ପୁରୀ: ମାଳତୀପାଟପୁର ବସ୍ଷ୍ଟାଣ୍ଡ୍ରେ ଏଣିକି ମିଳିବନାହିଁ ସ୍ମାର୍ଟ ଟଏଲେଟ୍ର ସୁବିଧା। ଫ୍ରେସ୍ ହେବା ପାଇଁ ଆଉ ଉପଲବ୍ଧ ହେବ ନାହିଁ ‘ଫ୍ରେସ୍ ରୁମ୍ସ’। ଓଡ଼ିଶା ତଥା ପୂର୍ବ ଭାରତରେ ପ୍ରଥମଥର କାର୍ଯ୍ୟକାରୀ ହୋଇଥିବା ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ ସ୍ମାର୍ଟ ଟଏଲେଟ୍ ଓ ବାଣିଜ୍ୟିକ ସୁବିଧା କେନ୍ଦ୍ରରେ ତାଲା ଝୁଲିଛି। ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସ୍ଆର୍ଟିସି) ପକ୍ଷରୁ ପର୍ଯ୍ୟଟକ ଓ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ବହୁ ଆଡ଼ମ୍ବରରେ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ବ୍ୟବସ୍ଥା ଅଚଳ ହୋଇଯାଇଛି।
୨୦୨୨ ମସିହା ଜୁନ୍ ୨୦ ତାରିଖରେ ମାଳତୀପାଟପୁରରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା। ସମୟ ସହ ତାଳ ଦେଇ ଯାତ୍ରୀମାନଙ୍କୁ ସ୍ମାର୍ଟ ବ୍ୟବସ୍ଥା ଯୋଗାଇ ଦେବା ଉଦ୍ଦେଶ୍ୟରେ ଦୁଇ ବର୍ଷ ତଳେ ରଥଯାତ୍ରା ପୂର୍ବରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲା। ବିଶେଷକରି ମହିଳା ଯାତ୍ରୀମାନଙ୍କୁ ଏକ ପରିଚ୍ଛନ୍ନ ବାତାବରଣପୂର୍ଣ୍ଣ ଶୌଚାଳୟ ଯୋଗାଇ ଦେବା ନେଇ ସର୍ବାଧିକ ଗୁରୁତ୍ବ ଦିଆଯାଇଥିଲା। ଓଏସ୍ଆର୍ଟିସି ମଧ୍ୟପ୍ରଦେଶର ଏକ ଷ୍ଟାର୍ଟଅପ୍ ସଂସ୍ଥା ‘ଫ୍ରେସରୁମ୍ସ ହସ୍ପିଟାଲିଟି ସିର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍’ ସହିତ ମିଳିତ ଭାବେ ମାଳତୀପାଟପୁର ବସ୍ଷ୍ଟାଣ୍ଡ୍ରେ ଏହି ଅତ୍ୟାଧୁନିକ ବ୍ୟବସ୍ଥା ଭେଟି ଦେଇଥିଲେ। ନାଁ ରହିଥିଲା ଫ୍ରେସ୍ରୁମ୍। ଏହା ମଧ୍ୟରେ ଥିବା ଶୌଚାଳୟ ଏକ ପରିଚ୍ଛନ୍ନ ବାତାବରଣ ଯୋଗାଇ ଦେଇଥିଲା।
ନୂଆଧରଣର ଡିଜାଇନ୍ ସହ ମହିଳାଙ୍କ ନିରାପତ୍ତା ଦୃଷ୍ଟିରୁ ମଧ୍ୟ ଏହି ଶୌଚାଳୟ ବେଶ୍ ଉପଯୋଗୀ ହେଉଥିଲା। ଏହା ମଧ୍ୟରେ ଥିବା ୟୁଭି (ଅଲ୍ଟ୍ରା ଭାୟୋଲେଟ୍) ଲାଇଟ୍ ପ୍ୟାନ୍କୁ ଭୂତାଣୁ ଓ ଜୀବାଣୁଠାରୁ ମୁକ୍ତ ରଖୁଥିଲା। ପର୍ଯ୍ୟଟକମାନେ ଏଠାରେ ପହଞ୍ଚିବା ପରେ ଆରାମ କରୁଥିଲେ। ପରେ କିଛି ଫ୍ରେସ୍ ସ୍ନାକ୍ସରେ ଆପ୍ୟାୟିତ ହେବାର ସୁଯୋଗ ପାଉଥିଲେ। ଏହା ମଧ୍ୟରେ ଖାଦ୍ୟପେୟର ବ୍ୟବସ୍ଥା ଉପଲବ୍ଧ ଥିବାରୁ ପର୍ଯ୍ୟଟନ ଋତୁରେ ଏହା ମଧ୍ୟରେ ଭିଡ଼ ଦେଖିବାକୁ ମିଳୁଥିଲା। କିନ୍ତୁ ଧୀରେଧୀରେ ଚାହିଦା ହ୍ରାସ ପାଇଲା। ବିଶେଷକରି ମାଳତୀପାଟପୁର ବସ୍ଷ୍ଟାଣ୍ଡ୍ରେ ପହଞ୍ଚୁଥିବା ଯାତ୍ରୀମାନେ ଦେୟ ଦେଇ ଏହାକୁ ବ୍ୟବହାର କରିବା ପାଇଁ ପସନ୍ଦ କଲେ ନାହିଁ। ଫଳରେ ପରିଚାଳନା କରୁଥିବା ସଂସ୍ଥା କିଛି ମାସ ହେଲା ମାସିକ ଭଡ଼ା ମଧ୍ୟ ଦେଇପାରିଲା ନାହିଁ। ଉନ୍ନତ ସାଜସଜା ସହ ସମସ୍ତ ସୁବିଧା ଉପଲବ୍ଧ ଥିଲା। କିନ୍ତୁ ଏହା ସବୁ ବର୍ଗର ପର୍ଯ୍ୟଟକ ଓ ଯାତ୍ରୀଙ୍କ ପାଇଁ ସୁବିଧାଜନକ ହେଲା ନାହିଁ। ଅପରପକ୍ଷେ ସରକାରୀ ସ୍ତରରେ ମଧ୍ୟ ଏହାର ବିଶେଷ ପ୍ରଚାର ପ୍ରସାର ହେଲାନାହିଁ। ସରକାର ପଥପ୍ରାନ୍ତ ସୁବିଧା କେନ୍ଦ୍ରର ମାତ୍ରା ବଢ଼ାଇବାକୁ ଯାଉଥିବା ବେଳେ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ବେଶିଦିନ ନ ତିଷ୍ଠିବା ଏବେ ଆହ୍ବାନ ପାଲଟିଛି।
ଏନେଇ ଓଏସ୍ଆର୍ଟିସିର ଜିଲ୍ଲା ପ୍ରବନ୍ଧକ ରଶ୍ମି ସାହୁ କହିଛନ୍ତି, ଏକ ଘରୋଇ ସଂସ୍ଥା ଏହାର ପରିଚାଳନା ଦାୟିତ୍ବ ନେଇଥିଲେ। ତେବେ ଭଡ଼ା ନଦେବାରୁ ଏହିସଂସ୍ଥାକୁ ଅନୁମତି ଦିଆଗଲା ନାହିଁ। ତେଣୁ ୪ମାସରୁ ଅଧିକ ସମୟ ହେଲା ଏହାକୁ ବନ୍ଦ ରଖାଯାଇଛି। ତେବେ ଏହା ପୁନଃ କାର୍ଯ୍ୟକ୍ଷମ ହେବ କି ନାହିଁ, ତାହା ଉଚ୍ଚ କର୍ତ୍ତୃପକ୍ଷଙ୍କ ସ୍ତରରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/26/pI3oKHz5kn1HmReWQWzE.jpg)