ବ୍ରହ୍ମପୁର : ଲକ୍‌ଡାଉନ ସମୟରେ ପ୍ରତି ରାସନକାର୍ଡ଼ଧାରୀଙ୍କୁ ୧ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ରାଜ୍ୟ ସରକାର ଘୋଷଣା କରିଥିଲେ। ଗଞ୍ଜମ ଜିଲ୍ଲାକୁ ୭୬କୋଟି ୧୯ଲକ୍ଷ ଟଙ୍କା ଅନୁଦାନ ଆସିଥଲା। ଏହି ସହାୟତା ରାଶି ବଣ୍ଟନ ଦାୟିତ୍ବ ଯୋଗାଣ ବିଭାଗକୁ ଦିଆଯାଇଥିଲା। ଯୋଗାଣ ବିଭାଗ ୭୨କୋଟି ୯୬ଲକ୍ଷ ୪୮ହଜାର ଟଙ୍କା ହିତାଧିକାରୀଙ୍କୁ ବଣ୍ଟନ କରି ବିନିଯୋଗ ପ୍ରମାଣପତ୍ର ରାଜ୍ୟ ସରକାରଙ୍କୁ ଦେଇଛି। ଖର୍ଚ୍ଚ ନ ହୋଇ ରହିଥିବା(ବଣ୍ଟନ ହୋଇ ନ ଥିବା) ୩କୋଟି ୨୧ଲକ୍ଷ ୬ହଜାର ୯୦୭ଟଙ୍କା ୪ ଦଫାରେ ଫେରସ୍ତ କରିଛି। ଆହୁରି ଖର୍ଚ୍ଚ ନ ହୋଇ ରହିଥିବା ୧ଲକ୍ଷ ୪୨ହଜାର ଟଙ୍କା ଫେରାଇବାକୁ ବାକି ରହିଥିବା ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚିଠି ଲେଖି ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି।

Advertisment

କରୋନା ମହାମାରୀ ପ୍ରକୋପ ଲାଗି ମାର୍ଚ୍ଚ ୨୨ରୁ ଦେଶ ଲକ୍‌ଡାଉନ୍‌ ହୋଇଥିଲା। ଆଉ କରୋନା ସ˚କ୍ରମଣ ବି ବୃଦ୍ଧି ପାଇଥିଲା। ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଓ ରାତ୍ରୀକାଳୀନ କର୍ଫ୍ୟୁ ଆଦି ଯୋଗୁଁ ଜନସାଧାରଣ ଗୃହାବଦ୍ଧ ହୋଇ ରହିଲେ। ଜୀବନଜୀବିକା ଉଜୁଡ଼ିଗଲା। କାମଧନ୍ଦା ହରାଇ ହଜାର ହଜାର ପ୍ରବାସୀ ଭିଟାମାଟି ଫେରିଲେ। ବିଶେଷ କରି ମଧ୍ୟବିତ୍ତ ଓ ଗରିବ ଶ୍ରେଣୀ ଲୋକଙ୍କ ଜୀବନଜୀବିକା ଦୋହଲି ଯାଇଥିଲା। ଜୀବନଜୀବିକାରେ ସୁଧାର ଆଣିବା ଲାଗି ରାଜ୍ୟ ସରକାର ପ୍ୟାକେଜ୍‌ ଘୋଷଣା କଲେ। ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ପ୍ରତି ପରିବାରକୁ ୧ ହଜାର ଟଙ୍କା ଆର୍ଥିକ ସହାୟତା ଏବ˚ ୩ ମାସ ମାଗଣା ଚାଉଳ ଓ ଡାଲି ଯୋଗାଇ ଦେବା ଲାଗି ଘୋଷଣା କଲେ। ଏପ୍ରିଲରୁ ଏହା କାର୍ଯ୍ୟକାରୀ ହେଲା। ଗଞ୍ଜାମ ଜିଲ୍ଲାର ୭ଲକ୍ଷ ୬୧ହଜାର ୯୫୧ଜଣ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା(ଏନ୍‌ଏଫ୍‌ଏସ୍‌ଏ), ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସ୍‌ଏଫ୍‌ଏସ୍‌ଏ) ଓ ଅନ୍ତ୍ୟୋଦୟ କାର୍ଡ଼ଧାରୀଙ୍କ ଲାଗି ୭୬କୋଟି ୧୯ଲକ୍ଷ ୫୧ହଜାର ୯୦୭ଟଙ୍କା ଯୋଗାଇ ଦେଇଥିଲେ। ପ୍ରତି କାର୍ଡ଼ ପିଛା ୧ହଜାର ଟଙ୍କା ହିସାବରେ ଏହି ଅନୁଦାନ ଦିଆଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଘର ଘର ବୁଲି ଜିଲ୍ଲାର ୨୨ଟି ବ୍ଲକର ୫୦୩ ପଞ୍ଚାୟତ ଓ ୧୮ଟି ସହରାଞ୍ଚଳର ହିତାଧିକାରୀଙ୍କୁ ବଣ୍ଟନ କରାଗଲା। ତେବେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଠିକ୍‌ ସମୟରେ ବିନିଯୋଗ ପ୍ରମାଣପତ୍ର ଓ ବଳକା ଅର୍ଥ ଫେରା ନ ଯିବାରୁ ରାଜ୍ୟ ସରକାର ଅସନ୍ତୋଷ ବ୍ୟକ୍ତ କରିଥିଲେ।

ବାରମ୍ବାର ତାଗିଦ୍‌ ପରେ ଯୋଗାଣ ବିଭାଗ ପକ୍ଷରୁ ଆସିଥିବା ଅନୁଦାନର ହିସାବ ଦିଆଯାଇଛି। ଚିଠିରେ ଦର୍ଶାଯାଇଛି, ଜିଲ୍ଲାକୁ ୭୬କୋଟି ୧୯ଲକ୍ଷ ୫୧ହଜାର ୯୦୭ଟଙ୍କା ଅନୁଦାନ ମିଳିଥିଲା। ସେଥିରୁ ୭୨କୋଟି ୯୬ଲକ୍ଷ ୪୮ହଜାର ଟଙ୍କାର ବିନିଯୋଗ ପତ୍ର ଦାଖଲ କରାଯାଇଛି। ୪ଦଫାରେ ଖର୍ଚ୍ଚ ହୋଇ ନ ଥିବା ୩ କୋଟି ୨୧ଲକ୍ଷ ୬୧ହଜାର ୯୦୭ଟଙ୍କା ଫେରସ୍ତ କରାଯାଇଛି। ୨୦୨୦ ଅଗଷ୍ଟ ୧୩ତାରିଖରେ ୧କୋଟି ୬୭ଲକ୍ଷ ୬୭ହଜାର ୯୦୭ଟଙ୍କା, ୨୦୨୦ ସେପ୍ଟେମ୍ବର ୨୨ରେ ୧କୋଟି ୨୬ଲକ୍ଷ ୨୬ହଜାର, ୨୦୨୦ ନଭେମ୍ବର ୨୭ରେ ୨୫ଲକ୍ଷ ୨୬ହଜାର ଏବଂ ୨୦୨୧ ଜାନୁଆରି ୧୨ରେ ୨ଲକ୍ଷ ୪୨ହଜାର ଫେରାଯାଇଛି। ଖର୍ଚ୍ଚ ହୋଇ ନ ଥିବା ଆହୁରି ୧ଲକ୍ଷ ୪୨ହଜାର ଟଙ୍କା ଫେରାଯିବା ଲାଗି ରହିଥିବା ଜଣାପଡ଼ିଛି।