ଗୁରୁଦିବସରୁ ଗୁରୁଙ୍କ ଗର୍ଜନ

ବିଦ୍ୟାଳୟରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ପଡ଼ିବ ତାଲା, ଡ୍ରେସ୍‌ ବର୍ଜନ କରିବେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟରେ ଦାନା ବାନ୍ଧିଲାଣି ଶିକ୍ଷକ ଆନ୍ଦୋଳନ। ଆଗକୁ ବିଧାନସଭା ଅଧିବେଶନ ଥିବାରୁ ଏହା ପୂର୍ବରୁ ଦାବି ହାସଲ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନର ଡାକରା ଦେଇଛନ୍ତି ଏକାଧିକ ଶିକ୍ଷକ ଓ ଅଧ୍ୟାପକ ସଙ୍ଗଠନ। ସେପ୍ଟେମ୍ବର ୫ ତଥା ଗୁରୁ ଦିବସଠାରୁ ସାରା ରାଜ୍ୟରେ ଗୁରୁଙ୍କ ଗର୍ଜନ ଶୁଣିବାକୁ ମିଳିବ। ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ, ସବୁଠି ଶିକ୍ଷକ ଓ ଅଧ୍ୟାପକ ଆନ୍ଦୋଳନ କରିବେ। ସେପ୍ଟେମ୍ବର ୬ରୁ ରାଜ୍ୟରେ ଥିବା ସ୍କୁଲ ଓ କଲେଜରେ ତାଲା ପକାଇ ଅଢ଼େଇ ଲକ୍ଷରୁ ଅଧିକ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନେ ରାଜରାସ୍ତାକୁ ଓହ୍ଲାଇବେ। ଫଳରେ ପାଠପଢ଼ା ପ୍ରଭାବିତ ହେବ। ଆଗକୁ ଦଶମ ଓ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ଯଥାକ୍ରମେ ପ୍ରି-ଟେଷ୍ଟ ଓ ଟେଷ୍ଟ ପରୀକ୍ଷା ହେବାକୁ ଥିବାରୁ ତାହାର ପ୍ରଭାବ ସିଧାସଳଖ ପିଲାଙ୍କ ଉପରେ ପଡ଼ିବା ନେଇ ଏବେଠାରୁ ଆଶଙ୍କା ପ୍ରକାଶ ପାଇଲାଣି। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଦୁଇ ସପ୍ତାହ ହେଲା ଆନ୍ଦୋଳନ ଜାରି ରହିଛି। ଏଥିରେ ୪ ହଜାର ସ୍କୁଲ କଲେଜର ୬୦ ହଜାରରୁ ଅଧିକ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ସାମିଲ ଅଛନ୍ତି। ଏପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ହୋଇ ନଥିଲେ ମଧ୍ୟ କେତେକ ସ୍ଥାନରେ ଜଣେ ଦୁଇ ଜଣ ଶିକ୍ଷକରେ ପାଠପଢ଼ା ଚାଲିଛି। ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଜିଲ୍ଲାଓ୍ଵାରି ଭୁବନେଶ୍ୱରରେ ସମାବେଶ ହେବ। ୫ ତାରିଖ ତଥା ଗୁରୁ ଦିବସକୁ କଳା ଦିବସ ଭାବେ ଲୋୟର ପିଏମ୍‌ଜିରେ ପାଳନ କରିବ ମିଳିତ ମଞ୍ଚ। ସେପ୍ଟେମ୍ବର ୬ରୁ ସ୍କୁଲ କଲେଜରେ ତାଲା ପକାଇବାକୁ ଘୋଷଣା କରାଯାଇଛି। ଫଳରେ ଗତଥର ପରି ଏଥର ମଧ୍ୟ ବ୍ଲକଗ୍ରାଣ୍ଟ ସ୍କୁଲ କଲେଜରେ ପାଠପଢ଼ା ପ୍ରଭାବିତ ହେବା ଏକପ୍ରକାର ଥୟ। ଆଗକୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରି-ଟେଷ୍ଟ ପରୀକ୍ଷା ପ୍ରଭାବିତ ହେବାକୁ ଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ଅନ୍ୟପକ୍ଷରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିିଦ୍ୟାଳୟରେ ବି ଗୁରୁ ଦିବସପରଠାରୁ ପାଠପଢ଼ା ଠପ୍‌ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକସ୍ତରେ ଥିବା ୯ଟି ଶିକ୍ଷକ ସଙ୍ଗଠନକୁ ନେଇ ଗଠିତ ଓଡ଼ିଶା ମିଳିତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ୭ ଦଫା ଦାବି ଉପସ୍ଥାପିତ ହୋଇଛି। ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଯୁକ୍ତ୨ ସିଟି ଶିକ୍ଷକଙ୍କ ପଦକୁ ଉନ୍ନୀତ କରାଯାଇ ଷଷ୍ଠ ବେତନ କମିସନ ଆଧାରରେ ମୂଳ ଦରମା ୫୨୦୦ ଟଙ୍କା ସହ ଗ୍ରେଡ୍‌ ପେ’ ୨୮୦୦ ଟଙ୍କା ପିଛିଲା ଭାବେ ୨୦୧୬ ଜାନୁଆରି ପହିଲାଠାରୁ ନୂତନ ବର୍ଦ୍ଧିତ ସପ୍ତମ ବେତନ କମିସନ ଆଧାରରେ ସଂଶୋଧିତ ଦରମା ପ୍ରଦାନ କରିବାକୁ ଦାବି କରାଯାଇଛି। ଏଥିସହ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ୨୫% ବୃଦ୍ଦି କରି ବାର୍ଷିକ ୧୦% ଇନ୍‌କ୍ରିମେଣ୍ଟ, ଏକ୍ସ-କ୍ୟାଡର ପ୍ରଥା ଉଚ୍ଛେଦ କରିବା ସହ ଟ୍ରେଜେରି ମାଧ୍ୟମରେ ଦରମା ପ୍ରଦାନ, ୨୦୧୪ ଜୁଲାଇ ୧ ଏଲିମେଣ୍ଟାରି କ୍ୟାଡର ନିୟମ ପ୍ରଚଳନ, ଉଚ୍ଚ ପ୍ରାଥମିକସ୍ତରରେ କାର୍ଯ୍ୟରତ ସମସ୍ତ କ୍ରୀଡ଼ା ଓ କଳା ଶିକ୍ଷକଙ୍କୁ ସ୍ଥାୟୀ କରିବାକୁ ଦାବି କରିଛି ମହାସଂଘ। ସେପ୍ଟେମ୍ବର ୪ ସୁଦ୍ଧା ଯଦି ଦାବି ପୂରଣ କରା ନ ଯାଏ ତେବେ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାୟ ଏକ ଲକ୍ଷ ୮୦ ହଜାର ଶିକ୍ଷକ ବିଦ୍ୟାଳୟରେ ତାଲା ପକାଇବେ। ଗୁରୁ ଦିବସଠାରୁ ଡ୍ରେସ୍‌ କୋଡ୍‌ ବର୍ଜନ କରିବେ। ସେପ୍ଟେମ୍ବର ୬ରୁ ବିଧାନସଭା ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀ ଧାରଣାରେ ବସିରହିବେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସ୍କୁଲ ଫେରିବେ ନାହିଁ। ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେଉଁ କ୍ଷତି ହେବ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଆବାହକ ମଣ୍ଡଳୀ ସଦସ୍ୟ ବଙ୍କିମ ଚନ୍ଦ୍ର ସାଗର, ସୁଶାନ୍ତ କୁମାର ବେହେରା, ଯାମିନୀକାନ୍ତ ପଣ୍ଡା, ଲକ୍ଷ୍ମଣ ମହାନ୍ତି, ଅକ୍ଷୟ ମିଶ୍ର, ସନ୍ତୋଷ ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର