ବିଷ ଜ୍ୱାଳାରୁ ବିରତି ନେଇଛି ସହର

ଭୁବନେଶ୍ବର : ସତୁରି ବର୍ଷର ଜ‌ଣେ ବୃଦ୍ଧ କରୋନା କବଳରୁ ମୁକୁଳିବା ପରେ ସମ୍ପୃକ୍ତ ଡାକ୍ତରଖାନା ପକ୍ଷରୁ ତାଙ୍କୁ ବିଲ୍‌ ପୈଠ କରିବାକୁ କୁହାଯାଇଥିଲା। ଏହା ଶୁଣି ବୃଦ୍ଧ କିଛି ସମୟ କ’ଣ ଚିନ୍ତା କରି କାନ୍ଦି ପକାଇଲେ। ଡାକ୍ତର ଭାବିଲେ ବୋଧେ ବୃଦ୍ଧଙ୍କ ପାଖରେ ଅର୍ଥ ନାହିଁ। ଏହା ଦେଖିବା ପରେ ଡାକ୍ତର ବୃଦ୍ଧଙ୍କୁ ସାନ୍ତ୍ବନା ଦେବାକୁ ଯାଇ କ‌ହିଲେ, ଆପଣ ଯଦି ଅର୍ଥ ଦେଇନପାରିବେ କାନ୍ଦନ୍ତୁ ନାହିଁ। ବୃଦ୍ଧ ଜଣକ କହିଲେ, ମୁଁ ସେଇଥି ପାଇଁ କାନ୍ଦୁନଥିଲି ଯେ ଆଜି ମତେ ଡାକ୍ତରଖାନାର ଅମ୍ଳଜାନ ପାଇଁ ଟଙ୍କା ଦେବାକୁ ପଡ଼ିବ। ବରଂ ମୁଁ ଏଇଥି ପାଇଁ କାନ୍ଦୁଥିଲି ଯେ ସତୁରି ବର୍ଷ ହେଲା ଯେଉଁ ପରିବେଶ ମତେ ଅମ୍ଳଜାନ ଦେଇ ବଞ୍ଚେଇ ରଖିଛି ତା’ ପାଇଁ ମୁଁ କେତେ ଟଙ୍କା ପଇଠ କରିଛି। ତା’ କଥା ମୁଁ କେତେ ଥର ଚିନ୍ତା କରିଛି। ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ବଳିଷ୍ଠ ବାର୍ତା ଧର୍ମୀ କ୍ଷୁଦ୍ର କାହାଣୀଟି ଅବତାରଣା କରିବାର ଅର୍ଥ ହେଉଛି, କରୋନା ଯେ କେବଳ ବିପତ୍ତି ଆଣିଛି ତାହା ନୁହେଁ ବରଂ ଏହା କିଛି ଶିକ୍ଷା ମଧ୍ୟ ଦେଇଛି। ମହାମାରୀର ଏହି ପ୍ରକୋପ ସମୟରେ ଏପରି ଅବତାରଣା ହୁଏତ ବିଡ଼ମ୍ବନା ମନେ ହେଉଥାଇପାରେ, ମାତ୍ର ଏହା ହିଁ ବାସ୍ତବତା।

ଯେଉଁ ପରିବେଶ ମଣିଷକୁ ସୁସ୍ଥ ଜୀବନ ବଞ୍ଚିବା ପାଇଁ ଜାଗା ଦେଇଛି, ସେଇ ପରିବେଶକୁ ବିଗାଡ଼ୁଥିବା ମଣିଷ ମନରେ କେ‌ବେ ବି ଟିକେ ପରିବେଶ ପ୍ରତି ଦୟା ଆସିନାହିଁ। ହେଲେ ଆଜି ପରିବେଶକୁ ବିଗାଡ଼ୁଥିବା ନିଷ୍ଠୁର ମଣିଷ କବଳରୁ କିଛି ସମୟ ପାଇଁ ମୁକ୍ତି ଦେଇଛି ଏଇ କରୋନା। କଳକାରଖାନା ଓ ଗାଡ଼ି ମୋଟର ବନ୍ଦ ଯୋଗୁଁ ପ୍ରଦୂଷଣର ମାୟାଜାଲରୁ ଏଇ କିଛିଦିନ ହେବ ମୁକ୍ତ ହୋଇଛି ସହର। ଡାକ୍ତର ଜ୍ୟୋତିରଂଜନ ଚମ୍ପତିରାୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୨୦୧୫ ମସିହା ତଥ୍ୟକୁ ଆଧାର କରି ଦେଇଥିବା ସୂଚନା ମୁତାବକ, ଦିନକୁ ଭାରତରେ କେବଳ ବାୟୁ ପ୍ରଦୂଷଣରେ ୩୨୮୩ ଜଣ ଶିକାର ହେଉଛନ୍ତି। ଅନ୍ତତଃ ଏଇ କିଛିଦିନ ହେବ ଏ ପ୍ରକାର ବିଷ ଜ୍ବାଳାରୁ ମଣିଷ ମୁକ୍ତ ଥିବ। କେବଳ ଏତିକି ନୁହେଁ, ବିଷ ଧୂଆଁରେ ଅଣନିଃଶ୍ବାସୀ ପରିବେଶ ବି ଟିକେ ଆଶ୍ବସ୍ତ ହୋଇଛି। ସ୍ବାସ୍ଥ୍ୟ ଓ ପରିବେଶ ବିଜ୍ଞାନୀଙ୍କ କହିବା ମୁତାବକ, ଜନଗହଳିପୂର୍ଣ୍ଣ ସହର ଓ ଶିଳ୍ପାଞ୍ଚଳରେ ପ୍ରତିଦିନ ଡିଜେଲ, କୋଇଲା, ପେଟ୍ରୋଲିୟମ ସାମଗ୍ରୀ ଓ ଅନ୍ୟ ଶିଳ୍ପ ଇନ୍ଧନ ପୋଡ଼ାଯାଏ। ଫଳରେ ଏଥିରୁ ଭୟଙ୍କର ଓ ବିଷାକ୍ତ ନାଇଟ୍ରୋଜେନ ଅକ୍ସାଇଡ, ସଲଫର ଡାଏଅକ୍ସାଇଡ, କାର୍ବନ ‌ମନୋକ୍ସାଇଡ ଓ ଡାଇଅକ୍ସାଇଡ, ଆମୋନିଆ ଓ ଓଜୋନ ଆଦି ବାଷ୍ପ ବାୟୁମଣ୍ଡଳକୁ ବ୍ୟାପିଥାଏ। ଏସବୁରୁ ବିଷାକ୍ତ ବାଷ୍ପ ସୂକ୍ଷ୍ମାତିସୂକ୍ଷ୍ମ ବିଷାକ୍ତ ଧୂଳିକଣା ପାର୍ଟିକୁଲେଟ ମ୍ୟାଟର ବା ପିଏମ ୧୦ ଓ ପିଏମ ୨.୫ ସୃଷ୍ଟି କରେ। ବାୟୁମଣ୍ଡଳକୁ ଆଚ୍ଛାଦିତ କରୁଥିବା ଏହି ବିଷାକ୍ତ ଧୂଳିକଣା ଆଖିକୁ ଦେଖାଯାଏ ନାହିଁ ସିନା, ଆମେ କିନ୍ତୁ ତାକୁ ପ୍ରଶ୍ବାସରେ ଗ୍ରହଣ କରୁ। ଜଣେ ମଣିଷ ପ୍ରତି ମିନିଟରେ ହାରାହାରି ୭ରୁ ୮ଲିଟର, ଅର୍ଥାତ ଦିନକୁ ୧୧ ହଜାର ଲିଟରରୁ ଅଧିକ ବାୟୁ ପ୍ରଶ୍ବାସରେ ଗ୍ରହଣ କରିଥାଏ। ମାତ୍ର କରୋନା ଲକଡାଉନ ପାଇଁ ପରିବେଶ ଏସବୁର ଜ୍ବାଳାରୁ ଅନେକାଂଶରେ ମୁକ୍ତି ପାଇଛି। ମଣିଷ ମଧ୍ୟ ଘରେ ରହି ଏସବୁ ବିଷାକ୍ତ ବାୟୁ ପ୍ରଭାବରୁ ନିଜକୁ ଦୂରେଇ ରଖିବାରେ ସଫଳ ହୋଇଛି ବୋଲି ପରିବେଶବିତ୍ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି।

ଭୁବନେଶ୍ବରରେ ନିର୍ମାଣ କାମ ସମେତ ଅନେକ ମେଡିକାଲ ଓ ଶିଳ୍ପ ସଂସ୍ଥା ପାଇଁ ନଦୀର ଜଳ ବିଷାକ୍ତ ହେଉଥିବା ବେଳେ ଏବେ ନଦୀ ପାଣି ବି କିଛିଦିନ ହେବ ବିଷାକ୍ତ ପଦାର୍ଥ ଦାଉରୁ ମୁକ୍ତି ପାଇଛି। ପରିବେଶରେ ସନ୍ତୁଳନ ରକ୍ଷା କରୁଥିବା ଜୀବଜନ୍ତୁ, ପକ୍ଷୀମାନେ ବି ଏବେ ନିର୍ଦ୍ବନ୍ଦ୍ବରେ ଚଳପ୍ରଚଳ କରୁଛନ୍ତି। କଇଁଛ ସ୍ବଚ୍ଛନ୍ଦରେ ଅଣ୍ଡା ଦେଉଛି। ଶିକାରୀ, ମାଛ ଧରାଳି ଓ ପର୍ଯ୍ୟଟକ ନଥିବାରୁ ଚଢ଼େଇମାନେ ସ୍ବଚ୍ଛନ୍ଦରେ ଘୂରି ବୁଲୁଛନ୍ତି। ମାତ୍ର ଏଭଳି ପରିସ୍ଥିତି ସବୁବେଳେ ରହିବ ନାହିଁ। ଲକ୍‌ଡାଉନ ପରେ ପୁଣି ପରିବେଶ ପ୍ରତି ନିର୍ଯାତନା ଆରମ୍ଭ ହୋଇଯିବ। ମାତ୍ର ସମ୍ପୃକ୍ତ ବୃଦ୍ଧଙ୍କ ଭଳି ଅନ୍ୟମ‌ାନେ ବି ନିଜର ଯୋଗଦାନ ଦ୍ବାରା ଏ ପରିବେଶ ପ୍ରତି କୃତଜ୍ଞ ରହିପାରିବେ। ବିଷ ଜ୍ବାଳାରେ ଛଟପଟ ହେଉଥିବା ପରିବେଶର ଅଦୃଶ୍ୟ ଲୁହକୁ ବୁଝିବାକୁ ଚେଷ୍ଟା କରିପାରିବେ।

ସମ୍ବନ୍ଧିତ ଖବର