ଲକ୍‌ଡାଉନ୍‌-୪ ନେଇ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର : ଜୋନ୍ ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ

ଭୁବନେଶ୍ବର : କରୋନା ମହାମାରୀ ପାଇଁ କେନ୍ଦ୍ର ସରକାର ତାଲାବନ୍ଦ ଅବଧିକୁ ଜାତୀୟ ବିପର୍ଯ୍ୟୟ ଆଇନ ଅନ୍ତର୍ଗତ ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାକୁ ଆଧାର କରି ଓଡ଼ିଶା ସରକାର ବି ସାରା ରାଜ୍ୟରେ ତାଲାବନ୍ଦ ଅବଧି ବୃଦ୍ଧି କରିବା ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରାଜସ୍ବ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରକାଶ ପାଇଛି। ଚତୁର୍ଥ ପର୍ଯ୍ୟାୟରେ ବି ସନ୍ଧ୍ୟା ୭ଟାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ଅଣଅତ୍ୟାବଶ୍ୟକ ଗତିବିଧି ଉପରେ କଟକଣା ବଳବତ୍ତର ରହିବ। କିନ୍ତୁ ଗତ ୩ ଥର ଲକ୍‌ଡାଉନ ନିୟମ ପରି ଏଥରକ କରୋନା ସଂକ୍ରମଣକୁ ନେଇ ରେଡ୍‌, ଅରେଞ୍ଜ୍‌ ଓ ଗ୍ରିନ୍‌ ଜୋନ୍‌ ଘୋଷଣା କରିବା କ୍ଷମତା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଏ ନେଇ ସ୍ଥାନୀୟ ପ୍ରଶାସନ, ଜିଲ୍ଲାପାଳ, ମୁନିସିପାଲ୍‌ କମିସନର, ସରପଞ୍ଚମାନେ ନିଷ୍ପତ୍ତି ନେଇପାରିବେ। ତେବେ ରାଜ୍ୟରେ ମଦ ଦୋକାନ, ସେଲୁନ, ପାନ ଦୋକାନ ଆଦି ଖୋଲିବା ନେଇ ଏହି ଗାଇଡ୍‌ଲାଇନ୍‌ରେ କୌଣସି ସୂଚନା ଦିଆଯାଇ ନାହିଁ।

କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିକୁ ଆଧାର କରି ରାଜ୍ୟ ସରକାର ଘରୋଇ ଓ ଆନ୍ତର୍ଜାତିକ ବିମାନସେବା, ସ୍କୁଲ, କଲେଜ, ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ରହିଥିବା କଟକଣାକୁ ବଳବତ୍ତର ରଖିଛନ୍ତି। ଏହାସହିତ ୬୫ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଓ ୧୦ବର୍ଷରୁ କମ୍‌ ବୟସର ପିଲା ସ୍ବାସ୍ଥ୍ୟଗତ କାରଣ କିମ୍ବା ଅତି ଜରୁରୀ ନଥିଲେ ତାଲାବନ୍ଦରେ ବାହାରକୁ ବାହାରିପାରିବେ ନାହିଁ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, କେବଳ ଅବରୋଧ ଅଞ୍ଚଳକୁ ଛାଡ଼ି ଅନ୍ତଃରାଜ୍ୟ ଯାତ୍ରୀ ପରିବହନ ସେବା କିଛି କଟକଣା ସହିତ ଆରମ୍ଭ କରାଯାଇପାରିବ। ଏଥିପାଇଁ ପଡ଼ୋଶୀ ରାଜ୍ୟର ସହମତି ଆବଶ୍ୟକ। ଏହାସହିତ ଅନ୍ତଃଜିଲ୍ଲାରେ ଦୁଇଚକିଆ, ଘରୋଇ ଗାଡ଼ି, ସରକାରୀ ଗାଡ଼ି, ଟ୍ୟାକ୍ସିଗୁଡ଼ିକ ଚଳାଚଳ କରିପାରିବେ। କରୋନା ପ୍ରତିହତ ଦୃଷ୍ଟିରୁ ରାଜ୍ୟ ସରକାର ପୂର୍ବରୁ ଜାରି କରିଥିବା ଏସ୍‌ଓପି ଆଧାରରେ ଲୋକମାନେ ଚଳପ୍ରଚଳ କରିପାରିବେ।

ନୂଆ କରି ଗ୍ରିନ୍‌, ରେଡ୍‌ ଓ ଅରେଞ୍ଜ୍‌ , ଅବରୋଧ ଓ ବଫର୍‌ ଅଞ୍ଚଳ ଘୋଷଣା ସ୍ଥାନୀୟ ପ୍ରଶାସନ ହାତରେ ରହିବ। ଏ ନେଇ ଜିଲ୍ଲାପାଳ, ମହାନଗର ନିଗମ କମିସନର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ପରାମର୍ଶ କରି ବିଭିନ୍ନ ଅଞ୍ଚଳ ଘୋଷଣା କରିପାରିବେ। ଏଥିପାଇଁ କେତୋଟି ପାରାମିଟର ନିର୍ଦ୍ଧାରଣ କରାଯାଇଛି। ନିର୍ଦ୍ଧାରିତ ଅଞ୍ଚଳ ଘୋଷଣା ପୂର୍ବରୁ ସେହି ଅଞ୍ଚଳରେ ଥିବା ସଂକ୍ରମିତ କରୋନା ରୋଗୀଙ୍କ ମୋଟ ସଂଖ୍ୟା, ପ୍ରତି ୧ ଲକ୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା, ଗତ ୭ ଦିନ ଭିତରେ ସଂକ୍ରମିତଙ୍କ ସଂଖ୍ୟା, ମୃତ୍ୟୁହାର, ନମୁନା ପରୀକ୍ଷା ସଂଖ୍ୟା ଓ ପଜିଟିଭ୍‌ ସଂଖ୍ୟାକୁ ହିସାବକୁ ନିଆଯିବ। ସେହିପରି ପଞ୍ଚାୟତ ସ୍ତରରେ ସରପଞ୍ଚମାନେ ସଂକ୍ରମଣ ଅଞ୍ଚଳକୁ ଅବରୋଧ କରିବା ପାଇଁ ଘୋଷଣା କରିପାରିବେ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ ସମ୍ପୃକ୍ତ ପଞ୍ଚାୟତ ପ୍ରତିନିଧି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବାସୀମାନେ ରହିଥିବା ଯେଉଁ ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଦେଖାଦେବେ ସେହି ଅସ୍ଥାୟୀ କ୍ୟାମ୍ପକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯିବ। ଆଉ ସମଗ୍ର ଅଞ୍ଚଳକୁ ଅବରୋଧ କରିବା ଆବଶ୍ୟକ ପଡ଼ିବନି। ସମାନ ନିୟମ କୋଭିଡ୍‌ ହସ୍ପିଟାଲ୍‌ ପାଇଁ ଲାଗୁ ହେବ। ଅବରୋଧ ଅଞ୍ଚଳରେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ଆଉ କୌଣସି ଗତିବିଧି ପାଇଁ ଅନୁମତି ମିଳିବ ନାହିଁ। ଅବରୋଧ ଅଞ୍ଚଳଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ।

ନିର୍ଦ୍ଦିଷ୍ଟ ଭାବେ କଟକଣା ନଥିବା ବାକି ସମସ୍ତ କାର୍ଯ୍ୟ ଉପରେ କଟକଣା କୋହଳ କରାଯାଇଛି। ସରକାରୀ ଅଫିସରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଆରୋଗ୍ୟ ଆପ୍‌ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି। ସାଧାରଣବ୍ୟକ୍ତିଙ୍କୁ ଏହି ଆପ୍‌ ବ୍ୟବହାର ନେଇ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇପାରିବେ। ଏହାସହିତ ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ, ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ସଫେଇ କର୍ମଚାରୀ, ଆମ୍ବୁଲାନ୍‌ସ୍‌ କର୍ମଚାରୀଙ୍କୁ ବିନା କୌଣସି ବାଧାରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅନୁମତି ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର