ପୁରୀ : କରୋନା କଟକଣା ଅନେକଙ୍କ ଭାତହାଣ୍ଡି ଛଡ଼ାଇ ନେଇଛି। କାମଧନ୍ଦା ବନ୍ଦ ଥିବାରୁ ଅନେକ ପରିବାର ଏବେ ଆର୍ଥିକ ଅନଟନ ଭିତରେ ଗତି କରୁଛନ୍ତି। ଶ୍ରୀକ୍ଷେତ୍ର ପୁରୀ ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇଥିବାରୁ ଏଠାରୁ ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ପର୍ବ ପର୍ବାଣିରେ ଏହି ସଂଖ୍ୟା ଲକ୍ଷାଧିକରେ ହୋଇଥାଏ। ବେଶ୍ ଦୁଇପଇସା ରୋଜଗାର କରିଥାନ୍ତି ଏଠାକାର ଅଟୋ ଓ ରିକ୍ସା ଚାଳକ। କିନ୍ତୁ କରୋନା ଏମାନଙ୍କ ରୋଜଗାରରେ ଡୋରି ବାନ୍ଧି ଦେଇଛି। ପରିଣାମ ସ୍ବରୂପ ଯେଉଁ ଅଟୋ ତଥା ରିକ୍ସା ଚାଳକ ଅଟୋ କିମ୍ବା ରିକ୍ସା ଚଲାଇ ପରିବାର ଗୁଜୁରାଣ ମେଣ୍ଟାଉଥିଲେ, ସେମାନେ ଏବେ ପେଟପାଟଣା ପାଇଁ ସଂଘର୍ଷ କରୁଛନ୍ତି। ସବୁଠୁ ବଡ଼ କଥା ଅଧିକାଂଶ ଅଟୋ ଚାଳକ ବ୍ୟାଙ୍କ ଋଣ କରି ଗାଡ଼ି କିଣିଛନ୍ତି। ଅଟୋ ଚଲାଇ ଋଣ ବି ଶୁଝୁଥିଲେ। କିନ୍ତୁ ତାଲାବନ୍ଦ ଅବଧି ବଢ଼ି ଚାଲିଥିବାରୁ ଏମାନଙ୍କ ଆର୍ଥିକ ଯନ୍ତ୍ରଣା ବି ବଢ଼ିବାରେ ଲାଗିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁରୀ ସହରକୁ ବିଶେଷ କରି ଶ୍ରୀମନ୍ଦିର ଓ ବେଳାଭୂମି ବୁଲିବାକୁ ହଜାର ହଜାର ଭକ୍ତ ଆସିଥାନ୍ତି। ରଥଯାତ୍ରା ଭଳି ପର୍ବ ପର୍ବାଣିରେ ପର୍ଯ୍ୟଟକଙ୍କ ସଂଖ୍ୟା ୧୦ ଲକ୍ଷ ଡେଇଁଯାଏ। ପ୍ରତି ରବିବାର କିମ୍ବା ଛୁଟି ଦିନରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ଼ ଜମେ। ସେହି ଅନୁଯାୟୀ ସହରରେ ଅଟୋ ସଂଖ୍ୟା ବି ଢ଼େର ଅଧିକ। ହିସାବ କଲେ ଏହି ସଂଖ୍ୟା ୫ ହଜାର ଡେଇଁଯିବ। ରିକ୍ସା ଚାଳକଙ୍କ ସଂଖ୍ୟା ବି ୭ ଶହ ଟପିବ। ପୁରୀ ସହରର ପ୍ରମୁଖ ଅଟୋ ଷ୍ଟାଣ୍ଡ୍ କହିଲେ ପୁରୀ ବସଷ୍ଟାଣ୍ଡ୍ ଓ ରେଳ ଷ୍ଟେସନ୍କୁ ବୁଝାଏ। ଏହାବାଦ୍ ଅନ୍ୟ ଛୋଟବଡ଼ ଷ୍ଟାଣ୍ଡ୍ ରହିଛି। କେବଳ ପୁରୀ ରେଳ ଷ୍ଟେସନ୍ ଷ୍ଟାଣ୍ଡରେ ଦୁଇ ହଜାରରୁ ଅଧିକ ଅଟୋ ରହିଛନ୍ତି। ଯେଉଁମାନେ ରେଳଯାତ୍ରୀଙ୍କୁ ଶ୍ରୀମନ୍ଦିର, ବେଳାଭୂମି ଓ ସ୍ବର୍ଗଦ୍ବାର ସହ ଅନ୍ୟାନ୍ୟ ସ୍ଥାନ ବୁଲାଇ ନେଇଥାନ୍ତି। ଏହା ବାଦ୍ କୋଣାର୍କ, ଚନ୍ଦ୍ରଭାଗା, ସାତପଡ଼ା, ଅଲାରନାଥ, ରାମଚଣ୍ଡୀ, ହରଚଣ୍ଡୀ ଆଦି ସ୍ଥାନକୁ ବି ପର୍ଯ୍ୟଟକଙ୍କୁ ବୁଲାଇ ନେଇଥାନ୍ତି। ସହର ଉପକଣ୍ଠ ଉପରେ ନଜର ପକାଇଲେ ମାଳତୀପାଟପୁର ବସ୍ଷ୍ଟାଣ୍ଡ, ଚନ୍ଦନପୁର ଅଟୋଷ୍ଟାଣ୍ଡରେ ବି ବହୁ ସଂଖ୍ୟାରେ ଅଟୋ ରହିଥାଏ।
ଅଟୋ ଚାଳକ ଗଣେଶ ପ୍ରଧାନଙ୍କ କହିବା ମୁତାବକ, ସେ ବ୍ୟାଙ୍କରୁ ଋଣ ଆଣି ବର୍ଷେ ତଳେ ଏକ ଅଟୋ କିଣିଥିଲେ। ଅଟୋ ଚଳାଇ ପରିବାର ଗୁଜୁରାଣ ମେଣ୍ଟାଇବା ସହଜ ନୁହେଁ। ତଥାପି ଏହି ଅଟୋରେ ଋଣ ଶୁଝିବା ସହ ଘର ଖର୍ଚ୍ଚ ବି ଚଳି ଯାଉଥିଲା। କିନ୍ତୁ ଲକ୍ଡାଉନ୍ ପରେ ଘର ଉପରେ ଯେପରି ଏକ ବଡ଼ ବୋଝ ଲଦି ହୋଇପଡ଼ିଛି। ପରିବାରର ୬ ଜଣ ସଦସ୍ୟଙ୍କୁ ଚଳାଇବା କଷ୍ଟକର ହୋଇପଡ଼ିଛି। ସବୁଠୁ ବଡ଼ ବୋଝ ହୋଇଛି ଋଣ। ବ୍ୟାଙ୍କ ଋଣ କିପରି ଶୁଝିବୁ ତାକୁ ନେଇ ଚିନ୍ତା ବଢ଼ିଛି। ସମାନ କଥା ଦୋହରାଇଛନ୍ତି କାଳିଆ ନାଏକ। ସେ ବି ଋଣ ଆଣି ଅଟୋ କିଣିଛନ୍ତି ବୋଲି କହିଛନ୍ତି। ଏହା କେବଳ ଗଣେଶ ଓ କାଳିଆଙ୍କ ଅବସ୍ଥା ନୁହେଁ, ଅଧିକାଂଶ ଅଟୋ ଚାଳକ ଏଭଳି ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ପର୍ଯ୍ୟଟକ ଆସିବା ଓ ଗାଡ଼ି ଚଳାଚଳ ବନ୍ଦ ହୋଇଯିବା ପରେ ଏହି ଅଟୋ ଚାଳକଙ୍କ ରୋଜଗାର ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। କେତେ ଦିନ ଲକ୍ଡାଉନ କଟକଣା ରହିବ, ତାହା ବି ଅନିଶ୍ଚିତତା ଭିତରେ। ସେ ପଟେ କଟକଣା ଉଠିବା ପରେ ପର୍ଯ୍ୟଟକ ଆସିବେ କି ନାହିଁ, ତାହା ବି ଭୟର ବାତାବରଣ ସୃଷ୍ଟି କରିଛି। ସମାନ ଅବସ୍ଥା ପୁରୀରେ ରିକ୍ସା ଚଲାଇ ପେଟ ପୋଷୁଥିବା ପରିବାରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଅଟୋ ଚାଳକଙ୍କଠାରୁ ଆହୁରି ଦୁର୍ଦ୍ଦିନ ପରିସ୍ଥିତିରେ ଏମାନେ ଦିନ କାଟୁଛନ୍ତି। ସରକାର ସେବାୟତ ଓ କ୍ଷୁଦ୍ର ଉଠା ଦୋକାନୀ ଆଦିଙ୍କୁ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ ଅଟୋ ଓ ରିକ୍ସା ଚାଳକଙ୍କ ଉପରେ ବି ସରକାର ଶୁଭଦୃଷ୍ଟି ପକାନ୍ତୁ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି।