଷରୁ ଉଲ୍ଲେଖ ଥିବା ବାଧ୍ୟତାମୂଳକ। ଏଭଳି ନିଷ୍ପତ୍ତି ସମ୍ପର୍କରେ ରାଜ୍ୟର ସମସ୍ତ ଥାନା ଏବଂ ଫିଲ୍ଡରେ ନିୟୋଜିତ ଅଫିସରଙ୍କୁ ତୁରନ୍ତ ଅବଗତ କରିବା ପାଇଁ ପୁଲିସ ଡିଜି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର